Categories: ଫୁରସତ

ଦୁଃଖର ସାଥୀ

କହିବା ଆଗରୁ ମନ କଥା ବୁଝିପାରେ ବନ୍ଧୁ। ଆଖିର ଲୁହକୁ ପୋଛି ଓଠରେ ହସ ଫୁଟାଇପାରେ ବନ୍ଧୁ। ସେ ହାତରେ ହାତ ମିଶାଇ ଚାଲିଲେ ଦୁର୍ଗମ ରାସ୍ତା ସୁଗମ ହୋଇଯାଏ। ପାଖରେ ଠିଆ ହୋଇଗଲେ ଭୟ ପାଖ ମାଡେନା। ଦୁଃଖ ସମୟରେ ତ କେବଳ ତା’ କଥା ହିଁ ମନରେ ଆସେ। ଆଉ ବେଳେବେଳେ ତା’ ତ୍ୟାଗ ବଦଳାଇ ଦିଏ ଜୀବନର ଗତିପଥ। ସେଇଥିପାଇଁ ବୋଧେ ହୃଦୟ ସହ ହୃଦୟର ଏଇ ସମ୍ପର୍କ ଯୁଗେ ଯୁଗେ ସ୍ବତନ୍ତ୍ର ହୋଇ ରହିଆସିଛି…

ଆମ ବନ୍ଧୁତା କୃଷ୍ଣ ସୁଦାମାଙ୍କ ପରି-ଚନ୍ଦ୍ରଶେଖର ପାଳ
ମୋ ପୁଅ ମତେ ଥରେ ପଚାରିଲା, ‘ବାପା ତୁମ ବେଷ୍ଟଫ୍ରେଣ୍ଡ କିଏ?’ ମୁଁ କହିଲି- ‘ଅନ୍ତର୍ଯ୍ୟାମୀ ସାହୁ।’ ଏଇ ଉତ୍ତର ଶୁଣି ତା’ ମୁହଁର ହାବଭାବ ବଦଳିଗଲା। ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘ବାପା, ମୁଁ ତ କେବେ ତାଙ୍କୁ ତୁମ ସହ ସାଙ୍ଗ ହେଉଥିବା ଦେଖିନି। ଏମିତି କି ଫୋନ୍‌ରେ କଥା ହେବା ବି ଶୁଣିନି। ତେବେ ସେ କେମିତି ତୁମର ପ୍ରିୟ ସାଙ୍ଗ ହେଲେ? ଏହା ଶୁଣି ମୁଁ କହିଲି, ‘ଆମ ଦୁହିଁଙ୍କ ବନ୍ଧୁତା କୃଷ୍ଣ ସୁଦାମାଙ୍କ ପରି। ଦୁହେଁ ଦୂରରେ ଥିଲେ ବି ଆମ ଭିତରର ଭଲ ପାଇବା ବେଶ୍‌ ପବିତ୍ର। ଏଥର ଶୁଣ ମୋର ସେଇ ବନ୍ଧୁଙ୍କ କଥା- ନାଁ ତାଙ୍କର ଅନ୍ତର୍ଯ୍ୟାମୀ। ରୁହନ୍ତି ବେଗୁନିଆରେ। ଆମେ ଯେତେବେଳେ ଗ୍ରାଜୁଏସନ୍‌ କରୁଥିଲୁ। ସେ ଭୁବନେଶ୍ୱରରେ ରହି କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରିପେୟାର ହେଉଥିଲେ ଓ ଇଣ୍ଟରଭ୍ୟୁ ବି ଦେଉଥିଲେ। ତା’ସହ ଚଳିବା ପାଇଁ ଏଲଆଇସି ଏଜେଣ୍ଟଭାବେ କାମ କରୁଥିଲେ। ଏମିତି ସ୍ଥିତିରେ ତାଙ୍କ ପାଖରେ ଆମେ ୭ ଜଣ ପିଲା ଭିନ୍ନ ଭିନ୍ନ ସ୍ଥାନରୁ ଆସି ତାଙ୍କ ପାଖରେ ରହିଲୁ। ମୁଁ ବାଲେଶ୍ୱରର ଜଳେଶ୍ୱର ଗାଁରୁ ତାଙ୍କ ପାଖକୁ କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରିପେୟାର ହେବାକୁ ଯାଇଥିଲି। ଆମେ ସମସ୍ତେ ଥିଲୁ ଭାରି ଗରିବ। ଆର୍ଥିକସ୍ଥିତି କାହାର ବି ଭଲ ନ ଥିଲା। ଘରେ ଆମକୁ ପଇସା ପଠେଇ ପାରୁ ନ ଥିଲେ ଚଳିବା ପାଇଁ। ଆମେ ଟ୍ୟୁଶନ କରି ଚଳିବାକୁ ଚେଷ୍ଟା କରୁଥିଲୁ। ହେଲେ ଟ୍ୟୁଶନ କାହାକୁ ମିଳୁ ଥିଲା ତ କାହାକୁ ମିଳୁ ନ ଥିଲା। ଆମ ଭିତରେ କେବଳ ଅନ୍ତର୍ଯ୍ୟାମୀ ଭାଇ ହିଁ ସ୍ବଳ୍ପ ରୋଜଗାର କରୁଥିଲେ। ତାଙ୍କ ନାଁ ଯେମିତି ସେ ବି ଥିଲେ ଠିକ୍‌ ସେମିତି। ଅନ୍ୟର ମନ କଥା ବୁଝିବାର ଶକ୍ତି ତାଙ୍କ ଭିତରେ ଭରି ରହିଥିଲା। ଆମ ସମସ୍ତଙ୍କର ଦୁଃଖକଷ୍ଟ ଦେଖି ସେ ଆମ ସମସ୍ତଙ୍କର ଖର୍ଚ୍ଚ ନିଜେ ବହନ କରୁଥିଲେ। ସେ କେବେ ବି ନିଜ ପଇସାକୁ ନିଜ ପଇସା ଭାବୁ ନ ଥିଲେ। ଆମର ଅଭାବ ପୂରଣ କରିବାରେ ସେ ନିଜର ସବୁ ରୋଜଗାରକୁ ଖର୍ଚ୍ଚ କରିଦେଉଥିଲେ, ସେ ପୁଣି ନିଃସ୍ବାର୍ଥପର ଭାବେ। ଆମକୁ ଲାଗୁଥିଲା ସତେ ଯେମିତି ସେ ଆମର କୃଷ୍ଣ। ଆଉ ଆମେ ସମସ୍ତେ ଦରିଦ୍ର ସୁଦାମା। ଅନ୍ତର୍ଯ୍ୟାମୀ ଭାଇ ବି ନ ଥିଲେ ଅପାର ଧନର ଅଧିକାରୀ। କିନ୍ତୁ ତାଙ୍କ ମନ ଥିଲା ବଡ଼। ଆଉ ସେଇ ମନ ଅନ୍ୟର ମନକୁ ଚିହ୍ନିପାରୁଥିଲା। ୧୯୯୯ ମସିହା ମହାବାତ୍ୟା ସମୟର କଥା। ଆମେ ସମସ୍ତେ ତାଙ୍କ ପାଖରେ ଥିଲୁ। କାହା ପାଖରେ ପଇସା ନ ଥିଲା କି ପରିବା, ଚାଉଳ ବି ନ ଥିଲା। ଏମିତି ପରିସ୍ଥିତିରେ ଅନ୍ତର୍ଯ୍ୟାମୀ ଭାଇଙ୍କ ପାଖରେ ଯାହା ଥିଲା ସେ ଖର୍ଚ୍ଚ କରି ଆମ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ପାଖାପାଖି ୧୨ ଦିନ ସେ ଆମ ସମସ୍ତଙ୍କ ପାଇଁ ଡାଲି ଚାଉଳ ପରିବା ଆଣି ଆମକୁ ଖାଇବାକୁ ଦେଇଥିଲେ। କାହା ପାଖରୁ ଟଙ୍କାଏ ବି ନେଇ ନ ଥିଲେ। ତାଙ୍କର ସେଇ ତ୍ୟାଗ ଓ ବଡ଼ିମାକୁ ଆମେ ଜୀବନରେ କେବେ ଭୁଲିପାରିବୁ ନାହିଁ। ତାଙ୍କରି ପାଖରେ ରହି ପାଠପଢ଼ି ଆମେ ସମସ୍ତେ ଏବେ ଭଲ ଭଲ ଚାକିରି କରିପାରିଛୁ। ହେଲେ ସେ ଯେଉଁ ସ୍ଥିତିରେ ଥିଲେ ସେଇଭଳି ଅଛନ୍ତି। ଏଲଆଇସି ଏଜେଣ୍ଟ ସହ ଆଇଟିଆର୍‌ ଫାଇଲ କରିବା କାମ କରି ନିଜ ସଂସାରକୁ ବହୁ କଷ୍ଟରେ ଚଳାଉଛନ୍ତି। ଆମେ କେବେ ସାହାଯ୍ୟ କରିବାକୁ ଚାହିଁଲେ ବି ସେ କେବେ ଗ୍ରହଣ କରନ୍ତି ନାହିଁ। ତେଣୁ ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା କରୁ କେମିତି ତାଙ୍କ ଭାଗ୍ୟ ବଦଳିଯାଉ। ଆଉ ସେ ସବୁ ସୁଖର ଅଧିକାରୀ ହୋଇପାରନ୍ତୁ।’ ମୋ ପୁଅ ପୁଣି କହିଲା- ଯଦି ସିଏ ତୁମ ପ୍ରିୟବନ୍ଧୁ ତା’ହେଲେ ତମେ ବି ତାଙ୍କର ପ୍ରିୟବନ୍ଧୁ ହୋଇଥିବ। ମୁଁ କହିଲି, ”ମୁଁ ଜାଣିନି। ତାଙ୍କର ଅନ୍ୟ କେହି ପ୍ରିୟ ବନ୍ଧୁ ହୋଇଥାଇପାରନ୍ତି। ବନ୍ଧୁତାରେ ଜରୁରୀ ନୁହେଁ କି ତମେ ଯାହାକୁ ତୁମକୁ ପ୍ରିୟ ବନ୍ଧୁ ଭାବିବ। ମୁଁ ତାଙ୍କ ପାଖରୁ ଅନେକ କିଛି ଶିଖିଛି। ନିଃସ୍ବାର୍ଥ ସ୍ନେହ ପାଇଛି। ସେ ଥିଲେ ଆମ ଦୁଃଖର ସାଥୀ। ତାଙ୍କ ପାଖରେ ମୁଁ ଆଜୀବନ ଋଣୀ। ତେଣୁ ତାଙ୍କୁ ମୁଁ ମୋ ପ୍ରିୟ ଓ ପ୍ରକୃତ ବନ୍ଧୁ ବୋଲି ଭାବେ।“ ମୋ ପୁଅ ପୁଣି କହିଲା- ‘ଆଉ ଅନ୍ୟଯେଉଁ ସାଙ୍ଗମାନଙ୍କ ସହ ତମେ ଏତେ ମିଶ ସେମାନେ କ’ଣ ତୁମ ପ୍ରିୟ ବନ୍ଧୁ ନୁହନ୍ତି?’ ମୁଁ କହିଲି,‘ହଁ ମୋର ଅନେକ ବନ୍ଧୁ ଅଛନ୍ତି। ହେଲେ ଅନ୍ତର୍ଯ୍ୟାମୀଙ୍କ ସ୍ଥାନ ଆଉ କେହି ନେଇପାରିବେ ନାହିଁ। ସେ ମୋର ପ୍ରିୟ ବନ୍ଧୁ ଥିଲେ। ଆଉ ସବୁବେଳେ ରହିବେ।’

ତା’ରି ସ୍ମୃତିରେ ସମାଜସେବା କରି ଚାଲିଛି-କପିଳେଶ୍ୱର ପାତ୍ର
କଲେଜରେ ପଢ଼ିବାବେଳେ କଳାକାର ହେବାର ସ୍ବପ୍ନ ଥିଲା। ଗାଁରେ ଡିଭିଡି ପକାଇ ଫିଲ୍ମ ଦେଖିଲାବେଳେ ମନ କହୁଥିଲା ମୁଁ ବି ବଡପରଦାରେ ଆସିବି। ହେଲେ କଳାକାରର ମନ କଥା ବୁଝିବା ଭଳି ସାଙ୍ଗ ମୁଁ ଛୋଟବେଳୁ ପାଇ ନ ଥିଲି। ତେବେ ଦିନେ କଲେଜରେ ଏକ ପ୍ରତିଯୋଗିତାରେ ପ୍ରଶାନ୍ତ ପ୍ରଧାନ ନାମକ ପିଲା ସହ ଦେଖା ହେଲା। ସେ ଓ୍ବାନ୍‌ ଆକ୍ଟ ପ୍ଲେ କରୁଥିଲେ। ଆଉ ମୁଁ ବି। ସେ ମୋଠୁ ବର୍ଷେ ବଡ଼ ଥିଲେ। ତେବେ ସେଦିନ ସେ ବି ବହୁତ ଭଲ ଅଭିନୟ କରିଥିଲେ। ତେଣୁ ଆମେ ଦୁହେଁ ପ୍ରତିଯୋଗିତାରେ ଯୁଗ୍ମ ଭାବେ ପ୍ରଥମ ହୋଇଥିଲୁ। ଏହାପରଠାରୁ ଆମର ବନ୍ଧୁତା ଆରମ୍ଭ ହୋଇଥିଲା। ସେ ମୋ ହାତ ଧରି ଆଗକୁ ବାଟ କଢ଼େଇ ନେଉଥିଲା। ମୋ ଘର କଣ୍ଟିଲୋ ଗୋପୀନାଥ ପୁରରେ ଆଉ ତା’ର ୩-୪ କି.ମି. ଦୂର ଘଣାଶାଳିଆରେ। କଲେଜକୁ ଆମେ କାନ୍ଧରେ ହାତ ପକେଇ ଆସୁଥିଲୁ। ବାଇକ୍‌ରେ ଦୁହେଁ ଚଷମା ପିନ୍ଧି ବୁଲୁଥିଲୁ। ଆମକୁ ଦେଖି ଅନ୍ୟମାନେ ଈର୍ଷା କରିବା ଆରମ୍ଭ କରିଦେଇଥିଲେ। ଦୁହିଁଙ୍କ ପରିବାରରେ ବି ଆମକୁ ପୁଅ ଭଳି ସ୍ନେହ କରୁଥିଲେ। ଏକାଠି ବସି ଖାଇବା, ବୁଲିବା ସବୁ ଚାଲିଥିଲା। ଦିନସାରା ଆମେ ମୁକ୍ତ ଚଢ଼େଇ ପରି ଘୂରି ବୁଲୁଥିଲୁ। ଖାଲି ଯାହା ରାତିରେ ନିଜ ନିଜ ଘରକୁ ଯାଉଥିଲୁ। ଥରେ ଆମେ କଲେଜ ଓ୍ବାଇଆରସି କ୍ୟାମ୍ପରେ ହରିୟାନା ଯାଇଥିଲୁ। ସେଠି ଆମ ଆଖି ଆଗରେ ଘଟିଥିବା ଏକ ଦୁର୍ଘଟଣାରେ ଆମେ ଆହତଙ୍କୁ ସାହାଯ୍ୟ କରିଥିଲୁ। ସେଥିପାଇଁ ସେଠି ଆମକୁ ସମ୍ମାନିତ କରାଯାଇଥିଲା। ସେଇ ଘଟଣା ପରଠାରୁ ଆମର ସମାଜସେବା ମନୋଭାବ ବଢିଥିଲା। ଆଉ ଆମ ଅଞ୍ଚଳରେ ସମାଜସେବା କରିବା ଆରମ୍ଭ କରିଥିଲୁ। କଲେଜ ପାଖରେ ଏକ ଗାର୍ଲସ୍‌ ହଷ୍ଟେଲ, ଯାହା ପରିତ୍ୟକ୍ତ ହୋଇପଡିଥିଲା। ସେଠି ଆମେ ୩-୪ ଜଣ ସାଙ୍ଗ ମିଶି ଏକ ସମାଜସେବା ସଂଘ ଗଢ଼ିଲୁ। ଆଉ ଗାଁ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରିବା ସହ ବନ୍ଧୁ ବି ଗଢ଼ିଲୁ। ପରେ ଆମ ସହ ଆହୁରି କିଛିଜଣ ଯୋଗ ବି ଦେଇଥିଲେ। ପ୍ରଶାନ୍ତର ବ୍ୟକ୍ତିତ୍ୱ ଏମିତି ଥିଲା ଯେ, ସେ କମ୍‌ ସମୟରେ ଅନେକଙ୍କ ସହ ବନ୍ଧୁତା କରିପାରୁଥିଲା। ଅନେକଙ୍କ ମନ ଜିଣିପାରୁଥିଲା। ଆଉ ଅନ୍ୟର କଷ୍ଟ ଦେଖିଲେ ତ ସେ ଯେମିତି ବି ହେଉ ତା’ର କଷ୍ଟ ଦୂର କରିବାକୁ ଚେଷ୍ଟା କରୁଥିଲା। ସମସ୍ତଙ୍କର ସେ ପ୍ରିୟ ଦିଲୁ ଭାଇ ଥିଲା। ଆମେ ତା’ସହ ଯୋଗ ଦେଇ ସମାଜସେବା କରୁଥିଲୁ। କେବଳ ସେତିକି ନୁହେଁ ଯେତେବେଳେ ଆମ ଦୁହିଁଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲା ଆମେ ଦୁହେଁ ଭୁବନେଶ୍ୱର ଯାଇ ଏକ ମେଡିସିନ ଫାର୍ମରେ ସାଥୀ ହୋଇ ମେଡିସିନ୍‌ ପେଟି ବୋହି ସଜାଡି ରଖିବା କାମ ବି କରିଛୁ। ସେତେବେଳେ ଆମେ ସବୁଦିନ ସକାଳୁ ସାଇକେଲରେ ଚା’ ପିଇବାକୁ ଯାଉଥିଲୁ। ଆଉ ଚା’ ପିଇବାବେଳେ ସେ ଗାଉଥିଲା ‘ଜୀବନ ତ କପେ ଚାହା, କେବେ ଉହୁ କେବେ ଆହା’। ଆମ ପାଖରେ ପଇସା ନ ଥିଲା ସତ, ହେଲେ ସ୍ବପ୍ନ ବଡ଼ ଥିଲା। ଏଇ ସମୟରେ ସେ ଓଟିଭିର ‘ମୁଁ ବି ହେବି ନେତା’ରେ ଭାଗ ନେଇ ଫାଇନାଲ ପର୍ଯ୍ୟନ୍ତ ଯାଇ ପାଠପଢ଼ା କମ୍ପ୍ଲିଟ୍‌ କରିବା ପାଇଁ ନିଜେ ଓହରିଯାଇଥିଲା। ଗାଁ ଲୋକେ ଏଥିରେ ବହୁତ ଗର୍ବ ଅନୁଭବ କରିଥିଲେ। ତାକୁ ବହୁତ ଭଲ ପାଉଥିଲେ। ଆମର ସମାଜସେବା କାମ କେବେ ବନ୍ଦ ହୋଇ ନ ଥିଲା। ଆମେ ଦୁଃଖୀରଙ୍କି, ଅଭାବ ଅସୁବିଧାରେ ଥିବା ଦେଖିଲେ ତାଙ୍କର ଭିଡିଓ ବି କରୁଥିଲୁ। ଏଥିପାଇଁ ଏକ ମାଇକ୍ରୋଫୋନ୍‌ କିଣିଥିଲୁ। ପ୍ରଶାନ୍ତ କ୍ୟାମେରାମ୍ୟାନ ସାଜୁଥିଲା ଓ ମୁଁ ଜର୍ନାଲିଷ୍ଟ ପାଲଟି ମାଇକ୍ରୋଫୋନ୍‌ ଧରି ସେହି ଦୁଃଖୀ ଲୋକଙ୍କ ଜୀବନର କଷ୍ଟକୁ ବଖାଣୁଥିଲି। ପ୍ରଶାନ୍ତ ମୋର ଡାଇରେକ୍ଟର ବି ଥିଲା। ମୁଁ କେମିତି କହିବି ମତେ ନିର୍ଦ୍ଦେଶ ଦେଉଥିଲା। ଆଉ ସେହି ଭିଡିଓକୁ ଆମେ ଫେସ୍‌ବୁକ୍‌ରେ ‘ଜନତା ଟିଭି’ ନାଁରେ ଅପ୍‌ଲୋଡ କରୁଥିଲୁ। ଗାଁରେ ସମସ୍ତେ ଆମ କାମକୁ ନେଇ ବହୁତ ଖୁସି ହେବା ସହ ଗର୍ବ ଅନୁଭବ କରୁଥିଲେ। ହେଲେ ଭଗବାନ ବି ବୋଧେ ତାକୁ ଅଧିକ ଭଲ ପାଉଥିଲେ। ଆମେ +୩ ଶେଷବର୍ଷରେ ପଢିବାବେଳେ ଦିନେ ସେ ଏକ ଦୁର୍ଘଟଣାର ଶିକାର ହେଲା। ବ୍ରିଜ ତଳକୁ ଖସି ଯାଇ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲା। ତା’ର ଦୁର୍ଘଟଣା ସମୟରେ ମୁଁ ଗାଁରେ ଦୁର୍ଘଟଣା ଜନିତ ସତର୍କତାକୁ ନେଇ ଲୋକଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ କରୁଥିଲି। ଯେତେବେଳେ ଏଇ ଖବର ବ୍ୟାପିଲା ସବୁଆଡେ ଦୁଃଖର ପରିବେଶ ଛାଇଗଲା। ସମସ୍ତଙ୍କ ଆଖିରେ ଥିଲା ଲୁହ। ତା’ର ଦଶାହ ଦିନ ଥିଲା ଯୁକ୍ତ ୩ର ଫାଇନାଲ ପରୀକ୍ଷା। ସେ ଥିଲେ ମୋ ପାଖରେ ବସି ପରୀକ୍ଷା ଦେଇଥାନ୍ତା। ହେଲେ ସେ ନ ଥିଲା। କଲେଜରେ ତା’ ଫଟୋରେ ଫୁଲମାଳ ଚଢାଯାଇଥିଲା। ସାରା କଲେଜ ଏଇ ଘଟଣାରେ ସ୍ତବ୍ଧ ହୋଇଯାଇଥିଲା। ଆମ କଲେଜ ବି ଆଜି ପର୍ଯ୍ୟନ୍ତ ତାକୁ ଭୁଲି ପାରିନି। ଆଉ ତା’ନାଁରେ ପ୍ରଶାନ୍ତ ମେମୋରିଆଲ ନାମକ ଏକ ଆଓ୍ବାର୍ଡ କଲେଜ ଟପ୍ପରଙ୍କୁ ଏବେବି ଦିଆଯାଉଛି। ଖାଲି ସେତିକି ନୁହେଁ ତା’ର ଫଟୋ ଏବେବି କଲେଜ କାନ୍ଥରେ ପୂଜା ପାଉଛି। ସେ ଯିବା ପରେ ତ ମୋ ଦୁନିଆ ବଦଳିଗଲା। ମୁଁ ପୂରା ଏକା ହୋଇଗଲି। ଆଜି ପର୍ଯ୍ୟନ୍ତ ତାକୁ ମୁଁ ଭୁଲି ପାରିନି। ସବୁବେଳେ ଲାଗେ ସେ ମୋ ପାଖରେ ଅଛି। ମତେ ବାଟ କଢ଼େଇ ଆଗକୁ ନେଉଛି। ସେଇଥିପାଇଁ ତ ଆଜ ିବି ମୁଁ ସମାଜସେବା ଜାରି ରଖିଛି। ଆଉ ଯାହା ବି କାମ କରୁଛି ସବୁଥିରେ ସେ ସାମିଲ ରହୁଛି। ତା’ ପାଇଁ ମୁଁ ପ୍ରଶାନ୍ତ ମେମୋରିଆଲ ସଂଘ ଗଠନ କରିଛି। ପ୍ରଶାନ୍ତ ମେମୋରିଆଲ କଲ୍‌୍‌ଚୁରାଲ ପ୍ରୋଗ୍ରାମ କରିବା ସହ ରକ୍ତଦାନ ଶିବିରର ଆୟୋଜନ କରୁଛି। ଆଉ ସବୁଠି ତା’ର ଫଟୋ ରଖି ହିଁ ମୁଁ କାମ କରିଥାଏ। ହେଲେ ପୂର୍ବରୁ ଅଭାବ ଅସୁବିଧାରେ ଥିବା ଲୋକଙ୍କ ପାଇଁ କରୁଥିବା ଭିଡିଓ ଏବେ ମୁଁ ଆଉ କରୁନି। ସେ ମାଇକ୍ରୋଫୋନ୍‌ ଅଲୋଡ଼ା ହୋଇ ପଡ଼ି ରହିଛି। କାରଣ ମୋ କ୍ୟାମେରାମ୍ୟାନ ଆଉ ମୋ ସହ ନାହିଁ। ଆମେ ଦୁହେଁ ସାଥୀ ହୋଇ ଅନେକ କିଛି କରିବାକୁ ଚାହୁଁଥିଲୁ। ପ୍ରତିଦିନ ଅନେକ ସାଙ୍ଗ କରିବା ସହ ସମାଜସେବା କରିବା ଆମର ସ୍ବପ୍ନ ଥିଲା। ହେଲେ ସେ ଚାଲିଯିବା ପରେ ଏବେ ମୁଁ ଏକା ତା’ ସ୍ବପ୍ନକୁ ପୂରଣ କରିବା ଲାଗି ପ୍ରୟାସ ଜାରି ରଖିଛି।

ତା’ ପାଖରେ ରହି ପଢିଲି, ଚାକିରି ବି କଲି-ବିପିନବିହାରୀ ବାହିନୀପତି
ଆମ ବନ୍ଧୁତା ଦୀର୍ଘ ୪୩ ବର୍ଷର। ମୋ ଘର ପୁରୀ, କଣାସ ବ୍ଲକର ଗଡ ବଡ଼ପୁଟ। ଆଉ ବନ୍ଧୁ ଚନ୍ଦ୍ରଶେଖର କରଙ୍କ ଘର କୁହୁଡି, ରତନପୁରରେ। ୧୯୭୯ ମସିହା, କଲେଜରେ ପଢିବାବେଳେ ଚନ୍ଦ୍ର ସହ ମୋର ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଖୋର୍ଦ୍ଧା ପିଏନ୍‌ କଲେଜ୍‌ରେ ଆମେ ବିଏ ପଢିଲୁ। ତା’ପରେ ବି.ଇଡି. ବି କଲୁ। ଖୋର୍ଦ୍ଧାରେ ଆମେ ଏକ ଘର ଭଡ଼ା ନେଇ ରହୁଥିଲୁ। ପଢ଼ିବା ସହ ଚନ୍ଦ୍ର ଟ୍ୟୁଶନ କରୁଥିଲା। ସେଇ ରୋଜଗାରରେ ସେ ଘରଭଡାଠୁ ଆରମ୍ଭ କରି ଅନ୍ୟ ଖର୍ଚ୍ଚ ବହନ କରୁଥିଲା। ମୋ ବାପା ଚାଷୀ। ଘରେ ବେଶି କିଛି ଟଙ୍କା ପଠେଇପାରୁ ନ ଥିଲେ। ତେଣୁ ଅଧିକାଂଶ ଖର୍ଚ୍ଚ ସେ ହିଁ ବହନ କରୁଥିଲା। ଚନ୍ଦ୍ର ବି କୌଣସି ଧନୀକ ପରିବାରର ନ ଥିଲା। ତା’ ବାପା ଟ୍ୟୁଶନ କରୁଥିଲେ। ତେଣୁ ତା’ ଘରୁ ବି ବିଶେଷ କିଛି ଟଙ୍କା ପଠେଇ ପାରୁ ନ ଥିଲେ। ସେ ନିଜେ ରୋଜଗାର କରି ଆମ ଖର୍ଚ୍ଚ ବହନ କରୁଥିଲା। ପରେ ଏମ୍‌ଏ ଆମେ ବାଣୀବିହାରରେ କଲୁ। ଏଇ ସମୟରେ ସେ ରତନପୁରର ଏକ ରାଇସ୍‌ ମିଲ୍‌ରେ ଚାକିରି କରୁଥିଲେ। ଆଉ ଏକ ଘରଭଡା ନେଇ ପରିବାର ସହ ସେଠି ରହୁଥିଲେ। ଚନ୍ଦ୍ର ତାଙ୍କର ସେଇ ଘରକୁ ମତେ ଡାକିଥିଲେ ତାଙ୍କ ପାଖରେ ରହି ପଢିବାକୁ। ମୁଁ ଯାଇ ତାଙ୍କ ଘରେ ପରିବାରର ସଦସ୍ୟ ଭଳି ରହିଲି। ଆମେ ଦୁହେଁ ମିଶିକି ପଢୁଥିଲୁ। ଘର ଖର୍ଚ୍ଚ ସହ ମୋ ପଢା ଖର୍ଚ୍ଚ ବି ସେ ସମ୍ପୂର୍ଣ୍ଣ ବହନ କରୁଥିଲା। ଏମିତି କି ଆମେ ବିଭିନ୍ନ ଜାଗାକୁ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ମିଶିକି ଯାଉଥିଲୁ। ସେତେବେଳେ ଯିବା ଆସିବା ଖର୍ଚ୍ଚ ସହ, ଖାଇବା ପିଇବା, ଚାକିରି ପାଇଁ ଫର୍ମ ଫିଲ୍‌ପ୍‌ କରିବା ଆଦି ସବୁ ଖର୍ଚ୍ଚ ଚନ୍ଦ୍ର ହିଁ ବହନ କରୁଥିଲା। ଏମିତିରେ ଆମ ପଢ଼ା ସରିଥିଲା। ପରେ ସେ ଏକ ପ୍ରାଇଭେଟ୍‌ ସ୍କୁଲରେ ଶିକ୍ଷକତା କଲେ। ଆଉ ମତେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାକିରି ମିଳିଲା। ଏବେ ମୁଁ ପ୍ରାଇମେରୀ ସ୍କୁଲ ହେଡ୍‌ମାଷ୍ଟର। ଆଉ ସେ ଗାଁ ପାଖ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ। ଦୁହେଁ ଆଜି ଆର୍ଥିକଭାବେ ସ୍ବଚ୍ଛଳ। ତେବେ ମୁଁ କେବେ ବି ଭୁଲି ପାରିବିନି ତା’ର ସେଇ ନିଃସ୍ବାର୍ଥପର ସାହାଯ୍ୟ। ତା’ରି ପାଇଁ ମୁଁ ପଢିଲି, ଚାକିରି ବି କଲି। କିନ୍ତୁ ପ୍ରତିବଦଳରେ ମୁଁ ତା’ ପାଇଁ ବିଶେଷ କିଛି କରିପାରିନି। ଖାଲି ଯାହା ସୁଖରେ ଦୁଃଖରେ ତା’ ସହ ଠିଆ ହୋଇଛି। ସେ ମଧ୍ୟ ମୋଠୁ କେବେ କିଛି ପାଇବାର ଆଶା ରଖି ନାହାନ୍ତି। ଏଇ ନିଃସ୍ବାର୍ଥ ସମ୍ପର୍କ ପାଇଁ ହିଁ ଆମର ବନ୍ଧୁତା ଆଜିଯାଏ ବଜାୟ ରହିଛି।

ସତରେ ରାଗରୁଷା, ମାନ ଅଭିମାନ, ଥଟାମଜା ଭରା ଏଇ ବନ୍ଧୁତାର ସମ୍ପର୍କ ସବୁଠୁ ନିଆରା। ନ ଥାଏ ଏଥିରେ ଲାଭ କ୍ଷତିର ହିସାବ। ଥାଏ କେବଳ ନିଃସ୍ବାର୍ଥ ଭଲ ପାଇବା।
-ଶିବାନୀ ମହାନ୍ତି

Share