ଓ୍ବାଶିଂଟନ, ୨୫।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡୋମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବିଡେନ୍ଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ବିଡେନ୍ ଟ୍ରମ୍ପ୍ଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଆମେରିକା ଲୋକେ କରୋନା ଭୂତାଣୁ ସହିତ ବଞ୍ଚିବା ନୁହେଁ ମରିବା ଶିଖୁଛନ୍ତି। ଏହା ଟ୍ରମ୍ପ୍ଙ୍କ ଯୋଗୁ ହୋଇଥିବା ସେ ଦେଲାଓ୍ବାରେଠାରେ ଉଦ୍ବୋଧନ ଦେଇ ଅଭିଯୋଗ କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ରୋକିବାରେ ଟ୍ରମ୍ପ୍ ବିଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି। ନିର୍ବାଚନରେ ବିଜୟୀ ହେଲେ ପ୍ରତ୍ୟେକ ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ବିଡେନ୍ କହିଛନ୍ତି। ଆମେରିକାରେ କରୋନା ସଂକ୍ରମଣ ଯୋଗୁ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ପୃଥିବୀର ମୋଟ କରୋନା ମୃତ୍ୟୁର ଏକ-ପଞ୍ଚମାଂଶ। କ୍ଷମତାକୁ ଆସିଲେ ପ୍ରଥମେ ଜାତୀୟ ରଣନୀତି ପ୍ରସ୍ତୁତ କରାଯାଇ ଦେଶବାସୀଙ୍କୁ ପ୍ରଥମେ ମହାମାରୀ କରୋନାରୁ ମୁକ୍ତ କରାଯିବ ବୋଲି ବିଡେନ୍ ଏହି ଅବସରରେ କହିଛନ୍ତି। ଜାନୁୟାରୀରେ ନୂଆ କଂଗ୍ରେସରେ ଏନେଇ ବିଲ୍ ଅଣାଯିବ ଓ ଜନସ୍ବାସ୍ଥ୍ୟ, ଆର୍ଥତ୍କ ପ୍ରଗତିକୁ ଅଗ୍ରାଧିକାର ଦିଆଯିବ। ସବୁଲୋକ ଯେପରି ଟିକା ସୁବିଧା ପାଇବେ, ତାକୁ ଗୁରୁତ୍ୱ ଦିଆଯିବ। ବିଭିନ୍ନ ଗଭର୍ନରଙ୍କ ସହ ଯୋଗାଯୋଗ କରାଯାଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ମାସ୍କ ପିନ୍ଧିବା ଦ୍ୱାରା ଜୀବନ ବଞ୍ଚିଥାଏ। ଏଥିସହ ଜାତୀୟ ପରୀକ୍ଷା ପଦ୍ଧତିକୁ ଅଧିକ ବିକଶିତ କରାଯିବ ବୋଲି ବିଡେନ୍ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ବିଫଳ ରଣନୀତି ଦେଶର ଅର୍ଥନୀତିକୁ ଧ୍ୱଂସ କରିଥିବା ସେ ମତ ଦେଇଛନ୍ତି। ପ୍ରକାଶଥାଉ କି, କରୋନା ସହ ବଞ୍ଚିବା ଶିକ୍ଷାକରିବା ଉଚିତ ବୋଲି ଟ୍ରମ୍ପ କହିଥିଲେ।