Categories: ଜାତୀୟ

ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣା ରାଶନ, ଯୋଗୀ ସରକାରଙ୍କ ଯୋଜନା…

ଲକ୍ଷ୍ନୌ, ୧୬।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟରେ ଆନନ୍ଦିତ ଭାଜପା ସରକାର ରାଜ୍ୟର ୧୫ କୋଟି ଗରିବ ଲୋକଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ, ନୂଆ ଭାଜପା ସରକାର ୨୦୨୪ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣା ରାଶନ ବଣ୍ଟନ ଯୋଜନାକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଖାଦ୍ୟ ଏବଂ ପରିବହନ ବିଭାଗ ଏହି ପ୍ରସଙ୍ଗରେ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛି ଏବଂ ଖୁବ ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଉତ୍ତରପ୍ରଦେଶରେ କରୋନା ମହାମାରୀ ସଙ୍କଟ ସମୟରେ, ଗରିବ ଲୋକଙ୍କୁ ମାଗଣା ରାଶନ ଯୋଗାଇବା ପାଇଁ ଏକ ଯୋଜନା ଆରମ୍ଭ ହୋଇଥିଲା ଯାହାକି ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ରଖିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ବିଧାନସଭା ନିର୍ବାଚନ ଏବଂ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆୟ ଉପରେ ହେଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ମାର୍ଚ୍ଚ ୨୦୨୨ ଶେଷ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରଖିବାକୁ ଘୋଷଣା କରିଥିଲେ।

ଏହି ଯୋଜନା ଅନ୍ତର୍ଗତ ରାଜ୍ୟ ସରକାର ଆନ୍ତୋଦୟ କାର୍ଡଧାରୀଙ୍କୁ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଏବଂ ଯୋଗ୍ୟ ଗୃହସ୍ଥି କାର୍ଡଧାରୀଙ୍କୁ ତିନି କିଲୋଗ୍ରାମ ଗହମ ଏବଂ ଦୁଇ କିଲୋଗ୍ରାମ ଚାଉଳ ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ଏକ ଲିଟର ତେଲ, ଏକ କିଲୋଗ୍ରାମ ଚଣା ଏବଂ ଲୁଣ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ପୁନର୍ବାର ବିଜୟ ପଛରେ ମାଗଣା ରାଶନ ଯୋଜନାର ମଧ୍ୟ ଏକ ବଡ଼ ହାତ ରହିଛି ବୋଲି ବିବେଚନା କରାଯାଉଛି। ତେଣୁ ଲୋକସଭା ନିର୍ବାଚନ ୨୦୨୪ ପର୍ଯ୍ୟନ୍ତ ଭାଜପା ଏହି ଯୋଜନାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି।

Share