ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଦେଖାଦେବାରୁ ତଳିଆ ଅଞ୍ଚଳରେ ଦୀର୍ଘଦିନ ପାଣି ଜମିରହିଥିଲା। ଫଳରେ ଖରିଫ ଧାନଚାଷରେ ବ୍ୟାପକ କ୍ଷତି ଘଟିଛି ା ଏହି କ୍ଷତିର ପରିମାଣ ଆସନ୍ତା ଦିନରେ ବୃଦ୍ଧି ପାଇବ ବୋଲି ଜଣାଯାଇଛି ା
ଚଳିତବର୍ଷ ଜଳେଶ୍ୱରରେ ୨୦,୦୫୫ ହେକ୍ଟର ଜମିରେ ଖରିଫ ଧାନଚାଷ ରୁଆପୋତା ହୋଇଥିଲା ା ବର୍ଷା ଓ ବନ୍ୟା ଯୋଗୁ ୩୫୦୦ ହେକ୍ଟର ଜମି ଦୀର୍ଘଦିନ ଧରି ପାଣିରେ ବୁଡି ରହିଥିଲା ା ପରେ କୃଷି ଓ ରାଜସ୍ବ ବିଭାଗର ମିଳିତ ତଦନ୍ତ ପରେ ୩୩ ଭାଗରୁ କମ୍‌ ୯୪୧ ହେକ୍ଟର ଓ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ୫୫୫ ହେକ୍ଟର ଜମିର ଧାନ ନଷ୍ଟ ହୋଇଥିବା କୃଷି ବିଭାଗର ସହକାରୀ ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ପ୍ରକାଶ କରିଛନ୍ତି। ଭୋଗରାଇରେ ଚଳିତବର୍ଷ ୧୭୬୩୩ ହେକ୍ଟର ଜମି ଆବାଦ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ୧୫୮୩୭ ହେକ୍ଟର ଜମିରେ ରୁଆପୋତା ହୋଇଥିଲା ା ଏଥିରୁ ୧୦ଦିନରୁ ଅଧିକ ସମୟ ୯୮୫୦ ହେକ୍ଟର ଜମି ପାଣି ବୁଡି ରହିଥିଲା ଓ ସେସବୁ ଧାନ ପଚିଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି। ଧାନଚାଷ ବ୍ୟତୀତ ୧୧୩ ହେକ୍ଟର ଜମିରେ ଅଣଧାନଚାଷ ନଷ୍ଟ ହୋଇଥିବା ଜିଲା କୃଷି ଅଧିକାରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି ା ସେହିପରି ବାଲିଆପାଳରେ ୧୭୦୬୧ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ବେଳେ ୨୦୦ହେକ୍ଟର ଜମି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପାଢି ସୂଚନା ଦେଇଛନ୍ତି ା କିନ୍ତୁ ଦୁଃଖର ବିଷୟ ବାସ୍ତବତାକୁ ଲକ୍ଷ୍ୟ ନ ରଖି କୃଷି ବିଭାଗ ରିପୋର୍ଟ ଦେଇଥିବା ବହୁ ଅଭିଜ୍ଞ ଚାଷୀ କହିଛନ୍ତି ା ବାସ୍ତବରେ ଅଧିକ ଚାଷ ନଷ୍ଟ ହୋଇଥିବା ସେମାନେ ସୂଚନା ଦେବା ସହ ଅନ୍ୟ ଏକ ତଦନ୍ତ ଦାବି କରିଛନ୍ତି।