ଝାରସୁଗୁଡ଼ା ଅଫିସ,୨୩।୭: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ବାହାର ଜିଲାରୁ ଆସୁଥିବା ଲୋକଙ୍କ ଯୋଗୁ ଝାରସୁଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଇ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ୮ଟି ଜିଲା ତଥା କରୋନା ହଟସ୍ପଟରୁ ଝାରସୁଗୁଡ଼ା ଆସିଲେ କ୍ୱାରାଣ୍ଟାଇନ ବାଧ୍ୟତାମୁଳକ। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ କହିଛନ୍ତି।
ଜିଲାଗୁଡିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ସମେତ ସୁନ୍ଦରଗଡ ଜିଲାର ପାନପୋଷ ଉପଖଣ୍ଡ। ଏସବୁ ସ୍ଥାନରୁ ଝାରସୁଗୁଡ଼ାକୁ ଆସିଲେ ୧୪ ଦିନିଆ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ ସେଣ୍ଟର ସମେତ ହୋଟେଲ ଓ ଲଜରେ ପେଡ୍ କ୍ୱାରାଣ୍ଟାଇନରେ ଉପରୋକ୍ତ ଜିଲାରୁ ଆସିଥିବା ବ୍ୟକ୍ତିମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି।