ଆର୍‌ଟିଇ ପିଲାଙ୍କୁ ମାଗଣା ବହି, ଡ୍ରେସ୍‌ ଦିଆଯାଉ

ଭୁବନେଶ୍ୱର, ୩୧ା୩ (ଅସମାପିକା ସାହୁ)ଆର୍‌ଟିଇ ପାରଦର୍ଶୀ ଯୋଜନାରେ ୨୫% ସିଟ୍‌ରେ ମାଗଣାରେ ପାଠ ପଢ଼ୁଥିବା ପିଲାଙ୍କୁ ମାଗଣା ବହି ନ ଦେଲେ ଓସେପା ଅଫିସରେ ତାଲା ପକାଇବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଚେତାବନୀ ଦେଇଛି। ମହାସଂଘର କହିବାନୁସାରେ, ବହୁବାର ଦାବି ଓ ଅଭିଯୋଗ ସହ ଘେରାଉ ପରେ ମଧ୍ୟ ପୂର୍ବ ଦୁଇବର୍ଷର ପିଲାମାନେ ବହି, ଡ୍ରେସ, ଜୋତା ଆଦିର ପଇସା ଏପର୍ଯ୍ୟନ୍ତ ଫେରସ୍ତ ପାଇପାରି ନାହାନ୍ତି। ସେପଟେ ଉପରଶ୍ରେଣୀକୁ ଉନ୍ନୀତ ହେବା ପରେ ବି ଏବର୍ଷ ମଧ୍ୟ ଘରୋଇ ସ୍କୁଲଗୁଡିକ ଗରିବ ପିଲାଙ୍କ ଅଭିଭାବକଙ୍କୁ ହଜାର ହଜାର ଟଙ୍କା ଦେଇ ବହି କିଣିବାକୁ ବାଧ୍ୟ କରୁଛନ୍ତି। ଏବର୍ଷ ମଧ୍ୟ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୭,୨୩୫ ଜଣ ପିଲା ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ପାରଦର୍ଶୀ ପୋର୍ଟାଲରେ ଯୋଗ୍ୟ ହେବାକୁ ଥିବା ପ୍ରାୟ ୨୦ହଜାର ପିଲା ପୁଣି ୨ହଜାରରୁ ୬ହଜାର ଟଙ୍କା ଗଣି ବହି, ଜୋତା ଓ ଡ୍ରେସ କିଣି ବାକୁ ବାଧ୍ୟ ହେବେ। ଆର୍‌ଟିଇ ପାରଦର୍ଶୀ ଯୋଜନାରେ ମାଗଣା ସିଟ୍‌ରେ ପଢ଼ୁଥିବା ପିଲା ଆଇନ ଅନୁଯାୟୀ ମାଗଣାରେ ବହି, ଡ୍ରେସ, ଜୋତା ଆଦି ପାଇବାର ସୁବିଧା ଥିଲେ ମଧ୍ୟ ବିଭାଗୀୟ ତାଗିଦ ଅଭାବରୁ ହଜାର ହଜାର ଟଙ୍କା ଗଣୁଛନ୍ତି। ବହୁବାର ମହାସଂଘ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଭାବକଙ୍କୁ ନ୍ୟାୟ ମିଳି ନାହିଁ। ତେଣୁ ଏ ନେଇ ଭହାସଂଘ ପକ୍ଷରୁ ପୁଣିଥରେ ସଚିବଙ୍କୁ ଦାବି ସହିତ ଚେତାବନୀ ଦିଆଯାଇଛି। ୭ଦିନ ଭିତରେ ସମସ୍ୟା ସମାଧାନ ନ ହେଲେ ବାଧ୍ୟ ହୋଇ ମହାସଂଘ ୮ ତାରିଖ ପରେ ଓସେପା କାର୍ଯ୍ୟାଳୟକୁ ତାଲା ପକେଇ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛି ବୋଲି କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି।

Share