Categories: ଜାତୀୟ

ଦେଶରେ ସ୍ବାଧୀନତାକୁ ଦମନ କରାଯାଇଛି: ଚିଦାମ୍ବରମ…

ନୂଆଦିଲ୍ଲୀ,୬।୮ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ ସାରା ଭାରତରେ ସ୍ବାଧୀନତାକୁ ଦମନ କରାଯାଇଛି। କେବଳ ଏତିକି ନୁହେଁ ୟୁନିଅନ ଟେରିଟୋରୀରେ ମଧ୍ୟ ଅତ୍ୟଧିକ ଦମନ ହେଉଛି।

ଉଲ୍ଲେଖନୀୟ କଥା ହେଉଛି, ଧାରା ୩୭୦ ରଦ୍ଦ ହେବାର ବାର୍ଷିକୀ ଅବସରରେ ସରକାର ଶନିବାର କହିଛନ୍ତି ଏହି ଐତିହାସିକ ନିଷ୍ପତ୍ତି ଜମ୍ମୁ-କଶ୍ମୀରରେ ଶାନ୍ତି ଏବଂ ବିକାଶ ଆଣିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ କହିଥିଲେ ଧାରା ୩୭୦ ରଦ୍ଦ ହେବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଜମ୍ମୁ-କଶ୍ମୀରର ସାଧାରଣ ଲୋକ ନିଜ ପସନ୍ଦ ଅନୁଯାୟୀ ଜୀବନ ବିତାଉଛନ୍ତି।

ଏହାର ପ୍ରତିବାଦ କରି ଚିଦାମ୍ବରମ ପଚାରିଛନ୍ତି ଜମ୍ମୁ-କଶ୍ମୀରରେ ଯଦି ଶାନ୍ତି ଅଛି, ତେବେ ସରକାର ମେହବୁବା ମୁଫତିଙ୍କୁ କାହିଁକି ନଜର ବନ୍ଦୀ କରି ରଖିଛନ୍ତି? ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଏବଂ ନ୍ୟାଶନାଲ କନଫରେନ୍ସର କାର୍ଯ୍ୟାଳୟକୁ କାହିଁକି ସିଲ କରାଯାଇଛି? ସେ ଅଭିଯୋଗ କରିଛନ୍ତି ସମଗ୍ର ଭାରତରେ ସ୍ବାଧୀନତା ଦମନ କରାଯାଉଛି, କିନ୍ତୁ ଜମ୍ମୁ-କଶ୍ମୀରରେ ଅତ୍ୟଧିକ ଭାବେ ଦମନ କରାଯାଇଛି।

Share