ଅମ୍ବାଦଳା ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଅମ୍ବାଦଳା, ୧୮ା୬ (ରବୀନ୍ଦ୍ର ପଣ୍ଡା) ବାଲେଶ୍ୱର ଜିଲା ବାହାନଗାଠାରେ ୩ ଟ୍ରେନ୍‌ ଦୁର୍ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବାବେଳେ ଏବେ ବାରମ୍ବାର ରେଳ ଦୁର୍ଘଟଣା ଯାତ୍ରୀଙ୍କୁ ଭୟଭୀତ କରିଛି। ଶନିବାର ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନ ନିକଟରେ ଆଉ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ପ୍ରାୟ ୯ଟା ୩୦ ମିନିଟ୍‌ରେ ଟ୍ରେନ୍‌ଟି ଅମ୍ବାଦଳା ଷ୍ଟେଶନରୁ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନା ଅଭିମୁଖେ ବକ୍ସାଇଟ ନେଇ ଯାଉଥିବାବେଳେ ୪ଟି ୱାଗନ ଲାଇନଚ୍ୟୁତ ହୋଇ ରେଳଧାରଣାରୁ ତଳକୁ ଖସି ପଡ଼ିଥିଲା। ଫଳରେ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ରାୟଗଡ଼ା ଓ ଟିଟିଲାଗଡ଼ରୁ ବୈଷୟିକ ଟିମ୍‌ ପହଞ୍ଚତ୍ ଧାରଣାର ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ରେଳ ଧାରଣାରେ ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବାଲେଶ୍ୱର ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣା ପରେ ବି ବିଭାଗୀୟ ଅଧିକାରୀମାନଙ୍କର ଚେତା ପଶୁ ନ ଥିବା ଚର୍ଚ୍ଚା ହେଉଛି। କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଏବଂ ଧାରଣାର ତଦାରଖ କାର୍ଯ୍ୟରେ ଅବହେଳା ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ପ୍ରକାଶ ଥାଉକି, ନିକଟ ଅତୀତରେ ମଧ୍ୟ ଅମ୍ବାଦଳା ଷ୍ଟେଶନ ପରିସରରେ ବେଦାନ୍ତର ଏକ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା ।