ଖୋର୍ଦ୍ଧା ଅଫିସ,୨୦।୧୦: ଧାରଟଙ୍କା ପାଇଁ ବନ୍ଧୁ ନେଲେ ବନ୍ଧୁଙ୍କ ଜୀବନ। ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ଧାରୁଆ ଛୁରିରେ ଛାତି, ପେଟକୁ ଭୁଷି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମୁକୁନ୍ଦପ୍ରସାଦ ସ୍କିନିଙ୍ଗ ମିଲ ଲେବର କଲୋନୀର ରଶ୍ମିରଞ୍ଜନ ପାଟ୍ଟଯୋଶୀ(୧୯)।
ସୂଚନାନୁଯାୟୀ, ପୂର୍ବରୁ ମୁନା ଶିଳ୍ପାଞ୍ଚଳ ସ୍ଥିତ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ। ସେହି କମ୍ପାନୀରେ ରଶ୍ମିରଞ୍ଜନ ମଧ୍ୟ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏଣୁ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା। ମୁନା ରଶ୍ମିରଞ୍ଜନଠାରୁ ଟଙ୍କା ଧାର ନେଇଥିଲେ। ଧାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମୁନା ଉତ୍ତକ୍ଷିପ୍ତ ହୋଇ ରଶ୍ମିକୁ ରାସ୍ତାରୁ ହଟାଇବା ପାଇଁ ମନସ୍ଥ କରି ବଜାରରୁ ଛୁରି କିଣି ଆଣିଥିଲେ। ରାତିରେ ଚାଚେରା ସାହି ଆଗରେ ଉଭୟଙ୍କ ମଧ୍ୟରେ ପୁଣି ଥରେ ଧାରଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମୁନା ଧରିଥିବା ଧାରୁଆ ଛୁରିରେ ରଶ୍ମିଙ୍କ ଛାତି ପରେ ପେଟକୁ ଭୁଷି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଶ୍ମି ଘଟଣାସ୍ଥଳରେ ଟଳି ପଡିଥିଲେ। ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ବୁଧବାର ଭୋର ସମୟରେ ପୋଲିସ ଯାଳାଁ ଛକରୁ ଅଭିଯୁକ୍ତ ମହେଶ୍ବର ଦାସ(୨୯) ଓରଫ ମୁନାଙ୍କୁ ଧରି ଥାନାରେ ପଚରାଉଚରା ବେଳେ ମୁନା ହତ୍ୟାକରିଥିବାର ସ୍ବୀକାର କରିଛନ୍ତି ବୋଲି ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି।