କବାଡ଼ିଖାନାରେ ପିଲାଙ୍କ ମାଗଣା ବହି

ଉମରକୋଟ,୨୬ା୧୨(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା ସହ ବହି, ପୋଷାକ, ମଧ୍ୟାହ୍ନଭୋଜନ ଆଦିର ବ୍ୟବସ୍ଥା କରିଛନ୍ତି। ତେବେ ଉପାନ୍ତ ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍କୁଲ ପିଲାଙ୍କ ପାଇଁ ଆସିଥିବା ମାଗଣା ବହି ପିଲାଙ୍କୁ ଦିଆ ନ ଯାଇ କବାଡ଼ି ଦୋକାନରେ ପଡ଼ିଥିବା ନଜରକୁ ଆସିଛି।
ସ୍ଥାନୀୟ ଏକ କବାଡ଼ି ଦୋକାନରେ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ବହି ରହିଥିବା ଜଣାପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ପିଲାଙ୍କୁ ବହି ମିଳୁ ନ ଥିବାବେଳେ ଅନେକ ଅଭିଭାବକ ବାହାରୁ ବହି କିଣୁଛନ୍ତି। ଅନ୍ୟପକ୍ଷରେ କେତେଜଣ ଅସାଧୁ ଶିକ୍ଷକ ଏବଂ ସ୍କୁଲ କର୍ତ୍ତୃପକ୍ଷ ବହିଗୁଡ଼ିକୁ ପିଲାଙ୍କୁ ନ ଦେଇ କବାଡ଼ି ଦୋକାନରେ ବିକିବାକୁ ପଛାଉ ନ ଥିବା ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଏ ନେଇ ଉମରକୋଟ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ନ ଥିବା କହିଛନ୍ତି। ତେବେ ପିଲାଙ୍କ ପାଇଁ ଆସିଥିବା ମାଗଣା ବହି କବାଡ଼ି ଦୋକାନରେ କିଏ ବିକ୍ରି କରିଛନ୍ତି ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Share