ମାଗଣା ଓ ମହରଗ

ଡ.ପ୍ରଫୁଲ୍ଲ କୁମାର ସାହୁ

ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟପଦାର୍ଥ, ତୈଳ, ରନ୍ଧନ ଗ୍ୟାସ୍‌, ଔଷଧ ଓ ଦୁଗ୍ଧ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ। ଦର ଆକାଶଛୁଆଁ । ଶ୍ରୀଲଙ୍କା ମୁଦ୍ରା ରୁପିରେ ଚାଉଳ କିଲୋ ୨ଶହ ଓ ରୋଷେଇ ଗ୍ୟାସ୍‌ ୪ ହଜାର ଉପରେ। ଶହେ ଟଙ୍କା ଦେବାକୁ ପଡୁଛି କପେ ଚା’ ପିଇବା ପାଇଁ। ଅତି ଦୟନୀୟ ଅବସ୍ଥା। କୁହାଯାଉଛି ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବା ଲକ୍ଷ୍ୟରେ ସେଠାକାର ସରକାର ବହୁ ସଂଖ୍ୟାରେ ମାଗଣା ବାଣ୍ଟିବା ଯୋଜନା ଚଳାଇ ରଖିବା ଫଳରେ ଏଭଳି ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଗଲା ଦେଶ।
ଶ୍ରୀଲଙ୍କାରେ ଏହି ଆର୍ଥିକ ପରିସ୍ଥିତିକୁ ନେଇ ଆମ ଦେଶରେ ଏବେ ଜୋର୍‌ ଧରିଛି ଚର୍ଚ୍ଚା। ଏଠାରେ ହୁ ହୁ ହୋଇ ବଢୁଥିବା ଦରଦାମ୍‌କୁ ଦେଖି ଭାରତରେ ଶ୍ରୀଲଙ୍କା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କଲେଣି ଅନେକ ଲୋକ। କେବଳ ସାଧାରଣ ଲୋକ ନୁହନ୍ତି, ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କଲେଣି ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସେମାନଙ୍କ ଆଶଙ୍କା ଅନୁଯାୟୀ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ବଣ୍ଟନ ବ୍ୟବସ୍ଥା ଯୋଗୁ ସମ୍ପୃକ୍ତ ରାଜ୍ୟ ଋଣଯନ୍ତାରେ ପଡ଼ିବା ସଙ୍ଗେ ସଙ୍ଗେ ସଙ୍କଟ ଭିତରକୁ ଟାଣି ହୋଇଯିବ ଜାତୀୟ ଅର୍ଥନୀତି। ସେମାନଙ୍କ ଆଶଙ୍କା ସତ ହୋଇପାରେ, ମାତ୍ର ସେମାନେ କହିବାକୁ ଭୁଲି ଯାଇଛନ୍ତି କେବଳ ରାଜ୍ୟଗୁଡ଼ିକ ନୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବଣ୍ଟା ଯାଉଛି ମାଗଣା ରାଶନ, ଗ୍ୟାସ୍‌ ସଂଯୋଗ, ପକ୍କା ଘର, ବିଦ୍ୟୁତ୍‌, ଶୌଚାଳୟ ଓ ସ୍ବାସ୍ଥ୍ୟବୀମା ଆଦି ଯୋଜନା।
ସାଧାରଣତଃ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟକାରୀ ହୁଏ କଲ୍ୟାଣକାରୀ ଯୋଜନା। ଗୋଟିଏ ଦଶନ୍ଧି ପୂର୍ବରୁ ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିଲା ଅନାହାର ମୃତ୍ୟୁ। ତା’ର ପ୍ରତିକାର ପାଇଁ ୨୦୧୩ରେ ପ୍ରଣୟନ ହେଲା ଖାଦ୍ୟ ସୁରକ୍ଷା ଆଇନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ କିମ୍ବା ରିହାତି ଦରରେ ମିଳିଲା ଚାଉଳ ଓ ଗହମ ଇତ୍ୟାଦି ଖାଦ୍ୟଶସ୍ୟ। ଏହାଦ୍ୱାରା ଦେଶର ମଥାରୁ ଅନାହାର ମୃତ୍ୟୁଜନିତ କଳଙ୍କ ଲିଭିଲା ସତ କିନ୍ତୁ ହଟିଲାନି ଦାରିଦ୍ର୍ୟ। କେବଳ ଖାଦ୍ୟ ସୁରକ୍ଷା ଆଇନ ନୁହେଁ, ସ୍ବାଧୀନତା ପରଠାରୁ ଗରିବ ହଟେଇବା ପାଇଁ ଦେଶରେ କାର୍ଯ୍ୟକାରୀ ହୋଇଛି ଯୋଜନା ପରେ ଯୋଜନା। ମାତ୍ର ଏତେସବୁ ଯୋଜନା ସତ୍ତ୍ୱେ ଗରିବ ଓ ଗରିବୀ ବାଟ ଚାଲିଛନ୍ତି ହାତ ଧରାଧରି ହୋଇ। ମନରେ ପ୍ରଶ୍ନ ଉଠେ କ’ଣ ପାଇଁ ହଟୁନି ଦାରିଦ୍ର୍ୟ? କାହିଁକି ଲମ୍ବି ଲମ୍ବି ଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା? ବିଶେଷଜ୍ଞଙ୍କ ମତରେ ଏହାର ମୂଳ କାରଣ ହେଉଛି କଲ୍ୟାଣକାରୀ ଯୋଜନାର ନକାରାମତ୍କ ପ୍ରଭାବ। ଅନ୍ୟଭାବରେ କହିଲେ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ଅର୍ଥନୀତିକୁ ଛାଡ଼ି ରାଜନୀତିକୁ ଜାବୁଡ଼ି ଧରିବା ଫଳରେ ବାଟବଣା ହେଉଛି ଯୋଜନା। ଏକଥା ସତ୍ୟ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଶେଷ କରି ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଆଦି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ଚଳେଇ ରଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ। ସାଧାରଣତଃ ଏସବୁ ଯୋଜନା ସମ୍ପର୍କରେ ସରକାର ସଂସଦ ବା ବିଧାନସଭାରେ ଘୋଷଣା କରନ୍ତି ଏବଂ ଏହା କାର୍ଯ୍ୟାନ୍ବିତ ହୁଏ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ। ମାତ୍ର ରାଜନୀତିକୁ ଜାବୁଡ଼ି ଧରିଥିବା ଯୋଜନାଗୁଡ଼ିକ ସଂସଦ କିମ୍ବା ବିଧାନ ସଭାରେ ନୁହେଁ, ନିର୍ଦ୍ଦିଷ୍ଟ ଦଳର ମୁଖ୍ୟଙ୍କ ଦ୍ୱାରା ଘୋଷଣା ହୋଇଥାଏ ନିର୍ବାଚନ ସଭାରେ। ଏସବୁ ଯୋଜନାର ଭଲମନ୍ଦ ଦିଗ ଉପରେ ବିତର୍କ ହୁଏନି କି ଏଥିପାଇଁ ନ ଥାଏ ଅର୍ଥ ବିଭାଗର ମଞ୍ଜୁରୀ।
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ରାଜନୀତି ନୁହେଁ, ଏହା ଅର୍ଥନୀତିର କଥା। ଏହି ତୁଷ୍ଟୀକରଣ ରାଜନୀତି ଯୋଗୁ ହିତାଧିକାରୀ ଚୟନରେ ଚଞ୍ଚକତା ହେଉଛି ଏବଂ ଲମ୍ବିଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା। ଏହାଦ୍ୱାରା ଅକ୍ଷମ ଲୋକ ତ ସକ୍ଷମ ହୋଇପାରୁନି, ବରଂ ସକ୍ଷମ ଲୋକଟା ଅକ୍ଷମର ଅଭିନୟ କରୁଛି ମାଗଣା ମୋହରେ ପଡ଼ି । କହିଲେ ଦେଖି, କର୍ମକୁଶଳୀ ମଣିଷଟା ଯଦି ଶ୍ରମକାତର ହୋଇଯାଏ ତେବେ କେମିତି ହଟିବ ଦାରିଦ୍ର୍ୟ?
ସରକାର ଜାଣନ୍ତି, ଯେତେ ଯାହା ମାଗଣା ବାଣ୍ଟିଲେ ବି କେବେ ହଟିବନି ଦାରିଦ୍ର୍ୟ। ଏଥିପାଇଁ ଆବଶ୍ୟକ ଉତ୍ତମ ରୋଜଗାର ସମ୍ବଳିତ ସୁରକ୍ଷିତ କର୍ମନିଯୁକ୍ତି। ମାତ୍ର ନିଯୁକ୍ତିକୁ ଅଣଦେଖା କରି ସରକାର ତିଆରି କରୁଛନ୍ତି ମାଗଣା ବଣ୍ଟନ ବ୍ୟବସ୍ଥା।
ଅର୍ଥାତ୍‌ ସରକାର ପରୋକ୍ଷରେ ଚାହୁଁଛନ୍ତି ଲୋକେ ପରାଙ୍ଗପୁଷ୍ଟ ହୋଇ ରହନ୍ତୁ ଏବଂ ସବୁଦିନ ପାଇଁ ନିର୍ଭର କରନ୍ତୁ ସରକାରୀ ସହାୟତା ଉପରେ। ଏହାଦ୍ୱାରା ଜୈବିକ ଦାରିଦ୍ର୍ୟ କମୁଛି ସତ, ମାତ୍ର ମାନସିକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛି ହିତାଧିକାରୀ।
ସେ ବୁଝିପାରୁନି ଏସବୁ ମାଗଣା ବଣ୍ଟନ ବ୍ୟବସ୍ଥାର ଭିତିରି କଥା। ସେ ଦାବି ନ କଲେ ମଧ୍ୟ କାହିଁକି ତାଙ୍କ ଉପରେ ଅଜାଡ଼ି ଦିଆଯାଉଛି ଏତେ ସବୁ ମାଗଣା ଜିନିଷ। ଏହି ମାଗଣା ବଣ୍ଟନର ଶ୍ରେୟ ନେବା ପାଇଁ ପୁଣି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଛି କାହିଁକି? କେନ୍ଦ୍ର କହୁଛି ଇଏ ମୋ ପଇସା ଏବଂ ରାଜ୍ୟ କହୁଛି ମୋର। ମାତ୍ର ତାହା କେନ୍ଦ୍ରର ନୁହେଁ କି ରାଜ୍ୟର ନୁହେଁ ଲୋକଙ୍କ ଟିକସ୍‌ ପଇସା।
ସରକାର କେବଳ ସେ ପଇସାର ଉତ୍ତରଦାୟୀ। ଲୋକଙ୍କ ପଇସାକୁ ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଏକ ରୋଚକ କଥାଟିଏ- ଥରେ ମେଣ୍ଢାମାନଙ୍କର ରାଜା ଘୋଷଣା କଲେ ଯେ, ଏଥର ଶୀତଦିନେ ଘୋଡ଼ି ହୋଇ ଶୋଇବା ପାଇଁ ପ୍ରତ୍ୟେକ ମେଣ୍ଢାଙ୍କୁ ରାଜାଙ୍କ ତରଫରୁ ମିଳିବ ଦୁଇଟି କରି କମ୍ବଳ। ଏକଥା ଶୁଣିବା ମାତ୍ରେ ମେଣ୍ଢାମାନଙ୍କର ଖୁସି କହିଲେ ନ ସରେ। ସେମାନେ ଏକାଠି ହୋଇ ରାଜାଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇବା ସହିତ ଆରମ୍ଭ କରିଦେଲେ ନୃତ୍ୟଗୀତ। ଗୋଟିଏ ମେଣ୍ଢା କିନ୍ତୁ ଅନ୍ୟମାନଙ୍କ ଖୁସିର କାରଣ ବୁଝି ନ ପାରି ଚିନ୍ତାମଗ୍ନ ହୋଇ ଠିଆ ହୋଇଥିଲା ସାମାନ୍ୟ ଦୂରରେ। ଅନ୍ୟମାନେ ତା’ର ଉଦାସୀନତାର କାରଣ ସମ୍ପର୍କରେ ପ୍ରଶ୍ନ କଲାରୁ କହିଲା, ତମେମାନେ ରାଜାଙ୍କ ଘୋଷଣା ଶୁଣି ଖୁସି ହେଉଛ ସତ, ହେଲେ ତମେ କେହି କେବେ ଭାବିନାହଁ ତା’ର ପରିଣାମ ସମ୍ପର୍କରେ। ଏହା ରାଜାଙ୍କର ବଦାନ୍ୟତା ଭାବି ତାକୁ ଧନ୍ୟବାଦ ଦେବା ପୂର୍ବରୁ ଥରୁଟିଏ ଭାବିଲ ଦେଖି ଏତେ କମ୍ବଳ ପାଇଁ ରାଜା ପଶମ ପାଇବେ କେଉଁଠୁ ?
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri