ସହଯୋଗୀରୁ ସଫଳ ବ୍ୟବସାୟୀ

ପିଲାଟିଦିନରୁ ପାଠପଢ଼ା ସହ ଅନେକ କ୍ଷେତ୍ରରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ପରେ ହାତକୁ ଦୁଇହାତ ହୋଇଯାଆନ୍ତି। ବିଶେଷକରି ଛାତ୍ରୀଙ୍କ ମନରେ ରହିଥିବା ଅସୁମାରି ସ୍ବପ୍ନକୁ ସ୍ବାମୀ ଭଲ ଭାବେ ବୁଝି ପାରିଥାଆନ୍ତି। ପରବର୍ତ୍ତୀ ସମୟରେ ସ୍ବାମୀଙ୍କ ବ୍ୟବସାୟରେ ସହଭାଗୀ ହୋଇ ବ୍ୟବସାୟର ସମସ୍ତ ଅଭିଜ୍ଞତା ହାସଲ ସହ ହ୍ୟୁଣ୍ଡାଇ ମୋଟର୍ସର ଏକ ସୁଯୋଗକୁ ସେ ସଫଳ ବ୍ୟବସାୟରେ ପରିଣତ କରାଇପାରିଥିଲେ। ସେହି ସଫଳ ମହିଳା ଉଦ୍ୟୋଗୀ ତଥା କୋଶଳ ଅଟୋମୋବାଇଲର ନିର୍ଦ୍ଦେଶିକା ପଦ୍ମିନୀ ପାଣିଗ୍ରାହୀଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-୧: ଅଟୋ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ କ’ଣ?
ଉ: ଦେଶର ସମସ୍ତ ଅଟୋ ନିର୍ମାତାମାନେ ଆବଶ୍ୟକ ପରିମାଣର ସାମଗ୍ରୀ ଠିକ୍‌ ସମୟରେ ପାଇପାରୁନାହାନ୍ତି। ବିଶେଷକରି ସେମିକଣ୍ଡକ୍ଟରର ଅଭାବୀ ଯୋଗୁ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି କମ୍ପାନୀ ମୂଲ୍ୟ ବୃଦ୍ଧି କରାଇବା ସହ ସରକାରଙ୍କ ନିୟମାବଳୀ ଏବଂ ଅତିରିକ୍ତ ଦରବୃଦ୍ଧି ଯୋଗୁ ମଧ୍ୟ ସମସ୍ୟା ଦେଖାଦେଉଛି। ଅପରପକ୍ଷରେ ମୂଲ୍ୟବୃଦ୍ଧି ଓ ମାନ୍ଦାବସ୍ଥା ଯୋଗୁ ନିକଟରେ ୪ଟି ଅଟୋମୋବାଇଲ କମ୍ପାନୀ ଭାରତରୁ ଉତ୍ପାଦନ ବନ୍ଦ କରି ଦେଇଛନ୍ତି। ସେହିଭଳି ତୈଳ ଦର ବ୍ୟବସାୟ ପାଇଁ ଅନ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏପରିକି ଗ୍ରାହକ ମଧ୍ୟ ସରକାରଙ୍କ ନୀତିନିୟମ ଓ ଦରବୃଦ୍ଧି ପାଇଁ ଅଧିକ ଚିନ୍ତିତ ଅଛନ୍ତି।
ପ୍ର-୨: କୋଶଳ ଅଟୋମୋବାଇଲର ଯାତ୍ରା କିଭଳି ରହିଛି?
ଉ- ବିଂଶ ଶତାବ୍ଦୀରେ ବିଭିନ୍ନ ଗାଡ଼ି କମ୍ପାନୀ ଓଡ଼ିଶା ବଜାରରେ କାରବାର କରିବାକୁ ବିଜ୍ଞାପନ ଦେଉଥିଲେ। ଏପରିକି ୨୦୦୪ରେ ରାଉରକେଲା ସହର ପାଇଁ ହ୍ୟୁଣ୍ଡାଇର ବିଜ୍ଞାପନ ଆମ ପାଇଁ ଏକ ସୁଯୋଗ ପ୍ରଦାନ କରିଥିଲା। ଫଳରେ ୨୦୦୪ରୁ କୋଶଳ ଅଟୋମୋଟାବାଲ ନାମରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରର ଅୟମାରମ୍ଭ ହୋଇଥିଲା। ବିଶେଷକରି ବହୁ ଘାତପ୍ରତିଘାତ ଏବଂ ଅପ ଆଣ୍ଡ ଡାଉନ ମଧ୍ୟ ଦେଇ କୋଶଳର ଯାତ୍ରା ଜାରି ରହିଛି। ଏପରିକି ସବୁସ୍ତରର ସହଯୋଗ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ଉତ୍ତମ ଗ୍ରାହକ ସେବା ଯୋଗୁ ବ୍ୟବସାୟ ବଞ୍ଚତ୍ିରହିଛି। ସବୁଠାରୁ ବଡକଥା ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରିଛି।
ପ୍ର-୩ : ଅଟୋମୋବାଇଲ ବ୍ୟବସାୟରେ ବିକ୍ରି-ବିକ୍ରି ପରବର୍ତ୍ତୀ ସେବାକୁ କିଭଳି ବୃଦ୍ଧି କରିହେବ?
ଉ- ବିକ୍ରି ଓ ବିକ୍ରି ପରବର୍ତ୍ତୀ ସେବା ଯେତିକି ଗୁରୁତ୍ୱ ତା’ଠାରୁ ବେଶି ଗ୍ରାହକଙ୍କ ବିଶ୍ୱାସ ଏବଂ ଭରସା ହାସଲ କରିବା। ଏପରିକି ବର୍ତ୍ତମାନର ଆଧୁନିକ ସମୟରେ ବ୍ୟବସାୟର ପ୍ରତିଟି ସୂଚନାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିନ୍ନଧରଣର ଉପସ୍ଥାପନ କରିବାକୁ ହେବ। ଫଳରେ ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କର ଆବଶ୍ୟକତା ମଧ୍ୟ ପୂରଣ କରିହେବ। ସେହିଭଳି ଗାଡି ସମ୍ପର୍କିତ ସମସ୍ତ ସୂଚନା ଓ ନୂତନ ଉତ୍ପାଦ ଏବଂ ଅଫର ଭଳି ସୂଚନା ମଧ୍ୟ ଠିକ୍‌ ଭାବେ ଗ୍ରାହକଙ୍କୁ ଅବଗତ କରାଇବାକୁ ପଡିବ। ଏପରିକି ବିଭିନ୍ନ ସମୟରେ ଗ୍ରାହକ ସମ୍ମିଳନୀ କରି ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଭାବ ବିନିମୟ ଆବଶ୍ୟକ ହୋଇଥାଏ। ଉପରୋକ୍ତ ବିଷୟକୁ ଭଲ ଭାବେ ଧ୍ୟାନଦେଲେ ସବୁକିଛି ଠିକ୍‌ ହୋଇପାରିବ।
ପ୍ର-୪: ବ୍ୟବସାୟରେ ବ୍ରାଣ୍ଡ୍‌ ଭୂମିକା କିଭଳି ରହିଥାଏ?
ଉ- ସବୁ ବ୍ୟବସାୟରେ ବ୍ରାଣ୍ଡ୍‌ର ଭୂମିକା ରହିଥାଏ। ହେଲେ ଅଟୋମୋବାଇଲ କ୍ଷେତ୍ରରେ ବେଶି ରହିଥାଏ। କାରଣ ଉପଭୋକ୍ତା ତା’ର ବହୁ ଦିନର ସମ୍ବଳକୁ ବିନିଯୋଗ କରି ଏକ ଗାଡି ନେବାକୁ ଇଚ୍ଛା କରିଥାଏ। ଗ୍ରାହକଙ୍କୁ ଗାଡିର ଠିକ୍‌ ସୂଚନା ଓ ବିକ୍ରି ପରବର୍ତ୍ତୀ ସେବା ସାଙ୍ଗକୁ ଗ୍ରାହକ ସମ୍ପର୍କ ମଧ୍ୟ ବ୍ୟବସାୟରେ ଭଲ ପ୍ରଭାବ ପକାଇଥାଏ। ଯେଉଁ ବ୍ରାଣ୍ଡ୍‌ର ଉତ୍ପାଦକୁ ନେଇ କାରବାର କରିବା ପ୍ରଥମେ ସେହି ବ୍ରାଣ୍ଡ୍‌ର ସମସ୍ତ ସୂଚନା ଠିକ୍‌ ଭାବେ ଗ୍ରାହକଙ୍କୁ ପ୍ରଦାନ କରିବା ଆବଶ୍ୟକ। ବିଶେଷକରି ଗାଡି ବୁକିଂଠାରୁ ବିକ୍ରି ପରବର୍ତ୍ତୀ ସେବା ପାଇଁ ସାମଗ୍ରୀର ସୂଚନା ବ୍ରାଣ୍ଡ୍‌କୁ ଅଧିକ ଲୋକାଭିମୁଖୀ କରାଇଥାଏ।
ପ୍ର-୫: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ଉ- ବ୍ୟବସାୟରେ ଆନୁଷ୍ଠାନିକ ଭାବେ ଯୋଗଦେବା ପରଠାରୁ ଅବସର ସମୟର ସଂଜ୍ଞା ବଦଳିଯାଇଛି। ବିଶେଷକରି ପ୍ରତିଯୋଗିତାମୂଳକ ବ୍ୟବସାୟରେ ଆବଶ୍ୟକତାଠାରୁ ଅଧିକ ସମୟ ଦେବାକୁ ପଡ଼ିଥାଏ। ତଥାପି ବଳକା ସମୟରେ ନୃତ୍ୟ, ସଙ୍ଗୀତ ଓ ଲେଖାପଢ଼ା ସହ ବଗିଚାରେ ସମୟ ଅତିବାହିତ କରିଥାଏ। ବିଶେଷ ସମୟରେ ପରିବାର ଓ ପରିଜନଙ୍କ ସହ ମିଶିବାକୁ ଭଲଲାଗେ।
ପ୍ର-୬: କୋଶଳ ବ୍ରାଣ୍ଡ୍‌ ପଛର ରହସ୍ୟ କ’ଣ ରହିଛି?
ଉ- କୋଶଳ ବ୍ରାଣ୍ଡ୍‌ ପଛରେ କିଛି ରହସ୍ୟ ନାହିଁ କିନ୍ତୁ ସ୍ଥାନୀୟ କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ମୃତି କରିବା ଉଦ୍ଦେଶ୍ୟରେ ଏହାର ଅୟମାରମ୍ଭ ହୋଇଥିଲା। ବିଶେଷକରି ଇତିହାସରେ କୋଶଳ ସାମ୍ରାଜ୍ୟର ଅନେକ କାହାଣୀ ରହିଛି, ଉକ୍ତ କାହାଣୀର ଅଂଶ ଓ ଭାବନାକୁ ବ୍ୟବହାର କରାଯାଇଛି। ଏପରିକି ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ କୋଶଳ ଶବ୍ଦ ବେଶ୍‌ ପାରିବାରିକ ଭାବନା ସୃଷ୍ଟି କରିଥାଏ।

 

Share