Categories: ଜାତୀୟ

୧ ଏପ୍ରିଲ୍‌ରୁ ୮୦୦ ଔଷଧର ଦାମ୍‌ ବୃଦ୍ଧି…

ନୂଆଦିଲ୍ଲୀ, ୨୭।୩ : ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ବାସ୍ତବରେ, ଡ୍ରଗ ପ୍ରାଇସିଂ ଅଥରିଟି ଅଫ ଇଣ୍ଡିଆ ସିଡ୍ୟୁଲ ଔଷଧର ଦାମ୍‌ରେ ୧୦.୭ ପ୍ରତିଶତ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ଏହା ଯୋଗୁ ପାରାସିଟାମୋଲ ସମେତ ୮୦୦ରୁ ଅଧିକ ଔଷଧର ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି ଅଫ ଇଣ୍ଡିଆ (ଏନପିପିଏ) ଚଳିତ ବର୍ଷ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ)ରେ ୧୦.୭ ପ୍ରତିଶତ ବୃଦ୍ଧି ଘୋଷଣା କରିଛି।

ଏନପିପିଏ ଏହାର ବିଜ୍ଞପ୍ତିରେ କହିଛି ଯେ, ଅର୍ଥନୈତିକ ପରାମର୍ଶଦାତା, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଡବ୍ଲ୍ୟୁପିଆଇ ତଥ୍ୟକୁ ଆଧାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହା ଯୋଗୁ ଏପ୍ରିଲ ୧ ଠାରୁ ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଏବଂ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ମହଙ୍ଗା ହେବ। ଏହା ବ୍ୟତୀତ ପାରାସିଟାମୋଲ, ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫ୍ଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ଔଷଧର ଦାମ୍‌ ବଢ଼ିଯିବ।

ମହଙ୍ଗା ଓଷଧ ତାଲିକାରେ ଆଣ୍ଟିବାୟୋଟିକ, ଆଣ୍ଟି-ଇନଫ୍ଲାମେଟୋରୀ, କାନ-ନାକ ଏବଂ ଗଳା ଔଷଧ, ଆଣ୍ଟିସେପ୍ଟିକ୍ସ, ପେନ୍‌ କିଲର, ଗ୍ୟାସଟ୍ରୋ-ଇଣ୍ଟେଷ୍ଟେଣ୍ଟାଲ ଏବଂ ଆଣ୍ଟିଫଙ୍ଗାଲ ଆଦି ଔଷଧ ରହିଛି।

Share