ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍ କାଟକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ।
ପ୍ରକାଶ ଯେ, କିଛିଦିନ ହେଲା ଅଞ୍ଚଳରେ ୩୬ରୁ ୩୮ ଡିଗ୍ରୀ ତାପମାତ୍ରା ରହୁଥିବା ଦିନରେ ତାପମାତ୍ରା ଅସହ୍ୟ ଅନୁଭୁତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଅଞ୍ଚଳବାସୀ ସହ୍ୟ କରିବା ମୁସ୍କିଲ ହୋଇପଡିଛି। ଯେଉଁଠି ସେପ୍ଟେମ୍ବରଠାରୁ ଜାନୁୟାରୀ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ସହ ତୁଷାରପାତ ହେଉଛି ସେଠି ଏବେ ଗୋଟିଏ ପ୍ରକାର ଅଗ୍ନିବର୍ଷା ହେଲା ଭଳି ଅନୁଭବ ହେଉଛି। ଫଳରେ ପରିବେଶବିଙ୍କ ମଧ୍ୟରେ ଚିନ୍ତା ବଢିଛି ।
ଗ୍ରୀଷ୍ମ ପ୍ରବାହ ପାଇଁ କାମଧନ୍ଦା ନ ଥିଲେ ଲୋକ ଘରୁ ପଦାକୁ ବାହାରୁନାହାନ୍ତି। ଫଳରେ ରାସ୍ତଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି। ବିଶେଷ କରି ମଧ୍ୟାନ୍ନ ୨ଟା ପରଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକେ ବାହାରକୁ ବାହାରି ପାରୁ ନାହିଁନ୍ତି।
ଅନ୍ୟପକ୍ଷେ ଗତ କିଛିଦିନ ହେଲା ଦିନ ୧୦ଟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘନଘନ ବିଦ୍ୟୁତ୍ କାଟ ସାଙ୍ଗକୁ ଗରମ ଏବଂ ଗୁଳୁଗୁଳି ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି। କେତେବେଳେ ଜି. ଉଦୟଗିରି ଗ୍ରୀ ରୁ ବ୍ରେକଡାଉନ ହେଲା ବୋଲି କୁହାଯାଉଥିବା ବେଳେ କେତେବେଳେ କ. ନୂଆଗାଁଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଲାଇନ ବ୍ରେକଡାଉନ ତ ଆଉ ବହୁ ସମୟ ଧରି ଦାରିଙ୍ଗବାଡି ଠାରୁ ୧୧ କେଭି ସଂଯୋଗ ହେଉଥିବା ସିମନବାଡି ଫିଡ଼ର ଅଚଳ ଯୋଗୁ ବିଦ୍ୟୁତ ଯୋଗାଣ ଘଣ୍ଟା ଘଣ୍ଟା ଧରି ଅଚଳ ହେଉଛି। ଫଳରେ ସାଧାରଣ ହିତାଧିକାରୀ କାହାକୁ କହିବ ଶୁଣିବ କିଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସରକାରଙ୍କ ଶକ୍ତି ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବିଦ୍ୟୁତ ଯୋଗାଣକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପ୍ରତିଦିନ ଅଘୋଷିତ ବିଦ୍ୟୁତ୍ କାଟ ଏବେ ସାଧାରଣ ଲୋକଙ୍କୁ ହଟହଟା କରୁଛି। ଲୋକମାନେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଏପରିକି ବ୍ୟାଙ୍କ ସେବାଠାରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି। ଏନେଇ ବିଭାଗୀୟ ଯନ୍ତ୍ରୀ ଶିବପ୍ରସାଦ ନାୟକଙ୍କୁ ପଚାରିବାରୁ ବ୍ରେକ ଡାଉନ ଯୋଗୁ ବିଦ୍ୟୁତ୍ ସେବା ଅଚଳ ହେଉଥିବା କହିଛନ୍ତି।


