ଏପ୍ରିଲ ୧୮ରୁ ଲୋକସେବା ଭବନ ଯାଇପାରିବେ ଖବରଦାତା-ସାଧାରଣ ଲୋକେ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ହଟିଲା କଟକଣା। ଆସନ୍ତା ୧୮ରୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା ଓ ଖବରଦାତା। ସାଧାରଣ ଲୋକେ ଅନଲାଇନରେ ପାସ୍‌ ନେଇ ଲୋକସେବା ଭବନକୁ ଯାଇପାରିବେ। ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ବୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ଖବରଦାତାମାନେ ଲୋକସେବା ଭବନ ଯାଇପାରିବେ ବୋଲି ସରକାରଙ୍କ ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ତଥା ଓଏସ୍‌ଡ଼ି ପିସି ପ୍ରଧାନ ସମସ୍ତ ବିଭାଗଗୁଡ଼ିକୁ ଅବଗତ କରାଇଛନ୍ତି ।

କରୋନା କଟକଣା କୋହଳ ହେବା ପରେ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର ରିସେପ୍ସନ କାଉଣ୍ଟରଗୁଡ଼ିକ ଏପ୍ରିଲ ୧୮ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଫଳରେ କାଉଣ୍ଟରରୁ ଅନ୍‌ଲାଇନ୍‌ ପାସ୍‌ ସଂଗ୍ରହ କରି ସାଧାରଣ ଜନତା ନିଜ ନିଜ କାମରେ ଲୋକସେବା ଭବନ ଯାଇପାରିବେ। ଏହାଛଡ଼ା ସଚିବାଳୟ ମଧ୍ୟକୁ ଆକ୍ରିଡ଼ିଏଟେଡ଼ ଖବରଦାତାମାନଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି।

ପ୍ରକାଶ ଯେ, ସଚିବାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ଅନୁମତି ନ ଥିବାରୁ ସରକାର ସମାଲୋଚିତ ହୋଇଥିଲେ। ଏନେଇ ଅନେକ ଖବରଦାତା ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏପରିକି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିଧାୟକମାନେ ଉଦବେଗ ପ୍ରକାଶ ମଧ୍ୟ କରିଥିଲେ।

Share