ଟୁଇଟର୍‌ରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରହିବା ଜରୁରୀ: ଜାତିସଂଘ ମହାସଚିବ

ନ୍ୟୁୟର୍କ,୨୦।୧୨: ବିଶ୍ୱ ଖବର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଥିବା ମାଇକ୍ରୋ-ବ୍ଲଗିଂ ସାଇଟ ଟୁଇଟର୍‌ ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍‌ର ନୂତନ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଏବେ ଟୁଇଟର୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ କିଛି ସାମ୍ବାଦିକଙ୍କ ଆକାଉଣ୍ଟ ସସ୍‌ପେଣ୍ଡ ଏବଂ ସମାଲୋଚନା ପରେ ଏହାକୁ ଟୁଇଟର ଦ୍ୱାରା ପ୍ରତ୍ୟାହାର କରାଯିବାକୁ ନେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ଟୁଇଟର ମାଲିକ ଏଲନ ମସ୍କଙ୍କ ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଜାତିସଂଘର ମୁଖ୍ୟ କହିଛନ୍ତି, କାହା ହାତରେ ଟୁଇଟର୍‌ର ପରିଚାଳନା ଅଛି, ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ଘୃଣା ବକ୍ତବ୍ୟ ବନ୍ଦ କରିବା ଏବଂ ଏହି ସାଇଟରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରଖିବା ଜରୁରୀ ଅଟେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ସେ ଏହା କହିଛନ୍ତି।
ନିକଟରେ ମସ୍କ ଏକ ସର୍ଭେରେ ୫୧ ବର୍ଷୀୟ ଏଲନ ମସ୍କ ତାଙ୍କର ୧୨୨ ନିୟୁତ ଫଲୋଅର୍ସଙ୍କୁ ପଚାରିଛନ୍ତି, ସେ ଟୁଇଟର୍‌ର ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି? ସର୍ଭେରେ ୫୭.୫ ପ୍ରତିଶତ ଲୋକ ‘ହଁ’ ଭୋଟ ଦେଇଛନ୍ତି।

Share