ଭଣ୍ଡାରିପୋଖରୀ,୨୦।୧ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ଦାସ (୯୩)ଙ୍କ ଗୁରୁବାର ଅପରାହ୍ନରେ ସରସଦା ପଞ୍ଚାୟତ ପିରିପୁର ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ଝିଅ, ପୁଅ, ଜ୍ୱାଇଁ, ନାତୁଣୀ, ନାତି, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେ ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାଶାୟୀ ଥିଲେ। ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ବଡ଼ପୁଅ ହୃଷୀକେଶ ମୁଖାଗ୍ନି ଦେଇଥିଲେ।
ଶଶିଭୂଷଣ ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରିପୋଖରୀ ଥାନାପୋଡ଼ିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସଂଗ୍ରାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲ୍ୟ ଶିକ୍ଷାକୁ ପଛରେ ପକାଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ନାବାଳକ ଥିବାରୁ ଗିରଫଦାରିରୁ ବର୍ତ୍ତି ଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଣବନ୍ଦୀ ସଂଗ୍ରାମୀ ଭାବେ ତାଙ୍କୁ ମାନ୍ୟତା ପ୍ରଦାନ କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସାମାଜିକ କର୍ମୀ ବଦ୍ରିନାରାୟଣ ଧଳ, ଡମ୍ବରୁଧର ବେହେରା, ରାମଚନ୍ଦ୍ର ସେନାପତି ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।