ଧୋକା ଦେଲା କରୋନା ଟିକା: ଅଧାରୁ ପରୀକ୍ଷଣ ବନ୍ଦ

ଓ୍ବାଶିଂଟନ, ୯।୯: ପୃଥିବୀ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ଲୋକଙ୍କ ଆଶା ନିରାଶାରେ ପରିଣତ ହୋଇଛି। ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋଟା ଟିକାର ମାନବ ଉପରେୀ ପରୀକ୍ଷଣ ଅଧାରୁ ବନ୍ଦ କରି ଦିଆଯାଇଛି। କେତେକ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବାରୁ ଏଭଳି କରାଯାଇଥିବା କୁହାଯାଉଛି। ଏହି ଟିକା ଉପରେ ସାରା ପୃଥିବୀର ଦେଶଙ୍କ ଆଶା ରହିଥିଲା। ତେବେ ଏହା ଏବେ ମଉଳି ଯାଇଛି। ପରୀକ୍ଷା କରାଯାଇଥିବା ବ୍ୟକ୍ତିଙ୍କ ଅବସ୍ଥା ଖରାପ ହେବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେମାନଙ୍କର ରୋଗ ସମ୍ପର୍କରେ ମଧ୍ୟ କିଛି ଜଣାପଡ଼ିନାହିଁ। ଅନ୍ୟ ପ୍ରତିଷେଧକ ଟିକା ତୁଳନାରେ ଏଜେଡ୍‌ଡି-୧୨୨୨ ଟିକା ବେଶ୍‌ ସଫଳ ରହିଛି। ଏନେଇ ଏଷ୍ଟ୍ରାଜେନିକା ପକ୍ଷରୁ କୁହାଯାଇଛି ଯେ, ଟିକା ପରୀକ୍ଷାରେ ବାଧା ସୃଷ୍ଟି ହୋଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହୋଇଥିବା ରୋଗ ସମ୍ପର୍କରେ ଜଣାପଡ଼ିବା ପରେ ଏହାର ପୁଣି ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଏଷ୍ଟ୍ରାଜେନିକା କହିଛି। ଇତିମଧ୍ୟରେ ଟିକା ଉପଲବ୍ଧ ହେବାର ସମୟ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନୈରାଶ୍ୟ ଜନକ ମନ୍ତବ୍ୟ ଦିଆଯାଇଛି। ଟିକା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସଂଗଠନ କହିଛି। ଆସନ୍ତା ବର୍ଷ ମଧ୍ୟ ଭାଗ ପୂର୍ବରୁ ଟିକା ମିଳିବା ଆଶା କରିବା ବୃଥା ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରବକ୍ତା ମାରଗ୍ରେଟ୍‌ ହେରିସ୍‌ ସୂଚନା ଦେଇଛନ୍ତି। ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କମ୍‌ ଦିନ ମଧ୍ୟରେ ସମ୍ପନ୍ନ ହେଲେ ବି ତୃତୀୟ ପର୍ଯ୍ୟାୟ ଦୀର୍ଘ ଦିନ ଧରି ଜାରି ରହିଛି। ସୁରକ୍ଷା ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାରିକ ରୂପେ ପ୍ରୟୋଗ କରାଯିବ ନାହିଁ ବୋଲି ସେ କହିଛନ୍ତି।

Share