ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ମିଳିତ ଲକ୍ଷ୍ୟ ହାସଲ ଦିଗରେ ଏକତ୍ର କାର୍ଯ୍ୟ କରିବା ଏବଂ ଆତଙ୍କବାଦ ବିରୋଧରେ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଲାଗି ସଂକଳ୍ପ ନେଇଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ନରେ ଅନୁଷ୍ଠିତ ଏହି ବୈଠକରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନିଓ ବ୍ଲିଙ୍କେନ୍‌, ଜାପାନ ବହିର୍ବ୍ୟାପାର ମନ୍ତ୍ରୀ ୟୋଶିମାସା ହାୟାଶି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମାରିସ୍‌ ପାଏନ୍‌ ଯୋଗଦେଇଥିଲେ। ଉଦାରତା, ଜାତୀୟ ସାର୍ବଭୌମତ୍ୱର ସୁରକ୍ଷା ଏବଂ ନିୟମର ପାଳନ ତଥା ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ନୀତିକୁ ସମର୍ଥନ ଜାରି ରହିବ ବୋଲି କ୍ୱାଡ୍‌ ବିଦେଶ ମନ୍ତ୍ରୀମାନେ ପୁନର୍ବାର ସୁନିଶ୍ଚିତ କରିଥିବା ବୈଠକ ଶେଷରେ ଗଣମାଧ୍ୟମକୁ ମିଳିତ ବିବୃତି ଦେଇ ପାଏନ୍‌ କହିଛନ୍ତି। ଏହା ଚାଇନାକୁ ଏକ ବାର୍ତ୍ତା ଭଳି ପ୍ରତୀୟମାନ ହେଉଛି। ସାରା ବିଶ୍ୱର ଭଲ ପାଇଁ ଏବଂ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ଦିଗରେ କ୍ୱାଡ୍‌ ଏକ ଶକ୍ତି ଭାବେ କାର୍ଯ୍ୟ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ମୁକ୍ତ, ଅବାଧ ଓ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମର ମିଳିତ ସ୍ବପ୍ନକୁ ବଢ଼ାଇବା ନିମନ୍ତେ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ଉକ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧି ଦିଗରେ ଏକାଠି କାର୍ଯ୍ୟ କରିବା ଲାଗି କ୍ୱାଡ୍‌ ସଦସ୍ୟ ରାଷ୍ଟ୍ରମାନେ ଆଗ୍ରହୀ ଥିବା ଜୟଶଙ୍କର ସୂଚନା ଦେଇଛନ୍ତି।
ବୈଠକରେ କୋଭିଡ୍‌ ମହାମାରୀର ମୁକାବିଲା ପାଇଁ କ୍ୱାଡ୍‌ ରାଷ୍ଟ୍ରଗୁଡ଼ିକର ଉଦ୍ୟମ ଉପରେ ସମୀକ୍ଷା ହୋଇଥିଲା। ନିରାପଦ ଓ ସୁଲଭ ମୂଲ୍ୟରେ ଟିକା ଯୋଗାଣକୁ ତ୍ୱରାନ୍ବିତ କରାଇବା, ସାମର୍ଥ୍ୟ ବୃଦ୍ଧିରେ ସହଯୋଗ ଏବଂ ଭିତ୍ତିଭୂମି ବିକାଶ ପାଇଁ ବହିର୍ବ୍ୟାପାର ମନ୍ତ୍ରୀମାନେ ସହମତ ହୋଇଥିଲେ। ଆଲୋଚନା ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀମାନେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଭେଟିଥିଲେ। ଶନିବାର ଜୟଶଙ୍କର ଏବଂ ପାଏନ୍‌ଙ୍କ ମିଳିତ ଅଧ୍ୟକ୍ଷତାରେ ଦ୍ୱାଦଶ ଭାରତ-ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।

Share