Categories: ଜାତୀୟ

ମାଗଣା ଚାଉଳ-ଗହମ ରାଜନୀତି: ବିହାରରେ ୫ ମାସରେ ସାଢ଼େ ୮କୋଟି ଗରିବ ହେବେ ଉପକୃତ

ପାଟନା, ୨।୭: ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବେ ରାଜ୍ୟରେ ଏନଡିଏ ମେଣ୍ଟ କ୍ଷମତାରରେ ରହିଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ନିର୍ବାଚନ ଲଢ଼ିବାରେ ଯୋଜନା କରିଛି। ତେବେ ଆସନ ଭାଗବଣ୍ଟା ନେଇ ଭାଜପା ଏବଂ ଜେଡିୟୁ ମଧ୍ୟରେ ମନାନ୍ତର ହେବାର ଆଶଙ୍କା ନ ଥିଲେ ମଧ୍ୟ ରାମବିଳାସ ପାଶଓ୍ବାନଙ୍କ ଏଲ୍‌ଜେପି ଆସନ ବୁଝାମଣାରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ୪୦ ଆସନ ଦାବି କରିଛନ୍ତି। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣା ଚାଉଳ ଏବଂ ଗହମ ରାଜନୀତି ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଦେଶରେ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ପ୍ରତିମାସରେ ରାଶନ କାର୍ଡ ଥିବା ଗରିବ ପରିବାରକୁ ଜଣ ପିଛା ୫ କିଲୋ ଚାଉଳ ଅବା ଗହମ ଏବଂ ଏକ କିଲୋ ଡାଲି ଯୋଗାଇ ଦିଆଯିବ। ଏହା ଦ୍ୱାରା ଦେଶର ୮୦ କୋଟିରୁ ଅଧିକ ଗରିବ ଉପକୃତ ହେବେ। ଏହି ଯୋଜନାରେ ଲକ୍ଷେ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ପାଖରେ ବର୍ତ୍ତମାନ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ୧୫ ମାସ ପାଇଁ ବଣ୍ଟା ଯାଇପାରିବ। ଏହି ଯୋଜନାରେ ବିହାରର ଆଗାମୀ ୫ ମାସ ମଧ୍ୟରେ ସାଢ଼େ ୮ କୋଟିରୁ ଅଧିକ ଗରିବ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନିଜର ୧୬ ମିନିଟର ଭାଷଣରେ ବିହାରକୁ ଗୁରୁତ୍ୱ ଦେଉଥିବାର ଦେଖିବାକୁ ମିଳିଥିଲା। ସେ ଛଟ୍‌ ଲୋକପର୍ବର ସମ୍ପର୍କରେ ଦୁଇଥର କହିଥିଲେ। ଯୋଜନା ଦେଶ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ବିହାରର ବିଧାନସଭା ନିର୍ବାଚନ ମୁଖ୍ୟ ଉଦ୍ଦେଶ୍ୟ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share