ଗଣମାଧ୍ୟମର ସ୍ୱାଧୀନତା

ସମ୍ବିଧାନ ପ୍ରଦତ୍ତ ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାରକୁ ଅଧିକ ଶାଣିତ ଓ ମାର୍ଜିତ କରିବାର ଏକ ସଶକ୍ତ ଆଧାର ହେଉଛି ଗଣମାଧ୍ୟମ। ତେଣୁ ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ବ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଭାରତ ଭଳି ସର୍ବବୃହତ୍‌ ଗଣତନ୍ତ୍ରରେ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି ଗଣମାଧ୍ୟମର ସ୍ୱାଧୀନତା।
ଏହାକୁ ଅସ୍ବୀକାର କରିବା ପାଇଁ ସରକାର ଯେତେ ବାହାନା କଲେ ବି ପ୍ରକୃତ ତଥ୍ୟ ଏବେ ଖୋଲିଦେଇଛି ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ। ସଦ୍ୟ (ତା୩.୫.୨୦୨୩ରିଖ) ପ୍ରକାଶିତ ଏହି ସୂଚକାଙ୍କ (୨୧ତମ ସଂସ୍କରଣ) ଅନୁସାରେ ୧୮୦ଟି ଦେଶ ମଧ୍ୟରେ ଭାରତ ରହିଛି ୧୬୧ ତମ ସ୍ଥାନରେ। ୨୦୨୧ରେ ୧୪୨ ତମ ସ୍ଥାନରେ ଥିବା ଭାରତ ୨୦୨୨ରେ ୮ଟି ସ୍ଥାନ ତଳକୁ ଖସି ପହଞ୍ଚିଥିଲା ୧୫୦ ତମ ସ୍ଥାନରେ। ଏଥର ଆଉ ୧୧ଟି ସ୍ଥାନ ତଳକୁ ଖସି ପ୍ରମାଣକଲା ଯେ ସ୍ବାଧୀନ ଭାବରେ କାମ କରିବାକୁ ଚାହୁଁଥିବା ସାମ୍ବାଦିକଙ୍କ ପାଇଁ ଭାରତ ଏବେ ପୃଥିବୀର ସବୁଠାରୁ ବିପଜ୍ଜନକ ରାଷ୍ଟ୍ର ମଧ୍ୟରେ ଅନ୍ୟତମ।
ଆଧୁନିକ ମଣିଷ ଖବରଭୋକୀ। ଖବର ତା’ର ଏକ ଜରୁରୀ ଆବଶ୍ୟକତା। ସକାଳେ ବିଛଣା ଛାଡ଼ିବା ମାତ୍ରେ ସେ ଖୋଜେ ଖବର। ଖାଦ୍ୟ,ବସ୍ତ୍ର ଓ ବାସ ପରି ଖବର ପାଲଟିଯାଇଛି ତା’ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ। ଆବଶ୍ୟକତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଜାରି ରଖୁଛି ୨୪ ଘଣ୍ଟିଆ ଖବର ପ୍ରସାରଣ। ଆଗେ ଗଣମାଧ୍ୟମ କହିଲେ ଲୋକେ ବୁଝୁଥିଲେ ସମ୍ବାଦପତ୍ର। ଏବେ ତା’ର ସ୍ଥାନ ନେଇଛି ବୈଦ୍ୟୁତିକ ଗଣମାଧ୍ୟମ। ବିଜୁଳି ବେଗରେ ଆଜି ଖବର ଗତି କରୁଛି ଏବଂ ମୁହୂର୍ତ୍ତକେ ପରିକ୍ରମା କରୁଛି ସାରା ବିଶ୍ବ। ଗଣମାଧ୍ୟମକୁ ଆଶ୍ରାକରି ଦେଶ ବିଦେଶରେ ବେପାର ବଣିଜ ଚାଲୁଛି ଏବଂ ଆଗପଛ ହେଉଛି ବିଶ୍ବ ଅର୍ଥନୀତି। କେବଳ ଅର୍ଥନୀତି ନୁହେଁ, ଖବର ସାହାଯ୍ୟରେ ଶାସନ ଚାଲୁଛି ଓ ସୃଷ୍ଟି ହେଉଛି ଜନମତ। ଗଣମାଧ୍ୟମ କାହାକୁ କେତେବେଳେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଦେଉଛି ତ କାହା ଧଳା ପୋଷାକରେ ଲଗାଇ ଦେଉଛି ଅପବାଦର କଳାଛିଟା। ସତରେ ବଡ଼ ବଳବାନ୍‌ ଏ ଗଣମାଧ୍ୟମ। କିନ୍ତୁ ଗଣମାଧ୍ୟମ ଆହୁରି ବଳବାନ୍‌ ଗଣମାଧ୍ୟମକୁ ଅକ୍ତିଆରକରି ରଖିଥିବା ରାଜନେତା ବା କର୍ପୋରେଟ ସଂସ୍ଥାଗୁଡ଼ିକ ।
ଏମାନେ ମିଶାଣ ଫେଡ଼ାଣ କରି ଗଣତନ୍ତ୍ରର ଗଣିତ କଷନ୍ତି ଏବଂ ସରକାରଙ୍କୁ ଖୁସି କରିବା ପାଇଁ ବିନା ମେଘରେ ସୃଷ୍ଟି କରିପାରନ୍ତି ବଜ୍ରପାତ।
ଆଗେ ସତ୍ୟ ଓ ନିରପେକ୍ଷତା ଥିଲା ସାମ୍ବାଦିକତାର ଧର୍ମ । ବିଶ୍ବସନୀୟତା ଥିଲା ତା’ର ଅସଲ ପୁଞ୍ଜି। ଏକ ବୈଚାରିକ ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ଗଣମାଧ୍ୟମକୁ କୌଣସି ପରିସ୍ଥିତିରେ କକ୍ଷ୍ୟଚ୍ୟୁତ କରିପାରୁ ନ ଥିଲା ନେତୃତ୍ୱର ପ୍ରଭାବ ଓ ପ୍ରଲୋଭନ। ସେତେବେଳେ ଏଭଳି ସତ୍ୟନିଷ୍ଠ ସାମ୍ବାଦିକତାର କଣ୍ଠରୋଧ ପାଇଁ କ୍ଷମତାତନ୍ତ୍ର ପକ୍ଷରୁ ପ୍ରୟାସ ଯେ ହୋଇନାହିଁ ତା’ ନୁହେଁ, ମାତ୍ର ଏଥିରେ ଦବିଯିବା ପରିବର୍ତ୍ତେ ନେତୃତ୍ୱର ଗଣବିରୋଧୀ ଆଭିମୁଖ୍ୟ ବିରୋଧରେ ଅଧିକ ଶାଣିତ ହୋଇଉଠିଥିଲା ଗଣମାଧ୍ୟମର ସ୍ବର। ଏହି ନିର୍ଭୀକତା ଓ ସତ୍ୟଶୀଳତା ପାଇଁ ଜାତୀୟତା ଓ ସାମ୍ବାଦିକତା ଏକାର୍ଥବାଚକ ଶବ୍ଦ ପରି ଲାଗୁଥିଲା ଏବଂ ସାମ୍ବାଦିକତା ଥିଲା ଏକ ସମ୍ମାନଜନକ ବୃତ୍ତି।
ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ପ୍ରେସ୍‌ କାଉନସିଲର ଅଧ୍ୟକ୍ଷ ଜଷ୍ଟିସ୍‌ ଚନ୍ଦ୍ରମୋଳିଙ୍କ ମତରେ ତାକୁ ହିଁ ଗଣମାଧ୍ୟମ କୁହାଯାଏ, ଯିଏ ଖବର ସଂଗ୍ରହକରେ, ପରଖେ, ପରିବେଷଣ କରେ ଏବଂ ନିଜେ ଉତ୍ତରଦାୟୀ ରହେ ତା’ର ସତ୍ୟତା ପାଖରେ। ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱାଲଙ୍କ ମତରେ ‘ଖବର ସେତେବେଳେ ପ୍ରଭାବଶାଳୀ ହୁଏ, ଯେତେବେଳେ ସେ ସତ୍ୟ ଓ ନିରପେକ୍ଷତାକୁ ଜାବୁଡ଼ିଧରେ ଶିଶୁଟିଏ ତା’ ମା’ର ବକ୍ଷକୁ ଜାବୁଡ଼ି ଧରିଲା ପରି। ମାତ୍ର ଗଣମାଧ୍ୟମ ଯେଉଁଠି କ୍ଷମତା ପାଖରେ ମୁଣ୍ଡ ବିକିଦିଏ ବା ଅପରାଧୀ ହାତର ଖେଳଣା ହୋଇଯାଏ, ସେଠାରେ ସେ ଆଉ ଗଣଚେତନାର ନିୟାମକ ହୋଇ ରହେନି କି ତା’ ପାଇଁ କୌଣସି ମୂଲ୍ୟ ବହନ କରେନି ସାମ୍ବାଦିକତାର ନୀତି ଓ ଆଦର୍ଶ। ଜନମତର ଅଂଶ ହେବା ପରିବର୍ତ୍ତେ ସେ ହୋଇଯାଏ କ୍ଷମତାତନ୍ତ୍ରର ଅଙ୍ଗ। ଏହି କାରଣରୁ ଦେଶର ଅଳ୍ପ କେତୋଟି ଗଣମାଧ୍ୟମକୁ ଛାଡ଼ିଦେଲେ ବାକିସବୁ ଏବେ ଆଜ୍ଞାଧୀନ। ଲାଭକ୍ଷତିର ହିସାବ ନିକାଶ ଭିତରେ ପ୍ରତି ମୁହୂର୍ତ୍ତରେ ବଳିପଡୁଛି ସତ୍ୟ ଓ ନିରପେକ୍ଷତା। ନକଲି ଖବରର ନିର୍ଲଜ ବେପାର ପାଇଁ ଆବଶ୍ୟକ ହେଉଛି ପ୍ରାୟୋଜିତ ଘଟଣା ଅର୍ଥାତ୍‌ ଲୋକେ କ’ଣ ଜାଣିବେ ସେକଥା ସ୍ଥିର କରାଯାଉଛି ନିର୍ଦ୍ଦିଷ୍ଟ ବିଚାରଧାରା ଆଧାରରେ। ଗଣମାଧ୍ୟମର ଏହି ଗଣବିରୋଧୀ ଆଭିମୁଖ୍ୟକୁ ଲକ୍ଷ୍ୟକରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ଷୋଭର ସହ କହିଥିଲେ, ସାମ୍ବାଦିକତା ଜଗତ ପାଇଁ ଏବେ ଏକ ଆତଙ୍କ ହୋଇ ଉଭା ହୋଇଛି ନକଲି ଖବର। ବାସ୍ତବରେ ଲୋକଙ୍କୁ ଏଠି ଭୁଆଁ ବୁଲେଇବା ପାଇଁ ତିଆରି ହେଉଛି ଗୋଟେ ପରେ ଗୋଟେ ମନଗଢ଼ା କାହାଣୀ ଓ ପରିସଂଖ୍ୟାନ ଭେଳିକି।
ଏହି କାରଣରୁ ବେଳେବେଳେ ଭିନ୍ନ ଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ପ୍ରକାଶିତ ଘଟଣାର ବିବରଣୀ ଓ ପରିସଂଖ୍ୟାନରେ ରହୁନି ତାଳମେଳ। ବିଚରା ସାଧାରଣ ଲୋକଟି ବୁଝି ପାରୁନାହିଁ କିଏ ସତ ଓ କିଏ ମିଛ। କେଉଁଟା ତା’ ପାଇଁ ଖବର ଓ କେଉଁଟା ଅଖବର। ଆଗେ କ୍ଷମତାକୁ ବିରୋଧ କରିବା ଥିଲା ସାମ୍ବାଦିକତାର ମୌଳିକ ଧର୍ମ। ଏବେ କର୍ପୋରେଟ ପରିଚାଳିତ ଗଣମାଧ୍ୟମ ସଂସ୍ଥାରେ ସ୍ତାବକତାକୁ ମାନଦଣ୍ଡ କରି ମପାଯାଉଛି ସାମ୍ବାଦିକର ଦକ୍ଷତା। ଗଣମାଧ୍ୟମର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ଖବର ଦେବା ଓ ସମସ୍ତଙ୍କଠାରୁ ଖବର ନେବା। ମାତ୍ର ନିଜସ୍ବ ବିଚାରଧାରା ସହିତ ଖବରକୁ ମିଶ୍ରଣକରି ପରିବେଷଣ କରିବା ଗଣତନ୍ତ୍ର ପାଇଁ ଖୁବ୍‌ ବିପଜ୍ଜନକ। ସେହି ନିନ୍ଦନୀୟ ଅଭ୍ୟାସ ପାଇଁ ଆହତ ହେଉଛି ଖବରର ସତ୍ୟତା। ବିଚରା ସାମ୍ବାଦିକ ଏଠି ନିମିତ୍ତ ମାତ୍ର। ସେ ସତ୍ୟର ପକ୍ଷ ନେଇ ଠିଆହୋଇପାରୁନି କି ଚାହିଁଲେ ଉଠେଇପାରୁନି ଆର୍ଥିକ ଅସମତା, ବେକାରି, ଆକାଶଛୁଆଁ ଦରଦାମ, ଧାର୍ମିକ ଓ ଜାତିଆଣ ହିଂସା, କୃଷି ସଙ୍କଟ, ପରିବେଶ ଦୋହନ ଓ କର୍ପୋରେଟ ଶୋଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସର୍ବୋଚ୍ଚ ନ୍ୟାଯାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରମନାଙ୍କ ମନ୍ତବ୍ୟ ଅନୁସାରେ ‘ସାମ୍ବାଦିକମାନଙ୍କ ଆତ୍ମସମ୍ମାନର ଅଖଣ୍ଡତା ଆଜି ଅଗ୍ନିପରୀକ୍ଷାର ସମ୍ମୁଖୀନ’।
ସତ୍ୟନିଷ୍ଠ ସାମ୍ବାଦିକତା ସହିତ ସ୍ବାଧୀନତାର ପ୍ରଶ୍ନ ଓତପ୍ରୋତ ଭାବେ ଜଡ଼ିତ। ମାତ୍ର ସତ୍ୟନିଷ୍ଠ ସାମ୍ବାଦିକତା ବିରୋଧରେ ଦିନକୁ ଦିନ ବଢୁଛି ରାଜନୈତିକ ଆକ୍ରୋଶ। କେନ୍ଦ୍ରର ଅଚ୍ଛେଦିନ୍‌ର ସରକାର ହେଉ କି ରାଜ୍ୟର ସ୍ଥିର ସରକାର ହେଉ ସବୁ ସରକାରଙ୍କ ଛତ୍ରଛାୟା ତଳେ ଚାଲିଛି ଗଣମାଧ୍ୟମର କଣ୍ଠରୋଧ। ଏହାଦ୍ବାରା ବିପନ୍ନ ହେଉଛି ଗଣମାଧ୍ୟମର ସ୍ବାଧୀନତା।
ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନକରି ଅତୀତରେ ଜୀବନ ଦେଇଛନ୍ତି ଅନେକ ସାମ୍ବାଦିକ। ଆଜି ବି ସେମିତି ଉତ୍ସର୍ଗୀକୃତ ସାମ୍ବାଦିକ ଅଛନ୍ତି, ମାତ୍ର ସେମାନଙ୍କ ହାତରୁ କଲମ ଛଡ଼େଇନେବା ପାଇଁ ଅହରହ ତିଆରି ଚାଲିଛି କୌଶଳପୂର୍ଣ୍ଣ ଚକ୍ରାନ୍ତ। ନିକଟରେ ସେଭଳି ଚକ୍ରାନ୍ତର ଶିକାର ହୋଇ ଏନ୍‌ଡିଟିଭି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ମାଗାସେସେ ବିଜେତା ରବିଶ କୁମାର। ଦେଶର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ଯେତେବେଳେ ଅନ୍ଧ ଭାବରେ ସରକାରଙ୍କ ସ୍ତୁତିଗାନ କରୁଥିଲେ, ସେତେବେଳେ ସେ ସାଧାରଣ ଲୋକଙ୍କ ସ୍ବରକୁ ପ୍ରକାଶ କରୁଥିଲେ ଖୁବ୍‌ ପ୍ରଭାବୀ ଢଙ୍ଗରେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ମୁକ୍ତ ଚିନ୍ତାର ବାତାବରଣ ସୃଷ୍ଟିକରେ ସ୍ବାଧୀନଚେତା ଗଣମାଧ୍ୟମ। ଲୋକଙ୍କ ସ୍ବାଧୀନ ମତ ନିର୍ମାଣ ପାଇଁ ଏହା ଏକାନ୍ତ ଆବଶ୍ୟକ। କ୍ଷମତାକୁ ପ୍ରଶ୍ନ ପଚାରିବା ନାଗରିକର ଏକ ମୌଳିକ ଅଧିକାର। ସେ ଅଧିକାରକୁ ଅସ୍ବୀକାର କରିବା ଅର୍ଥ ଗଣତନ୍ତ୍ରର କଣ୍ଠରୋଧ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ଅବସରପ୍ରାପ୍ତ ଅଧ୍ୟକ୍ଷ,
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ-୬୩୭୧୬୪୨୪୬୪