ବିପଦବେଳେ ଯିଏ ଆଗପଛ ନ ଭାବି ବନ୍ଧୁ ପାଇଁ ନିଜ ଜୀବନକୁ ବାଜି ଲଗାଇଦିଏ, ଅସମ୍ଭବକୁ ସମ୍ଭବ କରିଦିଏ ସେ ହିଁ ପ୍ରକୃତ ବନ୍ଧୁ । ସେମିତି କେତେଜଣ ବନ୍ଧୁଙ୍କ କଥା…
ସୁଖରେ ହେଉ କି ଦୁଃଖରେ ଯେ ସବୁବେଳେ ସବୁ କ୍ଷେତ୍ରରେ ପାଖେ ପାଖେ ଥାଇ ଆମକୁ ସାହାରା ଦେଇଥାଏ ସେ ହେଉଛି ବନ୍ଧୁ। ଏପରି କି ବିପଦ ଆସିଲେ ଆମ ପାଇଁ ନିଜ ଜୀବନକୁ ବାଜି ଲଗାଇଦେବାକୁ ବି ସେ ପଛଘୁଞ୍ଚା ଦିଏନି। ସେଥିପାଇଁ ତ କୁହାଯାଏ, ଗୋଟିଏ ପ୍ରକୃତ ବନ୍ଧୁ ସେତେବେଳେ ପାଖରେ ଥାଏ, ଯେତେବେଳେ ଆମକୁ କାହାର ସାହାରା ଦରକାର ଥାଏ। ଏଠାରେ ସେମିତି କେତେଜଣ ପ୍ରକୃତ ବନ୍ଧୁଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି; ଯେଉଁମାନେ ବନ୍ଧୁ ପାଇଁ ଏମିତି କିଛି କାମ କରିଯାଇଛନ୍ତି; ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ…
ଲିଭର ଦେଇ ବଞ୍ଚାଇଲେ ବନ୍ଧୁର ଜୀବନ
ବେଳେବେଳେ ବନ୍ଧୁତା ଏତେ ନିବିଡ଼ ହୋଇଯାଏ ଯେ, ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ଆଉ ଜଣେ ବନ୍ଧୁ ତା’ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଏ ନାହିଁ; ଯାହାର ଏକ ନିଚ୍ଛକ ଉଦାହରଣ ଏଇ କିଛି ବର୍ଷ ତଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣାଟି ଥିଲା ଏମିତି: ପୂଜା ଓ ତାଙ୍କ ସ୍ବାମୀ ଅନୁରାଗ ଭଟନାଗର ୨୦୦୫ ମସିହାରେ ୟୁକେକୁ କୌଣସି ଏକ କୋର୍ସ କରିବା ପାଇଁ ଯାଇଥିଲେ। ସେଠାରେ ପ୍ରସନ୍ନ ଗୋପୀନାଥ ଓ ତାଙ୍କ ପତ୍ନୀ ନିରମିତୀଙ୍କ ସହ ସେମାନଙ୍କର ପରିଚୟ ହୋଇଗଲା। ପ୍ରସନ୍ନ ଓ ନିରମିତୀ ବି ୟୁକେକୁ ପାଠ ପଢ଼ିବାକୁ ଯାଇଥିଲେ। କ୍ରମେ ସେମାନଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାରୁ ସମସ୍ତେ ମିଶି ସେଠାରେ ଏକ ଫ୍ଲାଟ୍ ଭଡ଼ା ନେଇ ଏକାଠି ରହିବାକୁ ଲାଗିଲେ। ବୟସରେ ପୂଜା ଓ ଅନୁରାଗ ବଡ଼ ଥିବାରୁ ତାଙ୍କୁ ଭାଇଭାଉଜ ବୋଲି ଡାକୁଥିଲେ ପ୍ରସନ୍ନ ଓ ନିରମିତୀ ଆଉ ସେମାନଙ୍କୁ ଯଥେଷ୍ଟ ସମ୍ମାନ ବି ଦେଉଥିଲେ। ଅନ୍ୟପକ୍ଷେ ପୂଜା ଓ ଅନୁରାଗ ବି ପ୍ରସନ୍ନ ଓ ନିରମିତୀଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ ଆଉ ତାଙ୍କର ସବୁ ଭଲମନ୍ଦ ବୁଝୁଥିଲେ। ବନ୍ଧୁତାରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ କ୍ରମେ ପାରିବାରିକ ସମ୍ପର୍କରେ ପରିଣତ ହୋଇଯାଇଥିଲା। ହସଖୁସିରେ ୪ ବର୍ଷ କେମିତି ବିତିଗଲା ଜଣାପଡ଼ିଲାନି। ୨୦୦୯ରେ ପ୍ରସନ୍ନ ଓ ନିରମିତୀଙ୍କ ପଢ଼ା ସରିଯିବାରୁ ସେମାନେ ନିଜ ବାସସ୍ଥାନ ଚେନ୍ନାଇ ଫେରି କିଛି ଗୋଟେ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ପୂଜା ଓ ଅନୁରାଗଙ୍କ ଠାରୁ ଶ୍ରଦ୍ଧେୟ ବିଦାୟ ନେଇ ସେମାନେ ଚେନ୍ନାଇ ଆସି ଏକ କୁକୁର ଟ୍ରେନିଂ ସେଣ୍ଟର ଖୋଲି ନିଜର ଗୁଜୁରାଣ ମେଣ୍ଟାଇବାକୁ ଆରମ୍ଭ କଲେ। ଅନ୍ୟପକ୍ଷେ ଏହାର କିଛିଦିନ ପରେ ପୂଜା ଓ ଅନୁରାଗଙ୍କର ମଧ୍ୟ କୋର୍ସ ସରିଯିବାରୁ ସେମାନେ ଗୁରୁଗାଓଁରେ ଆସି ସ୍ଥାୟୀ ଭାବେ ରହିବାକୁ ଲାଗିଲେ। ପୂଜା ଗୁରୁଗାଓଁରେ ଶିକ୍ଷକତା କରୁଥିଲେ। ଦୂରରେ ରହୁଥିଲେ ବି ପୂଜା, ଅନୁରାଗ ଓ ପ୍ରସନ୍ନ, ନିରମିତୀ ମଝିରେ ମଝିରେ ଫୋନ୍ ଯୋଗେ କଥା ହୋଇ ପରସ୍ପରର ଭଲମନ୍ଦ ବୁଝୁଥିଲେ। ବେଶ୍ କିଛି ବର୍ଷ ଏମିତି ବିତିଗଲା। ୨୦୧୭ରେ ହଠାତ୍ ପୂଜାଙ୍କର ଦେହ ଭୀଷଣ ଖରାପ ହୋଇଗଲା। ପୂର୍ବରୁ ଯେହେତୁ ତାଙ୍କର ଲିଭର୍ (ଯକୃତ) ସମସ୍ୟା ଟିକେ ଥିଲା ତେଣୁ ସେ ନିୟମିତ ଔଷଧ ଖାଉଥିଲେ। ହେଲେ ୨୦୧୭ରେ ତାଙ୍କର ଲିଭର୍ ସମସ୍ୟା ଏତେ ବଢ଼ିଗଲା ଯେ, ତାହା ଆଉ ଔଷଧରେ ଭଲ ହେବନାହିଁ ବରଂ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରିବା ନିହାତି ଜରୁରୀ ବୋଲି ଡାକ୍ତର ଅନୁରାଗଙ୍କୁ ଜଣାଇଦେଲେ। କିନ୍ତୁ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର୍ କେଉଁଠୁ ଆସିବେ ଆଉ ଏସବୁ ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ତାହା କେଉଁଠୁ ଆସିବ ତାକୁ ନେଇ ଖୁବ୍ ଚିନ୍ତାରେ ପଡ଼ିଗଲେ ଅନୁରାଗ। ରକ୍ତ ସମ୍ପର୍କୀୟମାନଙ୍କୁ ଜଣାଇବାରୁ କେତେ ଜଣ ଲିଭର୍ ଦାନ କରିବାକୁ ରାଜି ହେଲେ ନାହିଁ ଆଉ ଯେଉଁମାନେ ରାଜି ହେଲେ ସେମାନଙ୍କର କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଡାକ୍ତର ସେମାନଙ୍କର ଲିଭର୍ ନେବାକୁ ମନା କରିଦେଲେ। ଅନ୍ୟ କିଛି ଉପାୟ ନ ପାଇ ଶେଷରେ ସୋସିଆଲ ମିଡିଆର ସାହାଯ୍ୟ ନେଲେ ଅନୁରାଗ। ଫେସ୍ବୁକ୍ରେ ନିଜ ପତ୍ନୀଙ୍କର ଫଟୋ ଏବଂ ତାଙ୍କର ଲିଭର୍ ସମସ୍ୟା ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟକୁ ପୋଷ୍ଟ କରି ସାଧାରଣ ଲୋକମାନଙ୍କୁ ସାହାଯ୍ୟର ଭିକ୍ଷା ମାଗିଲେ ଅନୁରାଗ। ସୌଭାଗ୍ୟକୁ ଏହି ଫେସ୍ବୁକ୍ରୁ ହିଁ ପ୍ରସନ୍ନ ଓ ନିରମିତୀ ପୂଜାଙ୍କର ଏଭଳି ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଜାଣି ସବୁକାମ ଛାଡ଼ି ସଙ୍ଗେସଙ୍ଗେ ପୂଜା ଚିକିତ୍ସାଧୀନ ଥିବା ଡାକ୍ତରଖାନାରେ ଆସି ପହଞ୍ଚତ୍ଗଲେ। ଅନୁରାଗଙ୍କଠାରୁ ସବୁ କଥା ଶୁଣି ପ୍ରଥମେ ନିରମିତୀ ପୂଜାଙ୍କୁ ନିଜର ଗୋଟେ ଅଂଶ ଲିଭର୍ ଦେବା ପାଇଁ ରାଜି ହେଲେ। କିନ୍ତୁ ପରୀକ୍ଷା କରାଯିବାରୁ ତାଙ୍କର ଫ୍ୟାଟି ଲିଭର୍ ବାହାରିଲା; ଯଦ୍ଦ୍ବାରା ସେ ଆଉ ଲିଭର୍ ଡୋନେଟ୍ କରିପାରିଲେ ନାହିଁ। ତା’ପରେ ପ୍ରସନ୍ନ ନିଜର ପରୀକ୍ଷା କରାଇଲେ। ପ୍ରଭୁଙ୍କ କୃପାରୁ ତାଙ୍କର ସବୁକିଛି ଠିକ୍ଠାକ୍ ରିପୋର୍ଟ ବାହାରିଲା। ହେଲେ ପୁଣି ଗୋଟେ ସମସ୍ୟା ଉପୁଜିଲା। ଡାକ୍ତରଖାନାର କିଛି ଷ୍ଟାଫ୍ ଅନୁରାଗଙ୍କୁ କହିଲେ, ”ନିୟମ ଅନୁଯାୟୀ ଯଦି ଜଣେ ଜୀବନ୍ତ ଲୋକ କାହାକୁ ଲିଭର୍ ଦାନ କରିବ ତା’ହେଲେ ସିଏ ରୋଗୀଙ୍କର କେହି ଜଣେ ରକ୍ତ ସମ୍ପର୍କୀୟ ନଚେତ୍ ନିକଟ ସମ୍ପର୍କୀୟ ହୋଇଥିବା ଆବଶ୍ୟକ। ତେଣୁ ପ୍ରସନ୍ନ ଯେ ଆପଣଙ୍କର ଜଣେ ସମ୍ପର୍କୀୟ ତାହାର ପ୍ରମାଣ ଆପଣ ପ୍ରଥମେ ଦିଅନ୍ତୁ।“ ତା’ପରେ ଅନୁରାଗ ଓ ପ୍ରସନ୍ନ ୟୁକେରେ ଏକାଠି ଥିଲାବେଳର କିଛି ଫଟୋ ଓ ଡକ୍ୟୁମେଣ୍ଟକୁ ଯୋଗାଡ଼ କରି ଆଣି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ; ଯେଉଁଥିପାଇଁ ଅପରେଶନ ଆହୁରି ୨/୩ ଘଣ୍ଟା ବିଳମ୍ବ ହୋଇଗଲା। ଶେଷରେ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରମାଣ ଠିକ୍ଠାକ୍ ଲାଗିବାରୁ ସେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନୁମତି ଦେଇଥିଲେ। ସତରେ ଦୀର୍ଘ ୧୨ ବର୍ଷ ତଳେ ଗଢ଼ି ଉଠିଥିବା ବନ୍ଧୁତାକୁ ମନେପକାଇ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁର ଜୀବନ ବଞ୍ଚାଇବାକୁ ଯେ କ’ଣ କରିପାରେ ତାହା ପ୍ରସନ୍ନ ଏ ଦୁନିଆକୁ ଦେଖାଇ ଏକ ଉଦାହରଣ ସୃଷ୍ଟି କଲେ।
ଦୃଷ୍ଟିବାଧିତ ବନ୍ଧୁଙ୍କ ସ୍ମୃତିରେ ଖୋଲିଲେ
ଆଇ ଡୋନେଶନ ସେଣ୍ଟର
ସ୍ବପ୍ନିଲ ଗାଓ୍ବଣ୍ଡେ; ଯିଏ କି ଦିଶା ଇଣ୍ଟରନ୍ୟାଶନାଲ ଆଇବ୍ୟାଙ୍କ୍ର ସଂସ୍ଥାପକ ଭାବେ ବେଶ୍ ଜଣାଶୁଣା; ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଗରିବ ଦୃଷ୍ଟିବାଧିତ ଫେରିପାଇଛନ୍ତି ନିଜର ଦୃଷ୍ଟିଶକ୍ତି। ତେବେ ଏଭଳି ଏକ ସମାଜମଙ୍ଗଳ କାମ କରିବା ପାଇଁ ସେ ତାଙ୍କ ପିଲାଦିନର ଜଣେ ସାଙ୍ଗଙ୍କଠାରୁ ପ୍ରେରଣା ପାଇଥିବା ସ୍ବୀକାର କରନ୍ତି। ଘଟଣାଟି ଥିଲା ଏମିତି: ମହାରାଷ୍ଟ୍ରର ଅମରାବତୀ ଜିଲାରେ ରହୁଥିବା ସ୍ବପ୍ନିଲଙ୍କର ଜଣେ ଅତି ପ୍ରିୟ ସାଙ୍ଗ ଥିଲେ ଅବ୍ଦୁଲ; ଯିଏ କି ଜନ୍ମରୁ ଥିଲେ ଦୃଷ୍ଟିବାଧିତ। ମା’ ଛେଉଣ୍ଡ ଅବ୍ଦୁଲଙ୍କୁ ମୂଲ ଲାଗି ଭାରି କଷ୍ଟରେ ବଢ଼ାଉଥିଲେ ତାଙ୍କ ବାପା। ସେ ସମୟରେ ଅମରାବତୀ ଅଞ୍ଚଳରେ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ସେମିତି କିଛି ଖାସ୍ ସୁବିଧା ନ ଥିଲା। ଅନ୍ୟତ୍ର କୁଆଡ଼େ ଅବ୍ଦୁଲଙ୍କୁ ନେଇ ଚକ୍ଷୁ ଅସ୍ତ୍ରୋପଚାର କରାଇବା ବି ଅବ୍ଦୁଲଙ୍କ ବାପାଙ୍କ ପକ୍ଷେ ସମ୍ଭବପର ନ ଥିଲା। ସାଙ୍ଗର ଏଭଳି ଅବସ୍ଥା ଦେଖି ସ୍ବପ୍ନିଲଙ୍କୁ ଭାରି କଷ୍ଟ ହେଉଥିଲା। ବଡ଼ ହୋଇ ଚାକିରି କଲେ ଅବ୍ଦୁଲଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଇବେ ବୋଲି ମନେ ମନେ ସ୍ଥିର କରିଥିଲେ ସ୍ବପ୍ନିଲ। ହେଲେ ଦୁର୍ଭାଗ୍ୟ ୨୦୦୬ ମସିହାରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଅବ୍ଦୁଲଙ୍କର ମୃତ୍ୟୁ ହୋଇଗଲା। ସେବେଠାରୁ ସ୍ବପ୍ନିଲ ମନେମନେ ସ୍ଥିର କରିଥିଲେ ନିଜ ଅଞ୍ଚଳରେ ଥିବା ଦୃଷ୍ଟିବାଧିତ ଲୋକମାନଙ୍କ ପାଇଁ କିଛି ଗୋଟେ କରିବେ। ଖୁବ୍ ଭଲ ପଢୁଥିଲେ ସ୍ବପ୍ନିଲ। ସେଥିପାଇଁ ସ୍କୁଲ୍ରେ ଯେବେ ବି କିଛି ରଚନା କି ବକ୍ତ୍ବୃତା ପ୍ରତିଯୋଗିତା ହେଉଥିଲା ସ୍ବପ୍ନିଲ ସବୁବେଳେ ଚକ୍ଷୁଦାନ ବିଷୟକୁ ହିଁ ବାଛୁଥିଲେ। ଏହାର କିଛିଦିନ ପରେ ସ୍ବପ୍ନିଲଙ୍କ ବାପା ମଧ୍ୟ ଏହି ଚକ୍ଷୁ ଅସ୍ତ୍ରୋପଚାରକୁ ନେଇ ମନରେ ଏକ ଶକ୍ତ ଆଘାତ ପାଇଲେ। ସ୍ବପ୍ନିଲଙ୍କ ବାପା ଅରୁଣ ସ୍ଥାନୀୟ ଏକ ଫାର୍ମରେ କାମ କରୁଥିଲେ। ଅରୁଣଙ୍କର ଜଣେ ବନ୍ଧୁଙ୍କ ପୁଅର ହଠାତ୍ ଏକ ଦୁର୍ଘଟଣାରେ ଗୋଟିଏ ଚକ୍ଷୁ ନଷ୍ଟ ହୋଇଗଲା। ଚକ୍ଷୁ ଅସ୍ତ୍ରୋପଚାର ପାଇଁ ସ୍ଥାନୀୟ ଅଞ୍ଚଳରେ କିଛି ସୁବିଧା ନ ଥିବାରୁ ପିଲାଟିର ଚକ୍ଷୁଟି ଆଉ ଭଲ ହୋଇପାରିଲା ନାହିଁ; ଯାହା ଅରୁଣଙ୍କୁ ଖୁବ୍ ବାଧିଥିଲା। ବାସ୍ ସେବେଠାରୁ ଅରୁଣ ବି ପୁଅ ସ୍ବପ୍ନିଲଙ୍କ ସହ ମିଶି ଚକ୍ଷୁଦାନ ଓ ଚକ୍ଷୁ ଅପରେଶନକୁ ନେଇ ଲୋକ ସଚେତନତା କାର୍ଯ୍ୟ କରିବାକୁ ଲାଗିଲେ। ଅନ୍ୟତ୍ର ସ୍ଥାନରେ ଥିବା ଚକ୍ଷୁ ଚିକିତ୍ସାଳୟକୁ ଯାଇ ସେଠାକାର ଡାକ୍ତରମାନଙ୍କ ସହ ପରାମର୍ଶ କଲେ। ଆଉ ଶେଷରେ ୨୦୧୦ରେ ସେମାନେ ‘ଦିଶା ମେଡିକାଲ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନ’ ନାମରେ ଏକ ଏନ୍ଜିଓ ସଂସ୍ଥା ରେଜିଷ୍ଟ୍ରେଶନ କଲେ। ଏହି ସଂସ୍ଥାର ମୁଖ୍ୟ କାମ ଥିଲା ଅମରାବତୀ ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ଆଇ କ୍ୟାମ୍ପ ପକାଇ ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗଇଦେବା। ଆବଶ୍ୟକ କ୍ଷେତ୍ରରେ ଦୃଷ୍ଟିହୀନ ଲୋକମାନଙ୍କର ଅପରେଶନ କରାଇ ସେମାନଙ୍କୁ ଦୁନିଆ ଦେଖାଇବା ଏବଂ ଲୋକମାନଙ୍କ ଭିତରେ ଚକ୍ଷୁଦାନକୁ ନେଇ ସଚେତନତା ସୃଷ୍ଟି କରାଇବା। ଏହି କାମକୁ ସଫଳ କରିବା ପାଇଁ ବେଶ୍ କିଛି ଦିନ ଯାଏ ସ୍ବପ୍ନିଲ ଓ ତାଙ୍କ ବାପାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି; ଯାହାର ଫଳ ସ୍ବରୂପ ଧୀରେ ଧୀରେ ଲୋକମାନେ ସଚେତନ ହୋଇଛନ୍ତି। ଚକ୍ଷୁଦାନ ପାଇଁ ଖୁସିରେ ସେମାନେ ନାଁ ରେଜିଷ୍ଟ୍ରେଶନ କରିବା ସହ କିଛି ଲୋକ ଏହି ସଂସ୍ଥାକୁ ଚଳାଇବା ପାଇଁ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ତା’ସହିତ ଏହି କାମରେ ସ୍ବପ୍ନିଲଙ୍କୁ ସହଯୋଗ କରିବାକୁ କିଛି ବଦାନ୍ୟ ବ୍ୟକ୍ତି, ଯୁବପିଢ଼ି ତଥା ଡାକ୍ତର ବି ଆଗକୁ ଆସିଛନ୍ତି। ସମସ୍ତଙ୍କ ଚେଷ୍ଟାରେ ଓ ସହଯୋଗରେ ସେବେଠାରୁ ଏପର୍ଯ୍ୟନ୍ତ ଏହି ସଂସ୍ଥା ଜରିଆରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କର ମାଗଣାରେ ଚକ୍ଷୁ ଅପରେଶନ ହୋଇସାରିଲାଣି। ତା’ସହିତ ଲକ୍ଷାଧିକ ଲୋକ ସ୍ବଇଚ୍ଛାରେ ଚକ୍ଷୁଦାନ ପାଇଁ ଏଠି ନାଁ ରେଜିଷ୍ଟ୍ରେଶନ ମଧ୍ୟ କରିସାରିଲେଣି। କେବଳ ସେତିକି ନୁହେଁ, ଏହି ସଂସ୍ଥା ତରଫରୁ ୫ଟି ଆଇ ବ୍ୟାଙ୍କ୍ ମଧ୍ୟ ବିଭିନ୍ନ ସ୍ଥାନରେ କରାଯାଇଛି ଆଉ ସବୁଠି ଲୋକମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ତେବେ ଦିନେ ସ୍ବପ୍ନିଲ ସ୍କୁଲ ପଢ଼ା ପରେ ଉଚ୍ଚଶିକ୍ଷା ପାଇଁ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ନାଁ ଲେଖାଇବାକୁ ସୁଯୋଗ ପାଇଥିଲେ। କିନ୍ତୁ ସେଠି ପଢ଼ିଲେ କାଳେ ସେ ଦେଖିଥିବା ସ୍ବପ୍ନ ଅପୂରଣ ରହିଯିବ ସେଥିପାଇଁ ସେଠାରେ ନାଁ ନ ଲେଖାଇ ନିଜ ଅଞ୍ଚଳରେ ଥିବା ସାଧାରଣ କଲେଜରେ ପଢ଼ି ସେ ତାଙ୍କର ସ୍ନାତକ ଡିଗ୍ରୀ ଶେଷ କରିଥିଲେ। ତେବେ ସେ ଯାହା ବି ହେଉ ସ୍ବପ୍ନିଲ ତାଙ୍କର ଜଣେ ବାଲ୍ୟବନ୍ଧୁର ଆଖି ସିନା ଠିକ୍ କରିପାରି ନ ଥିଲେ କିନ୍ତୁ ଆଜି ସେହି ସାଙ୍ଗର ସ୍ମୃତିରେ ହଜାର ହଜାର ଦୃଷ୍ଟିହୀନଙ୍କର ଆଖି ଠିକ୍ କରି ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି।
ଦୁଇ ସାଙ୍ଗଙ୍କଠାରେ ଲାଗିଲା ଜଣଙ୍କର କିଡ୍ନୀ
ଲେଖାଟି ପଢ଼ି ଆଶ୍ଚର୍ଯ୍ୟ ଲାଗୁଛି ନା; କିନ୍ତୁ ପ୍ରକୃତରେ ଏମିତି ଏକ ଅଜବ ଘଟଣା ଏଇ କିଛିଦିନ ତଳେ କାଲିଫର୍ନିଆରେ ଘଟିଯାଇଛି।
୨୦୨୧ ମସିହା ଫେବୃୟାରୀ ମାସର କଥା। ହଠାତ୍ ଇଣ୍ଟରନେଟ୍ର ଏକ ଖବର ବେଶ୍ ଚର୍ଚ୍ଚାର ପରିସରକୁ ଆସିଲା। କାଲିଫର୍ନିଆର ପୋମୋନା ନାମକ ଏକ ସ୍ଥାନରେ ପ୍ରାୟ ୬ ବର୍ଷ ବୟସର ଦୁଇଟି କୋମଳମତି ପିଲାଙ୍କର କିଡ୍ନୀ ଅପରେଶନ ସଫଳତାର ସହ ଶେଷ ହୋଇଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୨ଟି ପିଲାଙ୍କଠାରେ ଯେଉଁ କିଡ୍ନୀ ଲାଗିଛି ତାହା ହେଉଛି ଜଣେ ବ୍ୟକ୍ତିଙ୍କର। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କର ଦୁଇଟି କିଡ୍ନୀରୁ ଗୋଟେ ଲେଭି ସାଲ୍ଡିଭାର୍ ଓ ଅନ୍ୟଟି ବ୍ରିୟାନ୍ ଟିନାଜେରୋଙ୍କଠାରେ ପ୍ରତିରୋପଣ କରାଯାଇଛି। ଲେଭି ଓ ବ୍ରିୟାନ୍ ଉଭୟଙ୍କର ଜନ୍ମ ଗୋଟିଏ ସ୍ଥାନରେ ଆଉ ସେମାନଙ୍କର ବୟସ ବି ପାଖାପାଖି ସମାନ। ହେଲେ କେହି କାହାକୁ ପୂର୍ବରୁ ଦେଖା ହୋଇ ନ ଥିଲେ। ଲେଭିଙ୍କର ଜନ୍ମରୁ କିଡ୍ନୀଜନିତ ସମସ୍ୟା ଥିଲା; ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଔଷଧ ଦେଇ ଚିକିତ୍ସା କରାଯାଉଥିଲା। ପରେ ପରେ ଔଷଧ କାମ ନ ଦେବାରୁ ତାଙ୍କର କେତେଥର ଡାଏଲିସିସ୍ ମଧ୍ୟ ହୋଇଥିଲା। ତା’ସହିତ ଛୋଟମୋଟ ଅନେକ ସର୍ଜରି ବି ତାଙ୍କର କରାଯାଇଥିଲା। ସେଥିରେ ବି କିଛି ଭଲ ନ ହେବାରୁ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଯେହେତୁ ଡୋନର୍ ମିଳି ନ ଥିଲେ ସେଥିପାଇଁ ଡାଏଲିସିସ୍ ଓ ଔଷଧ ଜାରି ରହିଥିଲା। ଅନ୍ୟପକ୍ଷେ ବ୍ରିୟାନ୍ଙ୍କର ଜନ୍ମରୁ ହାର୍ଟ ଓ କିଡ୍ନୀ ଉଭୟ ସମସ୍ୟା ରହିଥିଲା। ଲେଭିଙ୍କୁ ଯେଉଁ ଡାକ୍ତର ଦେଖୁଥିଲେ ବ୍ରିୟାନ୍ଙ୍କୁ ବି ସେହି ଡାକ୍ତର ଚିକିତ୍ସା କରୁଥିଲେ। ଲେଭିଙ୍କ ପରି ବ୍ରିୟାନ୍ଙ୍କର ବି କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ନିହାତି ଜରୁରୀ ଥିଲା। କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର୍ ଆବଶ୍ୟକ ବୋଲି ଉଭୟ ଲେଭି ଓ ବ୍ରିୟାନ୍ଙ୍କ ମା’ ନାଁ ରେଜିଷ୍ଟର୍ଡ ଗୋଟିଏ ଜାଗାରେ କରାଇଥିଲେ କିନ୍ତୁ ଭିନ୍ନ ଭିନ୍ନ ସମୟରେ। ଭାଗ୍ୟକୁ ଡୋନର୍ ବି ମିଳିଲେ ଆଉ ଉଭୟଙ୍କ ପାଖକୁ ଫୋନ୍ ଗଲା। ନିର୍ଦ୍ଧାରିତ ଦିନ ଉଭୟ ମା’ ତାଙ୍କ ପିଲାଙ୍କୁ ନେଇ ଯେତେତେବେଳେ ଡାକ୍ତରଖାନାରେ ପହଞ୍ଚତ୍ ଜାଣିଲେ ଯେ, ଗୋଟିଏ ଡୋନ୍ରଙ୍କ ଠାରୁ ସେମାନଙ୍କ ପିଲା ଦୁହେଁ କିଡ୍ନୀ ପାଇବେ ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ ସେବେଠାରୁ ତାଙ୍କ ଭିତରେ ଏକ ନୂଆ ସମ୍ପର୍କ ଗଢ଼ି ଉଠିଲା। କେବଳ ମା’ କାହିଁକି ସେମାନଙ୍କ ପିଲା ବି ପରସ୍ପରକୁ ବନ୍ଧୁ ଭାବେ ବାଛିନେଲେ। ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଯାହା କିଛି ବି ଶାରୀରିକ ପରୀକ୍ଷା ନିରୀକ୍ଷା ଥାଏ ସବୁଥିରେ ଉଭୟ ଲେଭି ଓ ବ୍ରିୟାନ୍ ପାସ୍ କରିଗଲେ। ତା’ପରେ ସଫଳତାର ସହ ସେମାନଙ୍କର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତେବେ ଅପରେଶନ୍ ପୂର୍ବରୁ ଡାକ୍ତରଖାନାର ପୋଷାକ ପିନ୍ଧିଥିବା ପିଲା ଦୁଇଟିଙ୍କର ଫଟୋ ଇଣ୍ଟରନେଟ୍ରେ ଦେଖି ଆଉ ତାଙ୍କର କାହାଣୀ ପଢ଼ି ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ ଆଉ ପ୍ରାର୍ଥନା କରିଥିଲେ ପିଲା ଦୁଇଟିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ।
ବନ୍ଧୁଙ୍କ ଜୀବନ ପାଇଁ ପରିବାରବର୍ଗ ଦାନ କରିଦେଲେ ଅଙ୍ଗ
ଏଡ୍ଓ୍ବାର୍ଡ ଜପାଟା, ଅର୍ନୋଲ୍ଡ ଜପାଟା ଏବଂ ମାନୁଏଲ୍ ଗୋଞ୍ଜାଲେଜ୍ ଥ୍ରୀ ପରସ୍ପର ଭଲ ସାଙ୍ଗ। ସେମାନେ ସମସ୍ତ ଟେକ୍ସାସ୍ର ସିସିଏଡି ନାମକ ଏକ ଆର୍ମି ଡିପୋର୍ଟରେ ଏକାଠି କାମ କରୁଥିଲେ। ୨୦୦୬ରୁ ସେମାନଙ୍କର ପରିଚୟ। ତେବେ ଏଡଓ୍ବାର୍ଡ ଜପାଟା ଓ ଅର୍ନୋଲ୍ଡ ଜପାଟା ସମ୍ପର୍କରେ ଦୁଇ ଭାଇ ବି। ୨୦୧୪ ମସିହାରେ ମାନୁଏଲ୍ଙ୍କର ଚାକିରି କାଳ ପୂରି ଯିବାରୁ ସେ ଅବସର ନେଇଗଲେ। କିନ୍ତୁ ସାଙ୍ଗମାନଙ୍କ ସହ ତାଙ୍କର ସମ୍ପର୍କ ସେମିତି ଥିଲା। ମାନୁଏଲ୍ଙ୍କର କିଡ୍ନୀ ସମସ୍ୟା ଥିଲା; ଯେଉଁକଥା ଅର୍ନୋଲ୍ଡ ବି ଜାଣିଥିଲେ। ଏପରିକି କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା କଥା ବି ସେ ଜାଣିଥିଲେ। ହେଲେ ଏ ନେଇ ତାଙ୍କ ଭାଇ ଏଡଓ୍ବାର୍ଡଙ୍କୁ କିଛି ବି କହି ନ ଥିଲେ। କାରଣ ତାଙ୍କର ହାର୍ଟ ସମସ୍ୟା ଥିଲା। କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର୍ ଚେଷ୍ଟାରେ ଉଭୟ ଅର୍ନୋଲ୍ଡ ଓ ମାନୁଏଲ୍ ଥିଲେ। ଏହି ସମୟରେ ହଠାତ୍ ଏକ ଦୁଃଖଦ ଘଟଣା ଘଟିଲା। ୨୦୧୬ ଜୁଲାଇ ୧୪ରେ ଏଡଓ୍ବାର୍ଡଙ୍କର ହାର୍ଟ ଆଟାକ୍ ହେଲା ଆଉ ସେଥିରେ ତାଙ୍କର ମୃତ୍ୟୁ ବି ହୋଇଗଲା। ଏଡଓ୍ବାର୍ଡଙ୍କର ମୃତ ଶରୀରକୁ ଦାହ କରିବାକୁ ପରିବାରବର୍ଗ ଡାକ୍ତରଖାନାରୁ ଆଣିବାକୁ ଯୋଜନା କରୁଥିବାବେଳେ ହଠାତ୍ ଅର୍ନୋଲ୍ଡ ଆସି ଏଡଓ୍ବାର୍ଡଙ୍କର ଦୁଇ ପୁଅଙ୍କୁ ବାପାଙ୍କର କିଡ୍ନୀ ଡୋନେଟ୍ କଥା କହିଲେ। ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ପରେ ଯେତେବେଳେ ସେମାନେ ତାଙ୍କ ବାପାଙ୍କର ବନ୍ଧୁ ମାନୁଏଲ୍ଙ୍କର କିଡ୍ନୀ ସମସ୍ୟା କଥା ଜାଣିଲେ; ତା’ପରେ ନିଜକୁ ସମ୍ଭାଳି ପରିବାର ଲୋକଙ୍କୁ ବୁଝାଇ ଶେଷରେ ବାପାଙ୍କର କିଡ୍ନୀ ଦାନ କରିବାକୁ ରାଜି ହୋଇଗଲେ। ଏ ଘଟଣାରେ ଖୁସି ହେବେ କି ଦୁଃଖିତ ହେବେ ତାହାକୁ ନେଇ କିନ୍ତୁ ବେଶ୍ ଦ୍ୱନ୍ଦ୍ୱରେ ଥିଲେ ଜଣେ ବ୍ୟକ୍ତି, ସେ ହେଲେ ଅର୍ନୋଲ୍ଡ। କାରଣ ଗୋଟେ ପଟେ ଭାଇର ମୃତ୍ୟୁ ଖବର ଏବଂ ଅନ୍ୟ ପଟେ ବନ୍ଧୁ ମାନୁଏଲ୍ର ଜୀବନ ରକ୍ଷା କରିବାକୁ ସଂଘର୍ଷ। ଯାହାବି ହେଉ ଶେଷରେ ମୃତ୍ୟୁ ଶଯ୍ୟାରେ ଶୋଇ ବି ବନ୍ଧୁ ଏଡଓ୍ବାର୍ଡ ତାଙ୍କର ପ୍ରିୟ ବନ୍ଧୁ ମାନୁଏଲ୍ ଗୋଞ୍ଜାଲେଜ ଥ୍ରୀଙ୍କୁ ଯେଉଁ ନୂତନ ଜୀବନ ଦେଇଗଲେ ତାହା ସତରେ ଏ ସମାଜ ପାଇଁ ଏକ ପ୍ରେରଣା।
ସତରେ ବନ୍ଧୁତା ହେବ ତ ଏମିତି। ନିଜ ଜୀବନକୁ ବାଜି ଲଗାଇ ବନ୍ଧୁ ପାଇଁ ଜୀବନ ଦେବାକୁ ପଛାଉ ନ ଥିବା ଏହି ନିଃସ୍ବାର୍ଥପର ବନ୍ଧୁତାକୁ ଶତ ଶତ ସଲାମ୍।