ମାଗଣାରେ ମିଳିବ କରୋନା ଟିକା: ୫ ରାଜ୍ୟ ସରକାର କରି ସାରିଲେଣି ଘୋଷଣା

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ମଧ୍ୟ କରି ସାରିଛନ୍ତି। ଇତିମଧ୍ୟରେ ୫ ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି ଘୋଷଣା କରିସାରିଛନ୍ତି। ପ୍ରଥମେ ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ବିଧାନସଭା ନିର୍ବାଚନ ପୂର୍ବରୁ ଏନେଇ ଘୋଷଣା କରିଥିଲେ। ଏବେ ନୀତିଶ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ସେହିପରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରରେ ରାଜ୍ୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ପାଇଁ ଘୋଷଣା କରିସାରିଛନ୍ତି। ଲୋକଙ୍କୁ ମାଗଣା ଟିକା ଦେବା ଲାଗି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସାମିଙ୍କ ସରକାର ପ୍ରତିଶ୍ରୁତି ଦେଇ ସାରିଛନ୍ତି। ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାର ରାଜ୍ୟରେ ମାଗଣା ଟିକା ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାଗଣା ଟିକାଦାନ ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ ମଧ୍ୟ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏବେ କରୋନା ଟିକା ଦିଆଯିବା ନେଇ ଅନ୍ୟ ରାଜ୍ୟଗୁଡ଼ିକର ସରକାର କିଭଳି ପଦକ୍ଷେପ ନେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share