Categories: ଜାତୀୟ

ଭବାନୀପୁରରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ

କୋଲାକାତା,୨୭।୯: ଭବାନୀପୁରରେ ଏବେ ଯେଉଁ ଭଳି ସ୍ଥିତି, ସେଠାରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ। ଏଣୁ ଭବାନୀପୁର ଉପ ନିର୍ବାଚନକୁ ବାତିଲ କରାଯାଉ। ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଏଭଳି ଦାବି ରଖିଛନ୍ତି ପଶ୍ଚିମବଙ୍ଗର ଭାଜପା ନେତା ଦୀଲିପ ଘୋଷ। ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ଭବାନୀପୁର ଉପ ନିର୍ବାଚନ। ଏହି ଆସନରେ ନିର୍ବାଚନ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ।

”ମୋତେ ଓ ମୋ ଦଳୀୟ କର୍ମୀଙ୍କୁ ପ୍ରଚାର ବେଳେ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ମୁଁ ଭବାନୀପୁରରେ ଲିଫଲେଟ୍‌ ବାଣ୍ଟୁଥିବା ବେଳେ ମୋ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଟିଏମ୍‌ସି କର୍ମୀ। ଚାରି ଆଡ଼ୁ ଘେରି ନେବା ପରେ ସେମାନେ ମୋତେ ଓ କର୍ମୀଙ୍କୁ ଆକ୍ରମଣ କରିଥିଲେ। ମୋ ଜୀବନ ପ୍ରତି ବିପଦ ଦେଖିବା ପରେ ବାଧ୍ୟ ହୋଇ ସୁରକ୍ଷା କର୍ମୀମାନେ ସର୍ଭିସ ରିଭଲଭର ଦେଖାଇଥିଲେ। ନିର୍ବାଚନ କମିଶନ ସୁରକ୍ଷା ଉପରେ ଉଚିତ ପଦକ୍ଷେପ ନେବା କଥା। କିନ୍ତୁ ଆମେ ତାହା ଦେଖିପାରିଲୁ ନାହିଁ। ଏହା ପ୍ରତି ଦିନ ଘଟୁଛି। ଆମେ ପୋଲିସକୁ ଯୋଗାଯୋଗ କରିଥିଲୁ। ହେଲେ ସେମାନେ ଆମକୁ ସହାୟତା ଦେଲେ ନାହିଁ। ଏପରି କି ସାଧା ପୋଷାକରେ ଥିବା ଜଣେ ପୋଲିସ ଅଧିକାରୀ ଆମକୁ ସୁରକ୍ଷା ଦେବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ନିରପେକ୍ଷ ମତଦାନ ସମ୍ଭବ ନୁହେଁ। ଏଣୁ ଭବାନୀପୁର ଉପ ନିର୍ବାଚନକୁ ବାତିଲ କରାଯାଉ“ ବୋଲି ସୋମବାର ଆୟୋଜିତ ଏକ ଖବରଦାତ ସମ୍ମିଳନୀରେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ ଘୋଷ କହିଛନ୍ତି। ଉଲ୍ଲେଯୋଗ୍ୟ, ସମାନ ଘଟଣା ଭାଜପାର ଏମ୍‌ପି ଅର୍ଜୁନ ସିଂଙ୍କ ସହ ଘଟିଥିଲା।

ନିର୍ବାଚନ କମିଶନକୁ ସୂଚନା ଦିଆଯାଇଥିଲା। କିନ୍ତୁ ଇସି ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଭାଜପା ପ୍ରତିନିଧି ଦଳ ଇସି ଅଧିକାରୀଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇଥିବା ଘୋଷ କହିଛନ୍ତି।

Share