ରାଜନଗର,୩ା୧(ଡି.ଏନ୍.ଏ.):ଭିତରକନିକାରେ ବିରଳ ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁୟାରୀ ୪ରୁ ୧୪ ତାରିଖ ଯାଏ ୧୦ ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ। ଜାନୁୟାରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାରେ ଜାନୁୟାରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି। ସୂଚନାଯୋଗ୍ୟ, ୧୯୭୦ ମଧ୍ୟଭାଗରେ କରାଯାଇଥିବା ଏକ ସର୍ଭେରେ ଭାରତ ବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା। ପରେ କୁମ୍ଭୀରମାନଙ୍କର ବଂଶବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥା ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡ. ଏଚ୍.ଆର୍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ରେ ୧୧୫ ବର୍ଗ କି.ମି. ଅଞ୍ଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା।