ଅଙ୍କାରା,୧୩ ।୨: ଭୂକମ୍ପର ଆଁରେ ଏକ ପ୍ରକାର ବିଲିନ ହୋଇଯାଇଥିବା ତୁର୍କୀ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ସତ । ହେଲେ ଭୂକମ୍ପ ଯେମିତି ତା’ର ପିଛା ଛାଡୁନାହିଁ । ପୁଣିଥରେ ଭୂକମ୍ପ ଥରାଇ ଦେଇଛି ତୁର୍କୀକୁ । ଏଥର ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୪.୭ । ମିଡିଆ ରିପୋର୍ଟ ଅନୁଯାୟୀ, ତୁର୍କୀର ଦକ୍ଷିଣ-ପୂର୍ବରେ କହରାମନମରାସରେ ରବିବାର ଏକ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ମପାଯାଇଛି । ୟଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) କହିଛି ତୁର୍କୀର କହରାମନମରାସ ସହରରୁ ୨୪ କିଲୋମିଟର ଦକ୍ଷିଣରେ ରବିବାର ୪.୭ ତୀବ୍ରତାର ଏକ ଭୂକମ୍ପ ଆସିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ୭.୮ ତୀବ୍ରତାର ଭୂକମ୍ପ ଆସିଥିଲା । ଦିନେ ଦୁଇଦିନ ପର୍ଯ୍ୟନ୍ତ ଲଗାତାର ଏଠାରେ ଭୂକମ୍ପର ଝଟକା ଅନୁଭୁତ ହୋଇଥିଲା । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଭୂକମ୍ପରେ ଏବେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଗଲାଣି । ଏହାସହ ହଜାର ହଜାର ଆହତଙ୍କର ଚିକିତ୍ସା ବି ଚାଲିଛି । ତେବେ ଏହି ଭୂକମ୍ପରେ ମୃତକଙ୍କ ସଂଖ୍ୟା ବହୁ ଅଧିକ ହେବ ବୋଲି କୁହାଯାଉଛି ।