ପୁଣି ରିମାଣ୍ଡରେ ଆସିବେ ରସିକିଆ ଠକ

ଭୁବନେଶ୍ୱର,୧୦ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ୫ ମହିଳାଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ୍‌ ସାମଲଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଏନେଇ କ୍ୟାପିଟାଲ ଥାନା ପୋଲିସ ଗୁରୁବାର କୋର୍ଟରେ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ୫ ଦିନ ଅନୁମତି ଦେଇଥିବା ସୂଚନା ମିଳିଛି। ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ଇତିମଧ୍ୟରେ ସତ୍ୟଜିତ୍‌ ବ୍ୟବହାର କରୁଥିବା ଆଉ ଏକ କାରକୁ ପୋଲିସ ଜବତ କରିଛି। ଉକ୍ତ ଗାଡ଼ିରେ ସତ୍ୟଜିତ ବ୍ରହ୍ମପୁର ଯାଇ ଜଣେ ମହିଳାଙ୍କଠାରୁ ୧.୬୦ ଲକ୍ଷ ଟଙ୍କା କ୍ୟାଶ୍‌ ଆକାରରେ ଆଣିଥିଲେ। ମହିଳା ଜଣକ ସୁନା ବନ୍ଧା ପକାଇ ସତ୍ୟଜିତଙ୍କୁ ଟଙ୍କା ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ମଧ୍ୟ ସତ୍ୟଜିତଙ୍କ ନାମରେ ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ଫଳରେ ଏହି ରସିକିଆ ଠକଙ୍କ ନାଁରେ କ୍ୟାପିଟାଲ ଥାନାରେ ହୋଇଥିବା ଠକେଇ ମାମଲା ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏଥିସହ ସତ୍ୟଜିତଙ୍କ ଠକେଇ ଗୁମର ଖୋଲିବା ପାଇଁ ଗଠନ ହୋଇଥିବା ୨ଟି ଟିମ୍‌ ପୀଡିତାମାନଙ୍କ ସହ ଆଲୋଚନା ଚଳାଇଛି। ଗୋଟିଏ ଟିମ୍‌ ରାଜ୍ୟ ବାହାରେ ଓ ଆଉ ଏକ ଟିମ୍‌ ଓଡ଼ିଶାର ପୀଡିତାଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛି। ଏଥିପାଇଁ କୌଣସି ଭୟ ନ କରିବାକୁ କହିବା ସହ ସମସ୍ତ ପୀଡ଼ିତାଙ୍କ ପରିଚୟ ଗୋପନୀୟ ରହିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସତ୍ୟଜିତ୍‌ଙ୍କ ବୟାନ ଆଧାରରେ ପୋଲିସ ଚନ୍ଦ୍ରଶେଖରପୁରସ୍ଥିତ ଭଡ଼ାଘରୁ ଲାପଟପ୍‌, ପେନ୍‌ଡ୍ରାଇଭ୍‌ ଓ ପାସ୍‌ପୋର୍ଟ, ନକଲି ଆଇଡି କାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରି ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇଛି। ଏଥିରୁ ମଧ୍ୟ ସତ୍ୟଜିତ୍‌ଙ୍କ ଠକେଇ ସାମ୍ରାଜ୍ୟର ନୂଆ ତଥ୍ୟ ପଦାକୁ ଆସିପାରେ ବୋଲି ପୋଲିସ ଆଶା ରଖିଛି।
ପ୍ରକାଶ ଯେ, ସତ୍ୟଜିତ ନିଜକୁ ପୋଲିସ, ସିବିଆଇ ଅଫିସର ଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟ୍‌ରେ ୪୯ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଜଣେ ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିବାବେଳେ ବହୁ ମହିଳାଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଶାରୀରିକ ସମ୍ପର୍କ ରଖି ଠକେଇ କରିଥିଲେ। ତେବେ ଠକେଇର ଶିକାର ୨ ମହିଳା ସତ୍ୟଜିତଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସତ୍ୟଜିତ୍‌ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ୍‌ ଠକି ନେଇଥିବା ଅଭିଯୋଗ ପରେ ସତ୍ୟଜିତଙ୍କୁ ପୋଲିସ୍‌ ଗିରଫ କରିଥିଲା।

Share