Categories: ଫୁରସତ

ପରିବାର ସମ୍ଭାଳିବାଠାରୁ ଆରମ୍ଭକରି ମହାକାଶ ଗବେଷଣା

ସମାଜ ତଥା ପରିବାରରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବାର, ସମାଜ, ଦେଶ ତଥା ପୃଥିବୀର ବିକାଶରେ ମହିଳାଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଥାଏ। ମହିଳାଙ୍କ ବିକାଶ ମାଧ୍ୟମରେ ଯେକୌଣସି ଦେଶର ବିକାଶ ସମ୍ଭବ ହୋଇପାରିଥାଏ।
କିନ୍ତୁ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ବିଭିନ୍ନ ହିଂସା ଘଟଣା ଯୋଗୁ ବିକାଶ ବାଧାପ୍ରାପ୍ତ ହୋଇଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ବିଶ୍ୱସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସମ୍ପ୍ରତି ପରିବାର ସମ୍ଭାଳିବାଠାରୁ ଆରମ୍ଭକରି ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ସବୁଠି ମହିଳା ନିଜର କ୍ଷମତା ପ୍ରଦର୍ଶନ କରିପାରିଛନ୍ତି।
ପ୍ରତିବର୍ଷ ନଭେମ୍ବର ୨୫ରେ ଅନ୍ତର୍ଜାତୀୟ ମହିଳା ହିଂସା ଦୂରୀକରଣ ଦିବସ ପାଳିତ ହୋଇଥାଏ। ୧୯୭୯ରେ ଜାତିସଂଘ ସାଧାରଣ ସଭା ପକ୍ଷରୁ ମହିଳାଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାରର ଭେଦଭାବ ବିଲୋପ ସମ୍ମିଳନୀ (ସିଇଡିଏଡବ୍ଲ୍ୟୁ)ରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା।
ମହିଳା ଅଧିକାର କର୍ମୀମାନଙ୍କ ପକ୍ଷରୁ ୧୯୮୧ଠାରୁ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୨୫ ନଭେମ୍ବରରେ ଏହି ଦିବସ ପାଳନ କରାଯିବାକୁ ପ୍ରସ୍ତାବ ଆଗତ କରାଯାଇଥିଲା। ଶେଷରେ ୭ ଫେବୃୟାରୀ ୨୦୦୦ରେ ଜାତିସଂଘର ସାଧାରଣ ସଭା ପକ୍ଷରୁ ୫୪/୧୩୪ ରେଜୋଲ୍ୟୁଶନ ଗ୍ରହଣ କରାଯାଇ ଆନୁଷ୍ଠାନିକ ଭାବରେ ୨୫ ନଭେମ୍ବରକୁ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
୨୦୦୮ରେ ମହିଳାଙ୍କ ପ୍ରତି ହିଂସାକୁ ଶେଷ କରିବା ପାଇଁ ୟୁନିଟ ନାମକ ଏକ ସଂଗଠନ ଗଠନ କରାଯାଇଥିଲା। ସମଗ୍ର ବିଶ୍ୱରେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ସମାପ୍ତ କରିବା ପାଇଁ ସ୍ବତନ୍ତ୍ର ନୀତି ପରିପ୍ରକାଶ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ।

Share