ରାଉରକେଲା, ୬ା୧(ସଙ୍ଗୀତା ଜେନା): ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଷ୍ଟେଶନ ନିକଟରେ ବୁଧବାର ସକାଳ ପ୍ରାୟ ୬ଟାରେ ଟ୍ରେନ ଦୁର୍ଘଟଣା ଘଟିଛି। ମାଲଗୋଦାମ ଏଫ୍ସିଆଇ ବସ୍ତି ନିକଟରେ ଏକ ମାଲବାହୀ ଟ୍ରେନ୍ ୟାର୍ଡ ଭିତରେ ପଛଉ ଥିବାବେଳେ ୟାର୍ଡ଼ ପାଚେରି ଭାଙ୍ଗି ୫ଟି ବଗି ଜନବସତି ମଧ୍ୟକୁ ପଶିଆସିଥିଲା। ମାଲବାହୀ ଟ୍ରେନ ନମ୍ବର ୬୧୪୦୮୧୦ର ବଗି ନମ୍ବର ୩୧୫, ୭୩୨, ୭୪୯, ୭୫୬, ୩୨୨ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଇଥିବା ବେଳେ ବସ୍ତିରେ ରଖାଯାଇଥିବା ୧୦ରୁ ଊର୍ଦ୍ଧ୍ୱ ଠେଲା, ରିକ୍ସା, ଅଟୋ ଉପରେ ଉକ୍ତ ବଗିଗୁଡ଼ିକ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷ ଓ ଟେକ୍ନିକାଲ ଟିମ୍ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନ ୩ଟାରେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅନିଲ ମିଶ୍ର, ଚକ୍ରଧରପୁର ଡିଭିଜନର ରେଳ ମ୍ୟାନେଜର (ଡିଆର୍ଏମ୍) ତରୁଣ ହୁରିଆ, ବନ୍ଧମୁଣ୍ଡା ଏଆର୍ଏମ୍ ସମୀର ସୌରଭ, ସିନିୟର ଡିସିଏମ୍ ଆଦିତ୍ୟ ଚୌଧୁରୀ, ଡିଭିଜନାଲ ଅପରେଶନ୍ ମ୍ୟାନେଜର ଅବିନାଶ କୁମାର, ମୁଖ୍ୟ ବାଣିଜି୍ୟକ ନିରୀକ୍ଷକ ଅତୁଲ ଘୋଷଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚତ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି। ଉକ୍ତ ଘଟଣା ମୁଖ୍ୟ ଲାଇନରେ ଘଟି ନ ଥିଲେ ବି କିଛି ସମୟ ମୁଖ୍ୟ ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ଲୋକମାନେ ଶୋଇଥିବାବେଳେ ପ୍ରଚଣ୍ଡ ଶବ୍ଦ କରି ଟ୍ରେନ୍ ବଗିଗୁଡ଼ିକ ବସ୍ତି ମଧ୍ୟକୁ ଧସେଇ ପଶିଥିଲା। ବସ୍ତିବାସୀ ସମରପ୍ରିୟ ତନ୍ତୀଙ୍କ କହିବା ଅନୁସାରେ, ବସ୍ତି ସୁରକ୍ଷାକୁ ଆଦୌ ଦୃଷ୍ଟିକୁ ନିଆଯାଉନାହିଁ। କ୍ଷତିଭରଣା ପ୍ରଦାନ ସହ ଆଗାମୀ ଦିନରେ ଏପରି ତ୍ରୁଟି ନ ହେବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି କହିଥିଲେ। ବସ୍ତିର ଅନ୍ୟମାନେ କ୍ଷତି ଭରଣା ଲାଗି ଦାବି କରିଛନ୍ତି।