ସାରଦା ପ୍ରସାଦ କର
ହରିୟାଣାର ଜିନ୍ଦ୍ ଅନ୍ତର୍ଗତ ଗୁଲକାନୀ ଗାଁରେ ଗତ ଛଅ ତାରିଖରେ ୧୩ ବର୍ଷୀୟ ମୁସଲମାନ ଝିଅଟିର ମୃତ୍ୟୁ ପରେ କବରଖାନା ଜଳମଗ୍ନ ଥିବାରୁ ପରିବାରର ଚିନ୍ତା ବଢ଼ିଗଲା। ଆଗେଇ ଆସିଲେ ପଡ଼ୋଶୀ ହିନ୍ଦୁ ପରିବାର। କବରଖାନା ପାଇଁ ଜାଗାଦେବା ପରେ ମୁସଲମାନ ସମୁଦାୟଙ୍କଠୁ ଅଜସ୍ର ଅଭିନନ୍ଦନ ପାଇଲେ। ଏହା ବୋଧେ ସନାତନ ସର୍ବେଶ୍ୱରବାଦ, ରାମରେ ବିଶ୍ୱାସ ହେଲେ ରହିମର୍ ଅସମ୍ମାନ ନ ହେଉ। କିନ୍ତୁ ଚାଇନାର ପଡ଼ୋଶୀ ଜାଗାରୁ ଦୁଇହାତ ଦରକାର, ନେପାଳ ନକ୍ସା ବଦଳାଉଛି ରାତିଅଧିଆ। ୧୯୩୦ମସିହା ଗ୍ରୀଷ୍ମଋତୁରେ ‘କାପୁଥ’ ରହଣି ସମୟରେ ଆଲ୍ବର୍ଟ ଆଇନ୍ଷ୍ଟାଇନ୍ ‘What I believe’ ବା ‘କ’ଣ ମୁଁ ବିଶ୍ୱାସ କରେ’ ନାମରେ ଖଣ୍ଡିଏ ବହି ରଚନା କରିଥିଲେ। ଏଥିରେ ଧର୍ମ କହିଲେ କ’ଣ ବୁଝନ୍ତି, ତା’ର ସରଳ ବ୍ୟାଖ୍ୟାରେ ସେ ଲେଖିଥିଲେ, ଆମ ପାଇଁ ସବୁଠାରୁ ଭାବପ୍ରବଣ ଅନୁଭୂତି ହେଉଛି ରହସ୍ୟାବୃତ ସୃଷ୍ଟି। ଏହା ତ ଆମ ପାଇଁ ମୌଳିକ ଭାବପ୍ରବଣତା। ଭାବପ୍ରବଣତାଠାରୁ ଦୂରରେ ରହୁଥିବା ବ୍ୟକ୍ତି ସୃଷ୍ଟିର ସୌନ୍ଦର୍ଯ୍ୟରେ ଆଶ୍ଚର୍ଯ୍ୟ ହୁଏନାହିଁ, ନିମଗ୍ନ ବି ହୋଇପାରେ ନାହିଁ। ସତେ ଯେମିତି ସେ ମୃତ ଅଥବା ନିର୍ବାପିତ ହେବାର ଦୀପଶିଖା! ”ଆପଣ କ’ଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି?“ ଏହି ପ୍ରଶ୍ନର ଉତ୍ତର ପଚାଶଟି ଶବ୍ଦରେ ଦେବାର ଅନୁରୋଧ କରି ଜଣେ ଇହୁଦୀ ଧର୍ମଗୁରୁ ଟେଲିଗ୍ରାମର ଶୁଳ୍କ ପଇଠ କରିଦେଇଥିଲେ। ଆଇନ୍ଷ୍ଟାଇନ୍ ପଚାଶଟି ଶବ୍ଦ ମଧ୍ୟରେ ଯେଉଁ ଉତ୍ତର ରଖିଥିଲେ ତାହା ଥିଲା, ”ମୁଁ ସ୍ବିନୋଜାଙ୍କ ସର୍ବେଶ୍ୱରବାଦରେ ବିଶ୍ୱାସ କରେ, ଯାହା କିଛି ଶୃଙ୍ଖଳିତ, ପରସ୍ପର ସହିତ ସୁସଂହତ ନିୟମରେ ପରିଚାଳିତ ତାହା ହିଁ ଈଶ୍ୱରଙ୍କ ଉପସ୍ଥିତି ବୁଝାଏ। କିନ୍ତୁ ଯେଉଁ ଈଶ୍ୱର ଭାଗ୍ୟ ସହିତ ସୁସମ୍ପର୍କିତ ସେଭଳି ଈଶ୍ୱରଙ୍କୁ ମୁଁ ଜାଣେନାହିଁ।“
ବିକାଶ ପଥରେ ଦ୍ରୁତ ଅଗ୍ରଗତି କରୁଥିବା ଭାରତର ନିମ୍ନ କିମ୍ବା ଉଚ୍ଚ ମଧ୍ୟବିତ୍ତ ବର୍ଗର ୯୮ ଭାଗ ହିଁ ଦେଶର ଭାଗ୍ୟ ବିଧାତା। ରାମଙ୍କ ଉପରେ ବିଶ୍ୱାସ ଆଉ ନିଜ କାମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ଭାରତୀୟ ଏବେ ପଡ଼ୋଶୀର ଦୁଃଖରେ ଦୁଃଖୀ କିନ୍ତୁ ପଡ଼ୋଶୀର ପ୍ରାଚୁର୍ଯ୍ୟ ଦେଖି ଭୟଭୀତ ନୁହଁ। ୨୦୧୮ରୁ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ମଙ୍ଗ ଧରିଥିବା ‘ଧ୍ରୁବ’ ଓରଫ୍ ଖଡ୍ଡପ୍ରସାଦ ଶର୍ମା ଓଲୀଙ୍କ ରାମରାଜ୍ୟକୁ ନେଇ ବିଚଳିତ ନୁହଁ ଭାରତ। ୧୮୬୮ ମସିହାରୁ ମରଣ ହୋଇସାରିଥିବା ଭାନୁଭକ୍ତଙ୍କ ଭୂତ ଜଣେ କମ୍ୟୁନିଷ୍ଟ୍ ପାଗଳକୁ ସବାର ହବାରେ ଭାରତ ଆଶ୍ଚର୍ଯ୍ୟ ନୁହେଁ। କିନ୍ତୁ ବିନା ସାଧନା କି ମେହନତୀ ବିନା ଅସରନ୍ତି ସାଧନା ପ୍ରାପ୍ତ ହୋଇଥିବା ଆମର ପଡ଼ୋଶୀରାଷ୍ଟ୍ର ନେପାଳ ବିଷୟରେ ଆମେ ଖବର ପାଉଛୁ। କଳାପାଣି, ଲିମ୍ପିୟାଧୁରା ଓ ଲିପୁଲେଖ ଯାହା ମହାକାଳୀ ନଦୀର ପୂର୍ବତଟରେ ଅବସ୍ଥିତ, ତାକୁ ନୂଆ ମାନଚିତ୍ରରେ ନିଜର ଦର୍ଶାଇ ୧୯୫୦ର ଇଣ୍ଡୋ-ନେପାଳ ବନ୍ଧୁତ୍ୱ ଚୁକ୍ତିକୁ ଫାଙ୍କି ଦବାକୁ ଚାହୁଁଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲୀ ଯେ ଜିନ୍ପିଙ୍ଗ୍ଙ୍କ କରୋନା ହାତଧରି ଚାଲିଶିଖିବାକୁ ଚାହୁଁଛନ୍ତି ଏହା ବିଶ୍ୱକୁ ଜଣା।
୮୨ ଭାଗ ହିନ୍ଦୁଙ୍କ ମାନସିକତାକୁ ନେଇ ଖେଳ ଖେଳିବାକୁ ଚାହୁଁଥିବା ଓଲୀଙ୍କ ଆଗରେ ସମୁଦାୟ ତିନିକୋଟି ଲୋକଙ୍କ ଦାୟିତ୍ୱ । ଦେଶର ୫୦.୫ ପ୍ରତିଶତ ମହିଳା, ଦୈନିକ ୧୨୨୬ ନବଜାତ ହିସାବରେ ବାର୍ଷିକ ୨,୬୪,୧୬୮ ଯୋଡ଼ି ହେଉଥିବା ଜନସଂଖ୍ୟାର ବୋଝ, ୨୮ଲକ୍ଷ ଝୋପଡ଼ିରେ ରହୁଥିବା ଲୋକ ବିଶେଷକରି ଛୋଟଛୁଆଙ୍କ ପାଇଁ କିଛି କରିବାର ପ୍ରାଥମିକତା ରହିଛି ଓଲୀଙ୍କ ପାଖରେ। ବାସହୀନ ୨.୫ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗେଇବା ପୂର୍ବ ପ୍ରତିଶ୍ରୁତିରୁ ଦୂରେଇ ଯାଇ ଭାରତ ସହ ରାମମନ୍ଦିର ବିବାଦ ଆରମ୍ଭ କଲେ ଓଲୀଙ୍କ ଶାସନକାଳ ଦେଶ ପାଇଁ ଦୁର୍ଯୋଗକୁ ଆମନ୍ତ୍ରଣ କରିବ। ଦେଶର ୪ ପ୍ରତିଶତ ମୁସଲିମ୍ ରାସ୍ତାକୁ ଓହ୍ଲେଇ କହିଲେଣି, ନେପାଳ ଯଦି ହିନ୍ଦୁରାଷ୍ଟ୍ର ହୁଏ ତେବେ ସେମାନେ ଅଧିକ ସୁରକ୍ଷିତ ମନେକରିବେ। ଦେଶରେ କ୍ଷୁଧା, ବେରୋଜଗାରୀ ଉତ୍କଟ ହେଉଛି। ଓଲୀ ନିଜର ଦାୟିତ୍ୱହୀନତାର ବୋଝ ଭାରତ ଉପରେ ନ ଲଦନ୍ତୁ। ନେପାଳ ବୀରଗଞ୍ଜର ପଶ୍ଚିମାଞ୍ଚଳ ‘ଥୋରୀ’ ହିଁ ରାମଙ୍କର ଜନ୍ମସ୍ଥାନ କହିବାରେ ପ୍ରଧାନମନ୍ତ୍ରୀ ଓଲୀ ଯେ ଜଣେ ସଂସ୍କୃତି -ଧର୍ମ-ଧାରଣା ଆଦିରେ ଅନଭିଜ୍ଞ ଧରାପଡ଼ିଛି।
କ୍ୱାଣ୍ଟମ୍ ତତ୍ତ୍ୱର ପ୍ରଭାବ ଅନେକ ଗୂଢ଼ ରହସ୍ୟ ଉନ୍ମୋଚନ କରିପାରେ ଉକ୍ତିରେ ଆଇନ୍ଷ୍ଟାଇନ୍ ସଂଯୋଜନା କରିଥିଲେ ଯେ ”ଈଶ୍ୱର ସୃଷ୍ଟି ସହିତ ପଶା ଖେଳନ୍ତି ନାହିଁ। ପ୍ରକୃତିର ନିୟମ ନ ଥାଇ ବିଶ୍ୱ ନାହିଁ, ସଂକ୍ଷେପରେ କହିଲେ ଏହି ବିଶ୍ୱ ହିଁ ଶୃଙ୍ଖଳା।“ ‘ଝାପ୍ପା’ ଗଣବିଦ୍ରୋହର ନରସଂହାରକାରୀ ନେପାଳ ପ୍ରଧାନମନ୍ତ୍ରୀ ଏଭଳି ଶୃଙ୍ଖଳା ଜ୍ଞାନର କଥାକୁ ଅବୁଝା ହେବା ସ୍ବାଭାବିକ। ବସନ୍ତ ରୋଗରେ ମାତୃ ବିୟୋଗ ବେଳକୁ ଓଲୀଙ୍କୁ ମାତ୍ର ୪ ବର୍ଷ। ଜେଜେ ମା’ ରାମାୟାଙ୍କ ଦ୍ୱାରା ଲାଳନ ପାଳନ ହୋଇ ତେହେରାଥୁମ୍ରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ୧୯୬୨ରେ ‘ଝାପ୍ପା’ ପଳେଇଥିଲେ। ନିଜର ସ୍ବଳ୍ପଜ୍ଞାନ ଓ ଚାଇନା କମ୍ୟୁନିଷ୍ଟ୍ ଆଦର୍ଶକୁ ଅଣ୍ଟିଧନ କରିଥିବା ଓଲୀଙ୍କ ପାଇଁ ‘ରାଷ୍ଟ୍ରଭକ୍ତି’ ନିଲାମରେ ଅଂଶଗ୍ରହଣ ପରି। ଜନସଂଖ୍ୟାର ତିନିଭାଗରୁ ଭାଗେ ଗରିବୀ ରେଖାର ତଳେ ଥିବା ନେପାଳ ଜାତିସଂଘର ଗରିବୀ ଇଣ୍ଡେକ୍ସର ଉପର ପଚିଶ ଗୋଟି ଦେଶ ଭିତରେ ଏକ। ଗ୍ରାମାଞ୍ଚଳରେ ବାସକରୁଥିବା ୮୦ଭାଗ ନେପାଳୀ ଲୋକଙ୍କ ପାଇଁ ଭାରତ ତା’ର ସହାନୁଭୂତି ପ୍ରକାଶ କରିଆସିଛି କାଳେକାଳେ। ୬୫ ଭାଗ ଚାଷ ଉପରେ ନିର୍ଭର ଦେଶର ଜି.ଡି.ପି.କୁ ଦାନ ମାତ୍ର ୩୧.୭ ପ୍ରତିଶତ। ବିଦେଶରେ ଛୋଟମୋଟ କାମ କରି ଦେଶର ୯.୧ ପ୍ରତିଶତ ବଡ଼ଭାଗୀଦାରି ନେପାଳୀ ଲୋକର। ରୋମ୍ ଜଳୁଥିବା ବେଳେ ରାଜା ନୀରୋ ବୀଣା ବଜଉଥିଲା ଭଳି କେ.ପି. ଶର୍ମା ଓଲୀ ସମ୍ବିଧାନର ତୃତୀୟ ଅନୁଚ୍ଛେଦ ଧାରା-୧୮ ‘ସମାନ ଅଧିକାର’ କଥା ଖାତାପତ୍ରରେ ସାଇତି ରଖି ଦେଶର ଦୁର୍ଦ୍ଦଶା ଦେଖୁଛନ୍ତି। କଥାରେ ଅଛି- ”ଏଣୁ କାଞ୍ଜି ଗଲା ଖରେ ଯାଇ ପଶିଲା କମାର ଘରେ, ଏଣୁ କମାର ତେଣୁ କମାର କାଞ୍ଜିକୁ ଦେଲେ ଲୁହାପାହାର।“ ଭାରତ ସହ ଅର୍ଥନୀତିର ପ୍ରମୁଖ ପଡ଼ୋଶୀ ସହଭାଗୀ ଚାଇନା ଦ୍ୱାରା ନେପାଳ ନାକ ଘଷିବ ଯେମିତି ଏବେ ପାକିସ୍ତାନ ଋଣଯନ୍ତାରେ ବନ୍ଧା ପଡ଼ିଛି ଚାଇନା ପାଖରେ। ହେଲେ ରାମମନ୍ଦିରକୁ ବାହାନା କଲେ ଦେଶର କ୍ଷତିଗ୍ରସ୍ତ ପର୍ଯ୍ୟଟନ(ଯାହା ଭାରତଯୋଗୁ ଅଧିକ ଲାଭପ୍ରଦ) ପାଇଁ ଦେଶର ଲୋକ ଓଲୀଙ୍କ ମୁଣ୍ଡରେ ଲୁହାପାହାର ଦେବେ।
ରାମ ନେପାଳର ଜଣେ ଗ୍ରାମାଞ୍ଚଳ ଲୋକ ଓ ସେ ଭାରତରେ ସୀତାଙ୍କୁ ବିବାହ କରିଥିଲେ କହି ବିବାଦରେ ପଡ଼ିଛନ୍ତି ଓଲୀ! କିନ୍ତୁ ସେ କାଳରେ ଗମନାଗମନ ସୁବିଧାରୁ ବଞ୍ଚତ୍ତ ବଣ, ପାହାଡ଼ ଡେଇଁ କିପରି ଭାରତରେ ବିବାହ କଲେ ସେ ବାବଦରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ଓଲୀଙ୍କ ଅନଭିଜ୍ଞତାର ପରିଚୟ। ଭାରତର ବାସମତି ଚାଉଳ, ଔଷଧ, ସିମେଣ୍ଟ, ପେଟ୍ରୋଲିୟମ୍ ଦ୍ରବ୍ୟ, ଯାନବାହନ, କୃଷି ତଥା ବୈଦ୍ୟୁତିକ ଉପକରଣ ଆମଦାନୀର ଭାଗୀଦାର ଚାଇନା ହୋଇପାରେ କିନ୍ତୁ ଦେଶରୁ ଚନ୍ଦନ ଗଛ ଅନ୍ୟ ସବୁଜିମା କାଟି ନେପାଳ କେତେଦିନ ଆର୍ଥିକ ଭରଣା କରିପାରିବ? ରୁଦ୍ରାକ୍ଷ, ତୁଳସୀ ମାଳି କିମ୍ବା ସାଲ, ସ୍ବେଟର ଧରି ଭାରତୀୟ ବଜାରରେ ବୁଲୁଥିବା ନେପାଳୀର ଅନ୍ୟ ରୋଜଗାର ପନ୍ଥା କ’ଣ? ଦେଶରେ ଯୌତୁକଜନିତ ହତ୍ୟା, ପୈତୃକ ସମ୍ପତ୍ତିରେ ଅନଧିକାର, ବାଲ୍ୟବିବାହ ଆଉ ପେଟପୋଡ଼ିଗଲା ବେଳେ ଓଲୀଙ୍କର ରାମ ଜନ୍ମଭୂମି ନେଇ ବାହାରିଥିବା ପାଗଳାମି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ (ଭାରତରେ) ହିଂସା ଉଦ୍ରେକ କରିବା ଏକଥା ଭାରତ ଜାଣିସାରିଛି। ୨ ମିଲିୟନ୍ ଆନ୍ତର୍ଜାତିକ ପର୍ଯ୍ୟଟକରୁ ୭.୯ପ୍ରତିଶତ ଜି.ଡି.ପି. ପୁଣି ଭାରତର ପର୍ଯ୍ୟଟକ ବିନା ଅସମ୍ଭବ। ସର୍ବ ପ୍ରଦୂଷିତ କାଠମାଣ୍ଡୁ ସହରକୁ ପ୍ରଦୂଷଣମୁକ୍ତ ଓ ଭବ୍ୟ ରାମମନ୍ଦିରଟାଏ ଗଢ଼ି ପର୍ଯ୍ୟଟନ ବିସ୍ତାରରେ ଯଦି କିଛି ସୁବିଧା ଆସିଗଲା ଭାରତ ତା’ର ପ୍ରତିବାଦୀ ନୁହେଁ। ଓଲୀ ମନେରଖିବା ଦରକାର ଯେ, ୧୫୨୮ରେ ବାବରଙ୍କ ଆକ୍ରମଣ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ଥିଲା ଏହା ଭାରତର ସର୍ବୋଚ୍ଚ ଅଦାଲତ ଜଣାଇସାରିଛନ୍ତି ଓ ଏହାକୁ ସବୁ ଧର୍ମ ଅନାୟାଶରେ ଗ୍ରହଣ କରିସାରିଛନ୍ତି। ଆଇନ୍ଷ୍ଟାଇନ୍ଙ୍କ ସର୍ବେଶ୍ୱରବାଦକୁ ବୋଧହୁଏ ସବୁ ଧର୍ମ ଗ୍ରହଣ କରି ରାମଲାଲାଙ୍କ ପାଇଁ ଜାଗାଟି ଛାଡ଼ିଦେଇଛନ୍ତି।
ଓଲୀଙ୍କ ବୟାନ, ‘ରାମ ଆମର’ ଜଣେ ନିର୍ବୋଧ ନେତାର ବୟାନ ପରି। ଆବ୍ରାହମ୍ ଲିଙ୍କନ୍ ଏକଦା କହିଥିଲେ, ”ଆମର ଶତଚେଷ୍ଟା ପରେ ବି ଯଦି ସୁନାମ ଆସୁନାହିଁ ତେବେ ଆମକୁ ସୁନାମ କିପରି ଆସିବ ସେହି ମନ୍ତ୍ରଟି ଜପିବାକୁ ହେବ।“ ବୁଦ୍ଧଙ୍କ ପବିତ୍ର ମାଟିରେ ତାଙ୍କ ମୁଖନିଃସୃତ ”ଧର୍ମଂ ଶରଣମ୍ ଗଚ୍ଛାମୀ“ ନୂଆ ସଂସ୍କରଣରେ ”ଧର୍ମଂ ହରଣମ୍ ଇଚ୍ଛାମୀ“ କମ୍ୟୁନିଷ୍ଟ୍ ମନ୍ତ୍ରରେ ପରିବର୍ତ୍ତନ ହୋଇଛି। ସ୍ବଚ୍ଛ ପରିବେଶ, ଆଧୁନିକ ପ୍ରଯୁକ୍ତି ସମୃଦ୍ଧ ଡାକ୍ତରଖାନା ନାହିଁ, କରୋନା ବିପର୍ଯ୍ୟୟ ବେଳେ ଆଇସିୟୁ ସୁବିଧା ସମ୍ପୂୂର୍ଣ୍ଣ ଗୋଟିଏ ସେବା ବ୍ୟବସ୍ଥା ନାହିଁ ଓଲୀଙ୍କ ରାଇଜରେ। ତେବେ ନେପାଳୀମାନଙ୍କ ପୋଡ଼ିଯାଉଥିବା ପେଟ ପାଇଁ ଯଦି ରାମରାଜ୍ୟର ସୁଖ ଅଜାଡ଼ି ଦଉଛି ତେବେ କାହାର ସେଥିରେ ଆପତ୍ତିି ନାହିଁ।
ମୋ: ୮୨୪୯୮୨୭୧୪୮
email: karsarada77@gmail.com