ସାଙ୍ଗର ଭାଇରାଲ ଭିଡିଓ ଖୋଲୁଛି ରହସ୍ୟ

ଜୟପୁର,୧୬ା୯(ପବନ ପାଣିଗ୍ରାହୀ): ହରଡ଼ାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ବିନୀ ଗାଦବା(୧୩)ଙ୍କ ମୃତ୍ୟୁ ମାମଲାରେ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୋଲିସ ଏନେଇ ମାମଲା ରୁଜୁ କରିଥିଲା। ଇତିମଧ୍ୟରେ ଏସ୍‌ଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ଥାନା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି ପ୍ରମୁଖ ଘଟଣାର ପୃଥକ୍‌ ପୃଥକ୍‌ ତଦନ୍ତ କରିଥିଲେ। ଏବେ ତପସ୍ବିନୀଙ୍କ ସାଙ୍ଗର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଦିବାସୀ ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଜୟପୁର ବ୍ଲକର କୁମୁଲିପୁଟ ପଞ୍ଚାୟତ ଅନ୍ତର୍ଗତ ହରଡ଼ାପୁଟ ବାଳିକା ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ତପସ୍ବିନୀ ଗତ ୧୨ତାରିଖରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ରାବଣାଗୁଡ଼ା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା କରିଥିବା ଡାକ୍ତର ଜଣକ ଗ୍ୟାସ୍‌ ସମସ୍ୟା ହୋଇଥିବା କହି ଔଷଧ ଦେଇ ଫେରାଇଦେଇଥିଲେ। ସେବାଶ୍ରମକୁ ଫେରି ତପସ୍ବିନୀ ସେହିଦିନ ରାତିରେ ବାନ୍ତି କରିଥିଲେ। ପରେ ରାତି ୨ଟା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଦେଖି ତାଙ୍କ ସହ ରହୁଥିବା ଜଣେ ସାଙ୍ଗ ସେବାଶ୍ରମରେ ରହୁଥିବା ମାଟ୍ରନଙ୍କୁ ସୂଚନା ଦେଇଥିଲେ। ତେବେ ଏହାକୁ ମାଟ୍ରନ ଗୁରୁତ୍ୱ ଦେଇ ନ ଥିଲେ। ପୁଣି ସକାଳୁ ତାଙ୍କୁ କହିବାରୁ ସେ ଖେଳ ଶିକ୍ଷୟିତ୍ରୀ ଡାକ୍ତରଖାନାକୁ ନେବେ ବୋଲି କହିଥିଲେ। ଅଟୋ ଡାକି ଡାକ୍ତରଖାନାକୁ ନେବା ସମୟରେ ତପସ୍ବିନୀଙ୍କ ମୃତ୍ୟୁ ହୋଇଯାଇଥିଲା। ପୂର୍ବରୁ ଯଦି ତପସ୍ବିନୀଙ୍କୁ ଡାକ୍ତରଖାନା ନେଇଥାନ୍ତେ ସେ ବଞ୍ଚତ୍ୟାଇଥାନ୍ତା ବୋଲି ତାଙ୍କ ସାଙ୍ଗ ଛାତ୍ରୀ ଜଣକ କାନ୍ଦିକାନ୍ଦି କହୁଥିବା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏହି ଭିଡିଓ ଦେଖିଥିବା ଜିଲା ମଙ୍ଗଳ ଅଧିକାରୀ ତାଣ୍ଡି କହିଛନ୍ତି। ଏହି ଭାଇରାଲ ଭିଡିଓରେ ସମ୍ପୂର୍ଣ୍ଣ ରୂପେ ମାଟ୍ରନଙ୍କ ଭୁଲ୍‌ ରହିଥିବା ଦର୍ଶାଉଛି। ଏହାକୁ ନେଇ ମାଟ୍ରନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ତାଣ୍ଡି କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲାକ୍ରମେ ବୋରିଗୁମ୍ମା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଛାତ୍ରୀଙ୍କ ବାପା କୃଷ୍ଣ ଗାଦବାଙ୍କ ଏତଲାକ୍ରମେ ହତ୍ୟା ସନ୍ଦେହରେ ଦଫା ୩୦୨ରେ ଆଉ ଏକ ମାମଲା ରୁଜୁ ହୋଇଛି ବୋଲି ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସା କହିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସା କହିଛନ୍ତି।

Share