ରାଜ୍ୟର ଲକ୍ଷେ ୭୮ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍‌

ଚଣ୍ଡିଗଡ଼, ୮।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟର ଲକ୍ଷେ ୭୮ ହଜାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ସ୍ମାର୍ଟଫୋନ୍‌ ବଣ୍ଟନ ପାଇଁ ସରକାର ଯୋଜନା କରିଛନ୍ତି। ଏହାର ଶୁଭାରମ୍ଭ ଅଗଷ୍ଟ ୮ରୁ କରାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଯେଉଁ ଛାତ୍ରୀଛାତ୍ରଙ୍କର ସ୍ମାର୍ଟଫୋନ୍‌ ନାହିଁ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ସ୍ମାର୍ଟଫୋନ୍‌ ବଣ୍ଟନ କରାଯିବ। ଏହାପରେ ଅବଶିଷ୍ଟ ସ୍ମାର୍ଟଫୋନ୍‌କୁ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ। ନଭେମ୍ବର ସୁଦ୍ଧା ସ୍ମାର୍ଟଫୋନ୍‌ ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି।

Share