Categories: ଜାତୀୟ

ବିଶ୍ୱ ମଙ୍ଗଳ ପାଇଁ ବନ୍ଧୁତା

ନୂଆଦିଲ୍ଲୀ,୯ା୯: ବିଶ୍ୱ ମଙ୍ଗଳ ପାଇଁ ଭାରତ-ଆମେରିକା ବନ୍ଧୁତା ବଡ଼ ଭୂମିକା ନେବ ବୋଲି ୨ ଦିନିଆ ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି। ବାଇଡେନ୍‌ ମଧ୍ୟ ଏହି ବୈଶ୍ୱିକ ସମ୍ମିଳନୀର ଆୟୋଜକ ରାଷ୍ଟ୍ର ଭାରତକୁ ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇଦେଶ ପକ୍ଷରୁ ମିଳିତ ଘୋଷଣାନାମା ଜାରି କରାଯାଇଛି।
ଚଳିତ ବର୍ଷ ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସରକାରୀ ବାସଭବନରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଲେଖିଛନ୍ତି, ବୈଠକ ଅତ୍ୟନ୍ତ ସଫଳ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଲୋଚନା ହୋଇଛି, ଯାହାକି ଭାରତ-ଆମେରିକାର ଆର୍ଥିକ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଆମ ରାଷ୍ଟ୍ରଦ୍ୱୟର ବନ୍ଧୁତା ବିଶ୍ୱର ମଙ୍ଗଳ ପାଇଁ ଆହୁରି ବଡ଼ ଭୂମିକା ନେଇଚାଲିବ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ହୋଇଥିବା ବୈଠକର ଫଟୋ ଶେୟାର କରି ଉଭୟଙ୍କ ମଧ୍ୟରେ ହୋଇଥିବା ବିସ୍ତୃତ ଆଲୋଚନା ଦୁଇଦେଶର ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି ଏକ ବିବୃତିରେ କହିଛି।
ଆମେରିକା ରାଷ୍ଟ୍ରପତି ଶୁକ୍ରବାର ରାତି ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚତ୍ଥିଲେ। ଦୁଇନେତାଙ୍କ ମଧ୍ୟରେ ୭ଟା ୪୫ରୁ ୮ଟା ୩୭ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ୮୦ ବର୍ଷୀୟ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କ ପ୍ରଥମ ଭାରତ ଗସ୍ତ। ସେ ଶୁକ୍ରବାର ଓ ଶନିବାର ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବାକୁ ଥିବା ଜି୨୦ ଗ୍ଲୋବାଲ୍‌ ଲିଡର ସମିଟ୍‌ରେ ଯୋଗଦେବେ। ଏହି ସମ୍ମିଳନୀ ଅବସରରେ ମୋଦି ଗୁରୁବାର ବାଇଡେନ୍‌ଙ୍କ ସମେତ ୩ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଅନ୍ୟ ଦୁଇ ନେତା ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଏବଂ ମରିସସ୍‌ ପ୍ରତିପକ୍ଷ ପ୍ରବିନ୍ଦ କୁମାର ଜଗନ୍ନାଥ। ପରବର୍ତ୍ତୀ ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଉ ୧୩ ବିଦେଶୀ ନେତା ଓ ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Share