Categories: ଜାତୀୟ

ଜୁଲାଇ ୧ରୁ ମାଗଣା ବିଦ୍ୟୁତ୍‌ ଯୋଗାଣ…

ଚଣ୍ଡିଗଡ଼, ୨୭।୬ : ପଞ୍ଜାବ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା ସମୟରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଘୋଷଣା କରିଛନ୍ତି ଯେ ଆମ ଆଦମୀ ପାର୍ଟିର ଏହି ସରକାର ମାଗଣା ବିଦ୍ୟୁତ୍‌ ଯୋଗାଣ ପ୍ରତିଶ୍ରୁତି ପୂରଣ କରିବେ। ଜୁଲାଇ ୧ ରୁ କୃଷକମାନଙ୍କ ସମେତ ପ୍ରତିଶ୍ରୁତିରେ ସୂଚିତ ଥିବା ସମସ୍ତ ଲୋକଙ୍କୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ।

ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ସୋମବାରକ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାରଙ୍କ ତରଫରୁ ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ସରକାର ସମସ୍ତ ବିଭାଗକୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି।
ଏହା ବ୍ୟତୀତ ହରପାଲ ସିଂ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେ ନିର୍ବାଚନ ପ୍ରତିଶ୍ରୁତି ଅତି ଶୀଘ୍ର ପୂରଣ କରିଛୁ। ଏହି ସରକାର ୨୬୪୫୪ କର୍ମଚାରୀଙ୍କ ନୂତନ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏହି ପ୍ରକ୍ରିୟା ଆସନ୍ତା କିଛି ମାସ ମଧ୍ୟରେ ସମାପ୍ତ ହେବ। ଏହା ବ୍ୟତୀତ ୩୬,୦୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ସରକାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସାଙ୍ଗରୁର ଲୋକସଭା ଆସନର ଫଳାଫଳ ୨୬ ଜୁନ ରେ ଆସିଛି। ରାଜ୍ୟରେ ସରକାର ଗଠନ ହେବାର ମାତ୍ର ୩ ମାସ ମଧ୍ୟରେ ଆମ ଆଦମୀ ପାର୍ଟିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଇସ୍ତଫା ଦେଇ ଥିଲେ। ଉପ ନିର୍ବାଚନ ଫଳାଫଳ ସହ ଆମ ଆଦମୀ ପାର୍ଟି ଲୋକସଭାରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛି।

Share