Posted inଫୁରସତ

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହି, ଦେହ ଧରି କିଏ ପାରିବ ସହି

ବନ୍ଧୁତ୍ୱ ଏକ ମିଠା ଅନୁଭବର କଥା। ଆତ୍ମୀୟତାର କଥା। ବନ୍ଧୁତ୍ୱ ସାହସ ଦିଏ, ବନ୍ଧୁତ୍ୱ ଜୀବନକୁ ସଜାଡ଼ି ଦିଏ। କେବେ କାହା ସହିତ କେତେବେଳେ ମଣିଷ ବନ୍ଧୁତ୍ୱ ସୂତ୍ରରେ ଯୋଡ଼ି ହୁଏ ତା’ର କ’ଣ କିଛି ହିସାବ ଥାଏ ? ଟିକିଏ ଖୁସି ପାଇଁ ଜଣେ କାହାକୁ ବି ବନ୍ଧୁ ସ୍ବୀକାର କରିପାରେ…

ଶାସ୍ତ୍ରରେ ଅଛି, ”ଉତ୍ସବେ ବ୍ୟସନ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜ ଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବାଃ।“ ବନ୍ଧୁର ଏହି ସଂଜ୍ଞା ବନ୍ଧୁତାର ପରିସରକୁ ଖୁବ୍‌ ବ୍ୟାପକ ଏବଂ ସମ୍ପ୍ରସାରିତ କରିଦିଏ । ଏହା ବୁଝାଏ ଯେ ବନ୍ଧୁ ହେବା ଲାଗି ନିହାତି ରକ୍ତଗତ ବା ସାମାଜିକ ସମ୍ବନ୍ଧ ରହିବା ଜରୁରୀ ନୁହେଁ। ବନ୍ଧୁତାର ପରିସର ବିସ୍ତୀର୍ଣ୍ଣ ଓ ବ୍ୟାପକ। ମନୁଷ୍ୟର ଯେ କେବଳ ମନୁଷ୍ୟ ସହ ବନ୍ଧୁତା ରୁହେ ତାହା ନୁହେଁ, ଆତ୍ମୀୟତା ଓ ଏକାତ୍ମବୋଧ ଥିଲେ ମନୁଷ୍ୟେତ୍ତର ପ୍ରାଣୀ ଏପରି କି ଉଦ୍ଭିଦ ମଧ୍ୟ ବନ୍ଧୁ ହୋଇପାରିବ। ଆମେ ଆଣ୍ଡ୍ରୋକ୍ଲିସ ଏବଂ ଲାୟନ କାହାଣୀରେ ସିଂହକୁ ମନୁଷ୍ୟର ବନ୍ଧୁ ଭାବରେ ଦେଖିଚେ। ଗ୍ରୀକ୍‌ କାହାଣୀରେ ଡାମନ୍‌ ଓ ପାୟଥିଅସ୍‌ଙ୍କ ବନ୍ଧୁତ୍ୱର କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ। ପାୟଥିଅସ୍‌ ଜାଗାରେ ଡାମନ୍‌ ନିଜ ମୁଣ୍ଡକୁ ଜାମିନରେ ରଖି ଗର୍ବ ଅନୁଭବ କଲାବେଳେ ନିଜ ପାଇଁ ଡାମନ୍‌ କାଳେ ବଳି ପଡିଯିବ ସେଥିପାଇଁ ଅନେକ ଘାତପ୍ରତିଘାତ ସହି ସଠିକ୍‌ ସମୟରେ ପହଞ୍ଚତ୍ୟାଇଥିଲା ପାୟଥିଅସ୍‌। ଏହି ସୂତ୍ରରେ ଆସେ କଥାକାର କାଫ୍‌କାଙ୍କ ସେହି ବନ୍ଧୁଙ୍କ କଥା, ଯାହାଙ୍କୁ ସେ ତାଙ୍କର ଅପ୍ରକାଶିତ ପାଣ୍ଡୁଲିପି ମାନ ଦେଇ ଯାଇଥିଲେ ପଢ଼ି ସାରି ପୋଡ଼ି ଦେବାକୁ । ବନ୍ଧୁ କିନ୍ତୁ କାଫକାଙ୍କ ରଚନାବଳୀ ପଢ଼ି ମୁଗ୍ଧ ହୋଇଥିଲେ ଓ ସେଗୁଡ଼ିକର ପ୍ରଚାର ଏବଂ ପ୍ରସାର ପାଇଁ କାମ କରିଥିଲେ। ସେ ବନ୍ଧୁ ଜଣକ ନ ଥିଲେ ହୁଏତ ପୃଥିବୀ କାଫକାଙ୍କ ମହନୀୟ ସାହିତ୍ୟ କୃତି ସଂସ୍ପର୍ଶରେ ଆଜି ଅଜ୍ଞ ରହିଥାନ୍ତା। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାହାଣୀରେ (କୁକୁର ଓ ହରିଣ) ଡୋରା ଓ ଜଲିଙ୍କ ଭିତରେ ଅସମ୍ଭବ ବନ୍ଧୁତାର ନମୁନା ଦେଖିବାକୁ ମିଳେ। ପ୍ରକୃତରେ ବନ୍ଧୁ ଶବ୍ଦଟି ହିଁ ସକାରାତ୍ମକ। ସଂସର୍ଗ ଭଲ କି ଖରାପ କୁହାଯାଇପାରେ କିନ୍ତୁ ବନ୍ଧୁ ଶବ୍ଦଟି ଯୋଡ଼ି ଦିଆଯାଇଛି ମାନେ ତାହା ଶୁଭଙ୍କର। ବନ୍ଧୁ ସିଏ ଯିଏ ବାନ୍ଧି ହୋଇଥାଏ ତୁମ ସହ ଚିରକାଳ। ବନ୍ଧୁହୀନ ଜୀବନ ମରୁଭୂମି ତୁଲ୍ୟ। ବୋଧହୁଏ ସେଥିପାଇଁ ଗୋପବନ୍ଧୁ ଲେଖିଥିଲେ, ‘ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହି, ଦେହ ଧରି କିଏ ପାରିବ ସହି।’ ବନ୍ଧୁତା ଉତ୍ସାହ ଦିଏ। ପଙ୍ଗୁକୁ ଗିରି ଲଂଘାଏ। ଅନ୍ଧ ପାଇଁ ଦୃଷ୍ଟି ହୋଇ ଠିଆ ହୁଏ। ବନ୍ଧୁତାରେ ନିଜକୁ ନିଃଶେଷ କରିଦେଇ ଯିବାଟା ହିଁ ବଡ଼ କଥା। ବନ୍ଧୁତ୍ୱର ଗଭୀରତାକୁ ନେଇ ବିଶେଷ ଉପସ୍ଥାପନା…

ବହି ଓ ଗଛ ମୋ ଅବସରର ବନ୍ଧୁ: ବିଶିଷ୍ଟ ଶିଶୁ ସାହିତି୍ୟକ, ପେସାରେ ଶିକ୍ଷକ ହେଲେ ବହି ଆଉ ଗଛମାନଙ୍କୁ ନେଇ ତାଙ୍କର ଜୀବନ। ସେ ହେଲେ ବୀରେନ୍ଦ୍ର ସାମନ୍ତରାୟ। ଘର ଖୋର୍ଦ୍ଧା ଜିଲା ପାଳସାହିରେ। ଅନେକ ଶିଶୁ ସାହିତ୍ୟର ରଚୟିତା ବୀରେନ୍ଦ୍ର ସାମନ୍ତରାୟ ଜଣେ ଆଦର୍ଶ ଶିକ୍ଷକ ହେବା ସହ ପରିବେଶବିତ୍‌ ମଧ୍ୟ। ଏଥିସହ ନିଜ ଚେଷ୍ଟାରେ ସ୍କୁଲ କରିବା ସହ ମାତ୍ର ଟଙ୍କାଏ ଟଙ୍କାଏ ଅନୁଦାନ ନେଇ ସ୍କୁଲ ପରିଚାଳନା କରିବାର ବିରଳ ଉହାହରଣ ବି ସୃଷ୍ଟି କରିଛନ୍ତି। ଅସଂଖ୍ୟ ଗଛ ଆଉ ଅଜସ୍ର ବହିକୁ ନେଇ କଟୁଛି ଏବେ ତାଙ୍କର ଅବସର ସମୟ। ସେ କୁହନ୍ତି, ‘ବହି ଆଉ ଗଛକୁ ବାଦ୍‌ ଦେଲେ ମୋ ଜୀବନରେ ଅଛି ଆଉ କ’ଣ ? ସବୁବେଳେ ଭାବେ ଜନ୍ମ ନେଇଛି ଯେତେବେଳେ ମରିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ପରିବେଶ ଲାଗି କିଛି କରିପାରୁଥିବି। ଶିକ୍ଷକତା କରୁଥିବା ସମୟରେ ସ୍କୁଲରେ ବହୁତ ଗଛ ଲଗାଉଥିଲି। ପ୍ରତ୍ୟେକ ପିଲାଙ୍କୁ ଚାରା ଦେଉଥିଲି। ପ୍ରତ୍ୟେକ ଲୋକ ଗଛ ଲଗାନ୍ତୁ, ପରିବେଶ ପ୍ରତି ସଚେତନ ରୁହନ୍ତୁ। ଏହା ହିଁ ମୋର ଇଚ୍ଛା। ଆଉ ଏବେ ଅବସର ପରେ ପ୍ରତିଦିନ ଗଛ ଚାରା ପ୍ରସ୍ତୁତ କରି ଗୋଟିଏ ଛକ ଜାଗାରେ ରଖିଦେଉଛି। ପାଖାପାଖି ପାଞ୍ଚ-ଛଅଟି ଗାଅଁାର ଲୋକ, ଯାହାର ଯେଉଁ ଚାରା ଆବଶ୍ୟକ ସେମାନେ ଆସି ସେଠୁ ନେଇଯାଉଛନ୍ତି। ଏହା ମାଗଣାରେ ବିତରଣ କରାଯାଉଛି। ଏଥିପାଇଁ ମୋ ପାଖରେ ଦୁଇଟି ପିଲା ଅଛନ୍ତି, ଯେଉଁମାନେ ମୋତେ କାମରେ ସହଯୋଗ କରୁଛନ୍ତି। ଏହାବ୍ୟତୀତ ରହିଛି ଏକ ଲାଇବ୍ରେରୀ। ସେହି ପିଲା ଦୁଇ ଜଣ ଏଥିରେ ବି ସହଯୋଗ କରୁଛନ୍ତି। ଏହାଛଡ଼ା ଅନେକ ବ୍ୟକ୍ତି ବିଶେଷକରି ଅବସର ନେଇସାରିଥିବା ବ୍ୟକ୍ତି, ଯାହାଙ୍କ ପାଖରେ ବହୁତ ବହି ଅଛି, କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବାକୁ ଆଗକୁ କେହି ନାହାନ୍ତି, ସେମାନେ ମୋ ସହିତ ଯୋଗାଯୋଗ କରି ମୋତେ ସେହି ସବୁ ବହି ଦେଉଛନ୍ତି। ବହିକୁ ଆଣିବା ପରେ ମୁଁ ଆବଶ୍ୟକତାକୁ ଦେଖି ବିଭିନ୍ନ ଲାଇବ୍ରେରୀକୁ ପଠାଉଛି। କିଛି ଶିଶୁ ସାହିତ୍ୟ ମୋ ଲାଇବ୍ରେରିରେ ରଖେ। ଏହି ସବୁ କାମ ଭିତରେ କେମିତି ମୋ ଦିନରାତି କଟୁଛି ତାହା ମୁଁ ଜାଣିପାରୁନି। ଆଜି ଅଶୀ ବର୍ଷ ବୟସରେ ବି ମୁଁ ଗଛ ଆଉ ବହିକୁ ନେଇ ବେଶ୍‌ ଖୁସି ଅଛି। ବହି ଆଉ ଗଛ ଏବେ ମୋର ବନ୍ଧୁ ପାଲଟି ଯାଇଛନ୍ତି।
ମୋ ଶବ୍ଦ ସାମ୍ରାଜ୍ୟରେ ମୁଁ ଜଣେ ସୁଖୀ ମଣିଷ: ଜଗତ୍‌ସିଂହପୁର ଜିଲାର ତୁଳସୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ଜଣେ ଆଦର୍ଶ ଏବଂ ଶୃଙ୍ଖଳିତ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ଜଣାଶୁଣା ଏବଂ ଓଡ଼ିଆ ସାହିତ୍ୟ ଜଗତରେ ଏକ ଶ୍ରଦ୍ଧାଶୀଳ ନାମ। ପାଞ୍ଚୋଟି ଗଳ୍ପ ଏବଂ କବିତା ସଙ୍କଳନର ରଚୟିତା ବୀଣାପାଣି ପରିବାର ଓ ପିଲାଙ୍କୁ ପ୍ରାଥମିକତା ଦେବା ଭିତରେ ନିଜ ଜୀବନ ପାଇଁ ପ୍ରେରଣା ଖୋଜିଛନ୍ତି ଲେଖାପଢ଼ାରୁ। ସାହିତ୍ୟ ସର୍ଜନାକୁ ବନ୍ଧୁତ୍ୱର ମାନ୍ୟତା ଦେଉଥିବା ବୀଣାପାଣି କୁହନ୍ତି,

‘ଲେଖିବା ମୋ ଲାଗି ଅମ୍ଳଜାନ-ଯାହା ମୋ ଦୁଃଖ କଷ୍ଟ ଯନ୍ତ୍ରଣାର ଆକାଶରେ ଇନ୍ଦୁ ପରି ଚିକଚିକ୍‌ କରୁଥାଏ। ସୂର୍ଯ୍ୟହୀନ ପୃଥିବୀ ପରି, ବନ୍ଧୁହୀନ ଜୀବନ ମରୁଭୂମି ସଦୃଶ। ଜୀବନ ଜିଇବା ଲାଗି ଭଲ ବନ୍ଧୁର ଆବଶ୍ୟକତା ଅପରିହାର୍ଯ୍ୟ କିନ୍ତୁ ସେମିତିକା ବନ୍ଧୁଟେ ମିଳିପାରେ କି ଯିଏ ଜୀବନ ସାରା ସାଥୀରେ ରହିପାରିବ, ସବୁ ପରିସ୍ଥିତିରେ ସାଥୀ ହୋଇପାରିବ ? ବୋଧେ ନା… ସମ୍ପର୍କର ଭିଡ଼ ଭିତରେ ଅଣନିଃଶ୍ୱାସୀ ହେଲାବେଳେ ଯିଏ ପ୍ରତି ମୁହୂର୍ତ୍ତରେ ମୋର ସାହାରା ହୋଇଛି, ହାତ ଧରି ବାଟ କଢ଼େଇଛି, ବଞ୍ଚିବାର କାରଣ ସାଜିଛି , ସେ ମୋର ପରମ ପ୍ରିୟ ବନ୍ଧୁ -‘କଲମ, କାଗଜ ଓ ବହ’ ଅର୍ଥାତ୍‌ ମୋର ଲେଖାଲେଖି। ସଦାସର୍ବଦା ଧାରେ ଆଲୁଅକୁ ବାଟ କଢ଼େଇ ନେଇ ମୋତେ ଶାନ୍ତିର ପରଶ ଦେଉଥିବା ପ୍ରିୟତମ ବନ୍ଧୁ ହିଁ, ମୋ ଶବ୍ଦର ସାମ୍ରାଜ୍ୟ, ମୋ ବହି। ଯେଉଁଥିରେ ମୁହଁ ଦେଖିହୁଏ ଓ ଦେଖେଇହୁଏ,ଯାହାକୁ ପ୍ରେମ କରିହୁଏ, ପୂଜା କରିହୁଏ ଓ ଜୀବନ ପରି ଜିଇହୁଏ ତାହା ହେଉଛି ମୋ କଲମର ଶକ୍ତି , ମୋର ପରମ ବାନ୍ଧବୀ; ଯିଏ ନିଃସ୍ବାର୍ଥପର ଭାବରେ ମୋ ଅନୁପସ୍ଥିତିରେ ମଧ୍ୟ ମୋ ଉପସ୍ଥିତିକୁ ଜାହିର କରିବ। ଦିନେ ମୁଁ ଥିଲି ବୋଲି ସେ ସମାଜ ଓ ଆଗାମୀ ସମୟକୁ ଜଣେଇବ। ସମ୍ପର୍କର ଭିଡ଼ ଭିତରେ ଶକ୍ତି ହୋଇ , ପ୍ରେରଣା ହୋଇ , ଆନନ୍ଦ ହୋଇ ମୋ ସହ ଥିବା ଲେଖାଲେଖିର ଗୁଣଟି ମୋର ପ୍ରକୃତ ବନ୍ଧୁ ବୋଲି ଆଜି ଯାଏ କାଟିଥିବା ଜୀବନ ଭିତରେ ମୁଁ ବୁଝିପାରିଛି।

ମୋ ଈଶ୍ୱର ଓ ବହି ମୋର ପରମ ବନ୍ଧୁ: କବି, ଅନୁବାଦିକା ଓ ନେତ୍ରୀ ନବଜ୍ୟୋତି ରାୟଙ୍କର ଜନ୍ମ ୧୯୬୮ ମସିହାରେ ନିହଲ ପ୍ରସାଦରେ। ତାଙ୍କର ଦୁଇଟି ମୌଳିକ କବିତା ବହି ଏବଂ ଦୁଇଟି ଅନୁବାଦ ପୁସ୍ତକ ରହିଛି। ଈଶ୍ୱର ଓ ବହିକୁ ସେ ବନ୍ଧୁ ବୋଲି ସ୍ବୀକାର କରନ୍ତି। ଏହି ବନ୍ଧୁତ୍ୱ ତାଙ୍କୁ ଜୀବନର ସକଳ ଘନଘଟା ଭିତରେ ସକାରାତ୍ମକ ପ୍ରେରଣା ଦିଏ। ତାଙ୍କର ଏହି ବିରଳ ବନ୍ଧୁତାର ଅନୁଭବକୁ ନେଇ ସେ କୁହନ୍ତି, ”ଚାଣକ୍ୟଙ୍କ ବର୍ଣ୍ଣିତ ବନ୍ଧୁତାର ସଂଜ୍ଞାରେ ବନ୍ଧୁତ୍ୱ ଖୋଜିଲେ ମତେ ଦିଶେ ସେ ଅଦୃଶ୍ୟ ଈଶ୍ୱରୀୟ ସତ୍ତା ଏବଂ ମୁଁ ମାପି ପାରୁଥିବା ଉଚ୍ଚତାର ଏକ ବହି ପର୍ବତ। ହେତୁ ହେବା ଦିନୁ ଜୀବନର ଦୋଛକିରେ ଯେବେ ମୁଁ ଅସହାୟ ବୋଧ କରିଛି, ଆଗକୁ ଯାଉଥିବା ସବୁ ରାସ୍ତା ମତେ ବନ୍ଦ୍‌ ଦିଶିଛି, ସେ ସମୟରେ ହିଁ ‘ତମସୋ ମା ଜ୍ୟୋତିର୍ଗମୟ’ ଉଚ୍ଚାରଣ ପରି ଧାରେ ସୂର୍ଯ୍ୟାଲୋକ ନେଇ ଆସେ କେଉଁ ଅଦୃଶ୍ୟ ଶକ୍ତି ଏବଂ ସେ ଶକ୍ତିର ମାଧ୍ୟମ ଥାଏ କେଉଁ ଏକ ବହିର ଧାଡ଼ି। ବହି ମୋ ପାଇଁ ଏକ ଜୀବନ୍ତ ଓ ବିଶ୍ୱସ୍ତ ଆଧାର। ତାକୁ କାନ୍ଧ ଭାବି ତା’ ଉପରେ ମୁଣ୍ଡ ରଖି ହୁଏ, କୁଣ୍ଢେଇ ଧରି ଆବେଗରେ ଛଳଛଳ ହୋଇ ହୁଏ। ବହିକୁ ବନ୍ଧୁ କରି ନ ଥିଲେ ମୋ ଜୀବନର ଚକ କେମିତି ଗଡ଼ିଥାଆନ୍ତା, ବୋଧହୁଏ ମୁଁ ତା’ର ଆକଳନ କରିବାରେ ଅସମର୍ଥ। ମୋର ତଥାକଥିତ ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଗୃହିଣୀ ସତ୍ତା ଅପେକ୍ଷା ପାଠିକା ସତ୍ତାଟି ଦୃଢ଼ ଥିବାରୁ, ଗୃହାଙ୍ଗନର ସମସ୍ୟା ମଧ୍ୟ ଅଣଦେଖା ହୋଇଥାଏ। ଅବଶ୍ୟ ପାର୍ଥିବ ଜୀବନରେ ଅନେକ ବନ୍ଧୁ (ଏ ଶବ୍ଦ ଏକ ନିରପେକ୍ଷ ଲିଙ୍ଗ ଶବ୍ଦ ବୋଲି ମୋର ବିଚାର), ଅନେକ ସମୟରେ ମୋ ପାଖରେ ଠିଆ ହେଇଛନ୍ତି,ମୋ ହାତ ଧରି ବାଟ କଢ଼େଇ ନେବାକୁ ହାତ ବଢ଼େଇଛନ୍ତି। ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ବହି କିନ୍ତୁ ମୋ ପାଇଁ କେବଳ ସତସତିକା ବନ୍ଧୁ ନୁହେଁ, ବରଂ ମୁଠାଏ ବିଶୁଦ୍ଧ ଅମ୍ଳଜାନ।“

ବହି ମୋର ଶ୍ରେଷ୍ଠ ବନ୍ଧୁ: ଶ୍ରୀକ୍ଷେତ୍ର ପୁରୀରେ ୧୯୭୬ ମସିହାରେ ଜନ୍ମଗ୍ରହଣ କରିଥିବା ଜୀବନାନନ୍ଦ ନାୟକ ଅଧୁନା କୋଲକାତାରେ ପ୍ରୋଭିଡେଣ୍ଟ ଫଣ୍ଡର ଆସିଷ୍ଟାଣ୍ଟ କମିଶନର ଭାବରେ କାର୍ଯ୍ୟରତ। ପୁସ୍ତକ ଅଧ୍ୟୟନ ତାଙ୍କର ସର୍ବଶ୍ରେଷ୍ଠ ଅନୁରାଗ । ସେହି ସୂତ୍ରେ ବହି ତାଙ୍କର ଶ୍ରେଷ୍ଠ ବନ୍ଧୁ ବୋଲି ସେ କୁହନ୍ତି । ତାଙ୍କ ପାଇଁ ବହି ଯେମିତି ଜୀବନ୍ତ ସତ୍ତା । ତାଙ୍କ ସହ ବାର୍ତ୍ତାଳାପରେ ସେ ଯାହା କୁହନ୍ତି ତାହା ଏହିଭଳି -ପୁସ୍ତକଗୁଡ଼ିକର ସାହଚର୍ଯ୍ୟରେ ନିଜର ପ୍ରତିବିମ୍ବକୁ ଉପଲବ୍ଧି କରିହୁଏ, ବନ୍ଧୁତା କହିଲେ ମୁଁ ବୁଝେ ଅନ୍ତରଙ୍ଗତା ଓ ବିଶ୍ୱସନୀୟତା। ବନ୍ଧୁଟିଏ ଖୋଜିବା ବେଳେ ଏହି ଦୁଇଟି ଗୁଣକୁ ମୁଖ୍ୟତଃ ବନ୍ଧୁ ଭିତରେ ଖୋଜାଯାଇଥାଏ; ଯାହା ମୁଁ ଅନେକ ବର୍ଷ ହେଲା ଖୋଜି ଖୋଜି ପାଇପାରିନି । କିନ୍ତୁ ପୁସ୍ତକ କଥା ଆସିଲେ ମନୁଷ୍ୟଠାରୁ ମୁଁ ଅଧିକ କିଛି ବିଶେଷ ଗୁଣ ପୂର୍ବୋକ୍ତ ଦୁଇ ଗୁଣ ସହ ପାଇଛି । ବିବିଧ ପ୍ରସଙ୍ଗରେ ଥିବା ଜିଜ୍ଞାସାକୁ ତୃପ୍ତ କରେଇବା ପାଇଁ ମୁଁ ପୁସ୍ତକ ପଠନରେ ରୁଚି ପିଲାଟି ବେଳୁ ରଖି ଆସିଛି । ଏହି ଆଗ୍ରହ କାରଣରୁ ପୁରୀ ରାମକ୍ରିଷ୍ଣ ମିଶନ ପାଠାଗାରଠାରୁ ଆରମ୍ଭ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ପୁସ୍ତକ ମେଳା, କୋଲକାତାର କଲେଜ ଷ୍ଟ୍ରୀଟରୁ ବନ୍ଧୁ ଖୋଜିବାରେ ମୁଁ ବ୍ୟସ୍ତ ରୁହେ। ମୋର ପାଠାଗାର ସବୁଠି। ଶୟନ କକ୍ଷରୁ ସ୍ନାନାଗାର ପର୍ଯ୍ୟନ୍ତ ପ୍ରତିଟି କାନ୍ଥରେ ମୁଁ ବହି ରଖିବା ପାଇଁ ପ୍ରସ୍ତୁତ କରିଥାଏ। ଅଫିସ କାମ, ନିଜ ପାଇଁ ଅଳ୍ପ କିଛି ଘରୋଇ କାମ ପରେ ବାକି ସବୁ ସମୟ ମୁଁ ପଢ଼ାରେ ବିନିଯୋଗ କରିଥାଏ। ମୋର ପରିବାର କହିଲେ, ମୁଁ ଏବଂ ବହି। ବିଶେଷତଃ ଇତିହାସ, ସଂସ୍କୃତି, କଳା ଓ ସ୍ଥାପତ୍ୟ, ଭାଷା ବିଜ୍ଞାନ ଓ ନୃତତ୍ତ୍ୱ ସମ୍ବନ୍ଧୀୟ କୌତୂହଳ ମେଣ୍ଟାଇବା ପାଇଁ ମୁଁ ପୁସ୍ତକକୁ ଦରକାର କରୁଥାଏ। ପୁସ୍ତକଗୁଡ଼ିକର ସାହଚର୍ଯ୍ୟରେ ନିଜର ପ୍ରତିବିମ୍ବକୁ ଉପଲବ୍ଧି କରିହୁଏ। ପୁସ୍ତକ ସଂଗ୍ରହ କରିବାର ପରିଶ୍ରମ ସୁଖଦ କାରଣ ଏହାର ପରବର୍ତ୍ତୀ ଉଲ୍ଲାସ ବର୍ଣ୍ଣନାତୀତ। ବହୁଦିଗରୁ ଭାବିଚିନ୍ତି ମୁଁ ଏହା ସ୍ବୀକାର କରୁଛି ଯେ ପୁସ୍ତକ ମୋର ଶ୍ରେଷ୍ଠବନ୍ଧୁ।

ମନଭରି ଜୀବନ ଜିଉଛି ରଙ୍ଗତୂଳୀ ସହ : ୧୯୯୫ ମସିହା ମୟୂରଭଞ୍ଜ ଜିଲାର ଅଗଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶିଳ୍ପୀ ସମରେନ୍ଦ୍ରଙ୍କର ବନ୍ଧୁତ୍ୱ ତୂଳୀ ଓ ରଙ୍ଗ ସହ। କେନ୍ଦ୍ରାପଡ଼ାର ମୁରଲୀଧର ସ୍ବାଇଁ ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ପ୍ରିଣ୍ଟ ମେକିଙ୍ଗରେ ସେ ଅଧୁନା ଅଧ୍ୟାପନାରତ। ଭିଜୁଆଲ ଆର୍ଟ, ପ୍ରିଣ୍ଟ ମେକିଂ, କାଠ, ପଥର ଖୋଦେଇ ତଥା ଅକ୍ଷର ସଜ୍ଜାରେ ଖ୍ୟାତି ହାସଲ କରିଥିବା ଶିଳ୍ପୀ ସମରେନ୍ଦ୍ର ବେହେରାଙ୍କର ଛବି କାହାଣୀ କୁହେ। ତାଙ୍କ ହାତରୁ ଉଦ୍ଭୁତ ଷ୍ଟ୍ରୋକ୍‌ ଫୁଟେଇପାରେ, ଅଦ୍ଭୁତ ସମ୍ବେଦନଶୀଳତା କାନଭାସ, କାଗଜ, ବସ୍ତ୍ର, ଚଟାଣ, ବୃକ୍ଷ ଆଦି ସାଧନରେ। ସମାଜର ଛବିକୁ, ପରିସ୍ଥିତିକୁ ନିଜର ବିଚକ୍ଷଣ କଳାତ୍ମକତାରେ ଫୁଟାଇ ପାରନ୍ତି ସେ ତାଙ୍କ ସ୍ବତନ୍ତ୍ର ଶୈଳୀରେ। ରାଜ୍ୟ ତଥା ରାଜ୍ୟ ବାହାରେ ଆପଣା ସ୍ବତନ୍ତ୍ର କଳା ଶୈଳୀ ପାଇଁ ସମରେନ୍ଦ୍ର ଯଥେଷ୍ଟ ଲୋକପ୍ରିୟତା ଏବଂ ସମ୍ମାନ ହାସଲ କରିଛନ୍ତି। ସେ ତାଙ୍କ ଢଙ୍ଗରେ ଯେତିକି କହିଛନ୍ତି ତାହା ଏହି ଭଳି-

କଳା ଏକ ସାଧନା ସତ, କିନ୍ତୁ ମୋ ପାଇଁ ମୋର ଅନ୍ତରଙ୍ଗ ବନ୍ଧୁ ସିଏ। ମୋର ମନେହୁଏ ମୋର ସମସ୍ତ ଦୁଃଖ, ଯନ୍ତ୍ରଣା, କ୍ରୋଧ, ଅସନ୍ତୋଷ ଏବଂ ଭଲପାଇବା ଭଳି ସମସ୍ତ ଅନୁଭବକୁ ମୁଁ କାନଭାସ ଉପରେ ବୋଳି ଯେତିକି ସହଜ ହୋଇପାରେ ସେତିକି ସହଜ ମୁଁ ମୋର କୌଣସି ସାଥୀ ସମ୍ପର୍କରେ କହିପାରେ ନାହିଁ। ରଙ୍ଗ ତୂଳୀ ମାଧ୍ୟମରେ ନିଜର ଭାବକୁ ବ୍ୟକ୍ତ କଲାବେଳେ ମୁଁ ତା’ ସହ ହସେ, କାନ୍ଦେ, ଭଲପାଏ, କଥା ହୋଇଥାଏ। ବହୁ ସାଙ୍ଗ ସାଥୀ ପିଲାଟି ଦିନୁ ମୋ ସହ ପରିଚିତ ହୋଇଛନ୍ତି। କିଏ କିଏ ଦିନିକିଆ ହେଲାବେଳେ କିଏ କିଏ ମାସିକିଆ, ବର୍ଷିକିଆ ସାଙ୍ଗ ହୋଇ ଦୁଃଖ ସୁଖ ଦେଇଛନ୍ତି । କିନ୍ତୁ ଚିତ୍ରକୁ ବନ୍ଧୁ କଲା ଦିନୁ ଚିତ୍ର ସହ ଏକାତ୍ମ ହୋଇଛି। ବୟସ ବଢ଼ିବା ସହ ଚିତ୍ରକଳାକୁ ବନ୍ଧୁ ଭାବିନେଇଛି। ମୋର ମନୀ ହୋଇଛି ବର୍ତ୍ତମାନର ଜୀବନରେ ମୋର ଚିତ୍ରକଳା; ଯେମିତି ମୋ ଦୁଃଖରେ ସୁଖ ହୋଇ ଠିଆ ହୋଇଛି, ମୃତ୍ୟୁ ପରେ ମଧ୍ୟ ମୋର ପରିଚୟ ହୋଇ ସମସ୍ତଙ୍କୁ ମୋ ବିଷୟରେ କହୁଥିବ। ମୋ ପାଇଁ କାମ କରୁଥିବ। ମୋତେ ମୋ ଚିତ୍ରକଳା ଖୁବ୍‌ ଭଲ ପାଇଛି। ସମ୍ମାନ ଦେଇଛି। ସମସ୍ୟାର ଘୋର ଅନ୍ଧାରରେ ଆଶାର ଆଲୋକ ଦେଖେଇଛି। ସ୍ବପ୍ନ ଦେଇଛି। ବଞ୍ଚିବାର ପ୍ରେରଣା ଦେଇଛି। ମୋତେ କଳାକାରର ପରିଚୟ ଦେଇଛି। ମୋ ପାଇଁ ସେ ମୋର ଜୀବିକା, ମୋର ବନ୍ଧୁ, ମୋର ପ୍ରେମ ଏବଂ ସ୍ବପ୍ନ। ସାମାଜିକ ଜୀବନରେ ବହୁତ କ୍ଷେତ୍ରରେ ମୋତେ ଖୁବ୍‌ ଯନ୍ତ୍ରଣା ମିଳିଛି। ବନ୍ଧୁ ମନେକରି ଯେଉଁଠି ଖୁସି ଖୋଜିଛି ସେଠାରେ ଦୁଃଖ ପାଇଛି । ଯେତିକି ଦୁଃଖ ପାଇଛି ସେତିକି ଅନ୍ତରଙ୍ଗ ହୋଇ ମୁଁ କାମ କରିଛି କଳା ପାଇଁ। ସତ କହିବାକୁ ଗଲେ ମୁଁ ମୋର କଳାକୁ/ଜୀବିକାକୁ ପ୍ରକୃତ ବନ୍ଧୁ ଭାବେ ଆଜୀବନ ଆପଣେଇ ନେଇଛି।

ପ୍ରକୃତରେ କେତେବେଳେ କିଏ ବି ହୋଇପାରନ୍ତି ବନ୍ଧୁ। ଯିଏ ତୁମକୁ ସବୁ ବନ୍ଧନରୁ ମୁକ୍ତ କରିପାରନ୍ତି। ତୁମ ଆତ୍ମା ସହ ଜଡ଼େଇ ହୋଇ ଥାନ୍ତି ଜନ୍ମ ଜନ୍ମାନ୍ତର ଯାଏ। ତାଙ୍କ ସାନ୍ନିଧ୍ୟ ମହକୁଥାଏ ଫୁଲ ପରି, ତାଙ୍କୁ ଭେଟିଲେ ଲାଗେ ଜନ୍ମ ଜନ୍ମରୁ ସେ ଜାଣନ୍ତି ତୁମକୁ। ତୁମେ କହିବା, ବୁଝିବା ଆଗରୁ ସେ ତୁମର ମନ ସବୁ ଭାବନାକୁ ପଢ଼ି ନେଇପାରନ୍ତି। ଯିଏ ବଳ ହୋଇ ସବୁ ସମୟରେ ପାଖରେ ଥାନ୍ତି। ସର୍ବୋପରି ତମ ପାଇଁ ଖୁସିର ସଂଜ୍ଞା ହୋଇ ସବୁବେଳେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri