Categories: ଖେଳ

ଫ୍ରେଣ୍ଡଶିପ୍‌ ଫୁଟ୍‌ବଲ: ଟାଟା ଷ୍ଟିଲ ଚାମ୍ପିୟନ

ଭୁବନେଶ୍ୱର, ୨ା୧୦ (ବିଜୟ ରଣା): ସ୍ଥାନୀୟ ଓଡ଼ିଶା ଫୁଟ୍‌ବଲ ଏକାଡେମୀଠାରେ ରବିବାର ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅଫିସର୍ସ ଏକାଦଶକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟାଟା ଷ୍ଟିଲ ଏକାଦଶ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ରାଜୀବ ସେଠ୍‌ ଟାଟା ଷ୍ଟିଲର ଅଧିନାୟକତ୍ୱ କରିଥିଲେ। ଲିଡର୍ସ ଏକାଦଶର ନେତୃତ୍ୱ ନେଇଥିଲେ ବିଧାୟକ ଅରୁଣ ସାହୁ। ସେହିପରି ଅଫିସର୍ସ ଏକାଦଶର ଦେବୀଦତ୍ତ ବିଶ୍ୱାଳ ଓ ଶାଶ୍ୱତ ମିଶ୍ର ଏବଂ ମିଡିଆ ଏକାଦଶର ସୌମ୍ୟଜିତ ପଟ୍ଟନାୟକ ଅଧିନାୟକତ୍ୱ କରିଥିଲେ।

ଏହି ଅବସରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଥମ ସେମିଫାଇନାଲ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂକଳ ହୋଇଥିଲା। ତେବେ ଏଥିରେ ଅଫିସର୍ସ ଏକାଦଶ ୨-୦ ଗୋଲ୍‌ରେ ଲିଡର୍ସ ଏକାଦଶକୁ ହରାଇ ଦେଇଥିଲା। ଦ୍ୱିତୀୟ ସେମିଫାଇନାଲରେ ଟାଟା ଷ୍ଟିଲ ଏକାଦଶ ୪-୧ ଗୋଲ୍‌ରେ ମିଡିଆ ଏକାଦଶକୁ ହରାଇ ଦେଇଥିଲା। ଅଫିସର୍ସ ଏକାଦଶର ରାମାସ୍ବାମୀ ପ୍ରଥମ ମ୍ୟାଚର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଦ୍ୱିତୀୟ ମ୍ୟାଚରେ ଟାଟା ଷ୍ଟିଲର ଦେବାଶିଷ ନାୟକ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ତୃତୀୟ ତଥା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଅଫିସର୍ସ ଏକାଦଶର ଅମିତାଭ ଠାକୁର। ଲିଡର୍ସ ଏକାଦଶର ଅରୁଣ ସାହୁ ଏବଂ ଟାଟା ଷ୍ଟିଲର ଯୋଗେଶ ପଞ୍ଚେଶ୍ୱର ଶ୍ରେଷ୍ଠ ଫରଓ୍ବାର୍ଡ ଏବଂ ଲିଡର୍ସ ଏକାଦଶର ଜାଗନ୍ନାଥ ନାୟକ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ।

ଟାଟାଷ୍ଟିଲ ଏକାଦଶର ରାଜୀବ ସେଠ୍‌ ଶ୍ରେଷ୍ଠ ଡିଫେଣ୍ଡର, ଅଫିସର୍ସ ଏକାଦଶର ଅନୁରାଗ ମିଶ୍ର ଶ୍ରେଷ୍ଠ ସ୍କୋରର, ଅଫିସର୍ସ ଏକାଦଶର ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅଫିସର୍ସ ଏକାଦଶର ଶାଶ୍ୱତ ମିଶ୍ର ଏବଂ ମିଡିଆ ଏକାଦଶର ବିଜୟ କେତନ ମିଶ୍ର ଶ୍ରେଷ୍ଠ ହାଫ୍‌ ବିବେଚିତ ହୋଇଥିଲେ। ଲିଡର୍ସ ଏକାଦଶକୁ ଫେୟାର ପ୍ଲେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମିଡିଆ ଏକାଦଶ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ ହୋଇଥିଲା।

Share