‘ମୋତେ ମୁକ୍ତ କର’, ନିଜକୁ ଜେଲରୁ ମୁକ୍ତ କରିବାକୁ ଦାବି କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୮।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସଂଶୋଧିତ ଦୁର୍ନୀତି ନିବାରଣ ଆଇନ ଆଧାରରେ ଇମ୍ରାନ ଖାନ ତାଙ୍କୁ ୧୯କୋଟି ପାଉଣ୍ଡ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିବାକୁ କୋର୍ଟରେ ଆବେଦନ କରିଛନ୍ତି।
ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ୭୧ ବର୍ଷିୟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଆଇନରେ ସଂଶୋଧନକୁ ଚ୍ୟାଲେଞ୍ଜ କରିଛନ୍ତି। ତତ୍କାଳୀନ ପାକିସ୍ତାନ ଗଣତାନ୍ତ୍ରିକ ଆନ୍ଦୋଳନ ପାକିସ୍ତାନ ମୁସଲିମ ଲିଗ-ନୱାଜ ସରକାରଙ୍କ ନେତୃତ୍ୱରେ ୨୦୨୨ରେ ଏହି ଆଇନରେ ସଂଶୋଧନ କରିଥିଲା। ସୂଚନାଯୋଗ୍ୟ, ଇମ୍ରାନ ଖାନ ଗତ ବର୍ଷ ଅଗଷ୍ଟରୁ ଜେଲରେ ଅଛନ୍ତି।
ଗତ ବର୍ଷ ସେପ୍ଟେମ୍ବର ୧୫ରେ ସୁପ୍ରିମକୋର୍ଟର ବେଞ୍ଚ ନାବ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିଥିଲା। ତେବେ ଶୁକ୍ରବାର ପାକିସ୍ତାନର ପ୍ରଧାନ ବିଚାରପତି କାଜି ଫୈଜ ଇସାଙ୍କ ନେତୃତ୍ୱରେ ସର୍ବୋଚ୍ଚ ଅଦାଲତର ବେଞ୍ଚ ସରକାରଙ୍କ ସମୀକ୍ଷା ଆବେଦନକୁ ଦୃଷ୍ଟିରେ ରଖି ଏହି ସଂଶୋଧନଗୁଡ଼ିକୁ ପୁନଃ ସ୍ଥାପିତ କରିଛି।

ନାବ ଅଭିଯୋଗ କରିଛନ୍ତି ଯେ ଖାନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଡିସେମ୍ବର ୩, ୨୦୧୯ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅନୁମୋଦନ ପାଇଁ ଇମ୍ରାନ ଖାନ ତାଙ୍କ ଅଧିକାରର ଅପବ୍ୟବହାର କରିଥିବା ବ୍ୟୁରୋ ଅଭିଯୋଗ କରିଛି। ବ୍ୟୁରୋ କହିଛି ଯେ ଏହାର ପ୍ରତିବଦଳରେ ସେମାନେ ଅଲ-କାଦିର ୟୁନିଭରସିଟି ପ୍ରୋଜେକ୍ଟ ଟ୍ରଷ୍ଟକୁ ଦାନ ନାମରେ ତହସିଲ ସୋହୱାଠାରେ ପ୍ରାୟ ୪୫୮କେନାଲ ଜମି, ୨୮୫ ନିୟୁତ ପାକିସ୍ତାନୀ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଛନ୍ତି।

Share