ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଛନ୍ତି।  ସୋର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ ସୋର ଥାନା ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ଗତ ୨୦୧୯ରେ ସୋର ଥାନା ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୩ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ।
କିଛିଦିନ ପରେ ଚାକିରୀ ମିଳିବାର କୌଣସି ସୂଚନା ନ ମିଳିବାରୁ ସଞ୍ଜୟ ଓ ତାଙ୍କର ସାଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସି ନ ଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇଥିଲେ। ସଞ୍ଜୟଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନା ଦ୍ୱାରସ୍ଥ ହୋଇଥିଲେ।
ସେହିଭଳି ୨୦୧୫ରେ କିରୋସିନ ଡିଲରଶିପ କରାଇଦେବାର ଆଳ ଦେଖାଇ ରମେଶ ୫୮ ଲକ୍ଷ ଟଙ୍କା ଠକିଥିବା ସୋର ଅଞ୍ଚଳର ସୁଶାନ୍ତ କୁମାର ଦାସ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୩୬୦/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ଟି ଓ କେନ୍ଦୁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
Share