ଲୁଧିଆନା,୨୦।୬: ପଞ୍ଜାବରୁ ବହୁ କୋଟି ଟଙ୍କା ଠକି ଫେରାର୍ ହେବାକୁ ବସିଥିବା ଠକ ଦମ୍ପତିଙ୍କୁ ପୋଲିସ କୌଶଳକ୍ରମେ ଗିରଫ କରିଛି। ଉତ୍ତରାଖଣ୍ଡ ଚମୋଲି ହେମକୁଣ୍ଡ ସାହିବରୁ ମନଦୀପ କୌର ଓ ସ୍ବାମୀ ଯଶଓ୍ବିନ୍ଦର ସିଂଙ୍କୁ ଗିରଫ କରାଯାଇଛି। ପଞ୍ଜାବର କେତେଜଣ ଲୋକଙ୍କଠାରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେବା ପରେ ଦମ୍ପତି ତୀର୍ଥ କରିବାକୁ ଯାଇଥିଲେ। ପୋଲିସ ସେମାନଙ୍କଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି। ଏଥିରେ ସମ୍ପୃକ୍ତ ମୋଟ ୧୨ ଜଣଙ୍କ ମଧ୍ୟରୁ ପୋଲିସ ଏବେସୁଦ୍ଧା ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ତୀର୍ଥ ଯାତ୍ରା ସାରି ମନଦୀପ ଓ ଯଶଓ୍ବିନ୍ଦର ନେପାଳ ଫେରାର ହେବାକୁ ଯୋଜନା କରିଥିଲେ। ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ହେମକୁଣ୍ଡ ସାହିବରେ ମାଗଣା ପାନୀୟ ଶିବିର ଖୋଲାଯାଇଥିଲା। ଶିବିରରୁ ପାନୀୟ ନେଇ ପିଇବାବେଳେ ପୋଲିସ ସେମାନଙ୍କ ଚିହ୍ନଟ କରିଥିଲା। ଦୁହେଁ ପ୍ରାର୍ଥନା ସାରି ଫେରିବା ବେଳକୁ ପୋଲିସ ତାଙ୍କୁ କାବୁ କରିଥିଲା। ମନଦୀପ ଇନ୍ସୁରାନ୍ସ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ଫେବୃୟାରୀରେ ସେ ଯଶଓ୍ବିନ୍ଦରଙ୍କୁ ବିବାହ କରିଥିଲେ।