ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ କଥା, କାହାଣୀ ଆଦି ରହିଛି। ଭାରତୀୟ ସଂସ୍କୃତିରେ ଶ୍ରୀକୃଷ୍ଣ ସଖା ସୁଦାମାଙ୍କ ପ୍ରତି ପ୍ରଦର୍ଶନ କରିଥିବା ମହାନ ଆଦର୍ଶ ବନ୍ଧୁତାର ପରିଭାଷାକୁ ଶ୍ରେଷ୍ଠ କରି ଗଢ଼ି ତୋଳିଛି। ଏହାର ପ୍ରଭାବ ଭାରତୀୟ ସଂସ୍କୃତିରେ ସର୍ବଦା ପ୍ରତିଫଳିତ ହୋଇଥାଏ।
ଏହି ସମ୍ପର୍କର ପରିଭାଷାର ପ୍ରସାର ବିଶ୍ୱସ୍ତରରେ କରାଯିବା ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ମଣିଷଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଭଳି ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଏଭଳି ସମ୍ପର୍କ ସୃଷ୍ଟି କରାଯାଇପାରିଲେ ବସୁଧୈବ କୁଟୁମ୍ବକମ୍ ଲକ୍ଷ୍ୟ ସଫଳ ହୋଇପାରିବ। ଏହି ଉଦ୍ଦେଶ୍ୟରେ ବନ୍ଧୁତ୍ୱ ଦିବସରେ ସଚେତନା ସୃଷ୍ଟି କରାଯାଇଥାଏ। ୨୦୧୧ ଏପ୍ରିଲ୍ ୨୭ରେ ଜାତିସଂଘର ଅନୁମୋଦନ କ୍ରମେ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ବିଶେଷ ଦିନରେ ଭିନ୍ନ ଭିନ୍ନ ସଂସ୍କୃତି, ଦେଶ, ଏବଂ ଆଦର୍ଶ ମଧ୍ୟରେ ବନ୍ଧତ୍ୱ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥାଏ। ଏହି ଦିବସ ଶାନ୍ତି, ସୁଖ ଏବଂ ଏକତାକୁ ପ୍ରୋତ୍ସାହିତ କରିଥାଏ। ଶାରୀରିକ ଗଠନ, ବିଚାରଧାରା, ପରମ୍ପରା, ରାଜନୈତିକ ସ୍ଥିତି ଆଦିରେ ଭିନ୍ନତା ରହିଥିବା ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇପାରିଲେ ଆଉ ଯୁଦ୍ଧର ବିଭୀଷିକା ଆତଙ୍କ ସୃଷ୍ଟି କରିପାରିବ ନାହିଁ। ଏହାର ମହତ୍ୱକୁ ଉପଲବ୍ଧି କରି ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥାଏ।
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସର ନାମକରଣ ପୂର୍ବରୁ, ପ୍ରଥମେ ୧୯୫୮ରେ ବନ୍ଧୁତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସଂସ୍କୃତିର ପ୍ରଚାର ପାଇଁ ଅଭିଯାନକୁ ପ୍ରୋତ୍ସାହିତ କରୁଥିବା ୱାଲର୍ଡ ଫ୍ରେଣ୍ଡସିପ କ୍ରୁସେଡ ନାମକ ଏକ ଅନ୍ତର୍ଜାତୀୟ ନାଗରିକ ସଂଗଠନ ଦ୍ୱାରା ଏକ ପ୍ରସ୍ତାବ ଦିଆଯାଇଥିଲା। ୧୯୩୦ରେ ଜୋଏସ୍ ହଲ୍ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହଲ୍ ମାର୍କ କାର୍ଡରୁ ଏଭଳି ଦିବସ ପାଳନ ପାଇଁ ପ୍ରେରଣା ମିଳିଥିଲା। ତେବେ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ। ୨୦୨୧ରେ ଏହି ଦିନଟି ଅଗଷ୍ଟ ୧ରେ ପଡୁଛି।