Categories: ବାଣିଜ୍ୟ

ରଥଯାତ୍ରାରେ ଜେଏସ୍‌ପି ଫାଉଣ୍ଡେଶନର ମାଗଣା ଭୋଜନ

ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର’ ବା ଜେଏସ୍‌ପିର ସାମାଜିକ ପ୍ରତିଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖିଛି। ଏପରିକି ରଥଯାତ୍ରା ଅବସରରେ ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ଦେୟମୁକ୍ତ ଭୋଜନ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ୧୨ ଦିନିଆ ରଥଯାତ୍ରା ମହୋତ୍ସବରେ ୧୪.୨୬ ଲକ୍ଷରୁ ଅଧିକ ଦେୟମୁକ୍ତ ଭୋଜନ ବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୬ରୁ ଆରମ୍ଭକରି ସୁନାବେଶ ପର୍ଯ୍ୟନ୍ତ ଫାଉଣ୍ଡେଶନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟ ପୁରୀ ବସ୍‌ଷ୍ଟାଣ୍ଡଠାରେ ପ୍ରତିଦିନ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ଏ ସମ୍ପର୍କରେ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ ଜିନ୍ଦଲ କହିଛନ୍ତି, ରଥଯାତ୍ରା ଆଧ୍ୟାତ୍ମିକତା,ଭକ୍ତି ଓ ଏକତାର ପ୍ରତୀକ। ଏହି ପବିତ୍ର ରଥଯାତ୍ରାରେ ଖାଦ୍ୟ, ପାନୀୟ ଜଳ, ଓଆର୍‌ଏସ୍‌ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରି ଭକ୍ତଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ସେବା ଯୋଗାଇବାରେ ସହଯୋଗ ନିମନ୍ତେ ସେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ସେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଅସ୍ଥାୟୀ ରୋଷେଇଶାଳା ଏବଂ ଭୋଜନ ପରିବେଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଭକ୍ତମାନଙ୍କ ସେବା ପାଇଁ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଏବଂ ଜେଏସ୍‌ପିର କର୍ମଚାରୀ ଏହି କେନ୍ଦ୍ରରେ ନିଯୋଜିତ ହୋଇ ସଦ୍ୟ ପ୍ରସ୍ତୁତ ରନ୍ଧାଖାଦ୍ୟ ବଣ୍ଟନ କରୁଥିଲେ। ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନରେ ପରିଚ୍ଛନ୍ନତା ଏବଂ ନିରାପତ୍ତା ମାନଦଣ୍ଡ ପାଳନ ନିମନ୍ତେ ଫାଉଣ୍ଡେଶନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା। ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ସମଙ୍ଗ ପାର୍କିଂ ସ୍ଥଳରେ ମଧ୍ୟ ଏକ ସ୍ବତନ୍ତ୍ର ରୋଷେଇଶାଳ ଓ ଭୋଜନ ପରିବେଷଣ କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା।

Share