Categories: ଜାତୀୟ

ଗଗନୟାନରୁ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୨୮ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ବିଦାୟୀ ବର୍ଷରେ କରୋନା କଟକଣା ଯୋଗୁ ଅନେକ ମିଶନ ବିଳମ୍ବ ହୋଇଥିବାବେଳେ ସେଗୁଡ଼ିକୁ ଗତି ଦେବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ବଡ଼ ମିଶନ ମଧ୍ୟରେ ରହିଛି ଗଗନୟାନ। ଭାରତର ଏହି ଉଚ୍ଚାଭିଳାଷୀ ସ୍ପେସ୍‌ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ପେସ୍‌କୁ ପଠାଯିବ। ୨୦୨୨ ମଧ୍ୟଭାଗ ବେଳକୁ କ୍ରିଉ ଏସ୍‌କେପ୍‌ ସିଷ୍ଟମ ଏବଂ ଗଗନୟାନର ପ୍ରଥମ ମାନବରହିତ ମିଶନ ପ୍ରଦର୍ଶନର ଯାଞ୍ଚ ପାଇଁ ଇସ୍ରୋ ପରୀକ୍ଷଣ ଯାନ ଉଡ଼ାଣ ସଞ୍ଚାଳନ କରିବ। ୨୦୨୨ ଶେଷ ସୁଦ୍ଧା ଦ୍ୱିତୀୟ ମାନବରହିତ ମିଶନ ପୂରଣ ହେବ। ଏହା ପରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମହାକାଶ ପଠାଇବା ନିମନ୍ତେ ତାଲିମ ଦିଆଯିବ। ମିଶନରେ ୪ ଅଧିକାରୀଙ୍କୁ ଚୟନ କରାଯାଇସାରିଛି। ଏହି ମିଶନ ସଫଳ ହେଲେ ଇସ୍ରୋ ପୃଥିବୀ କକ୍ଷପଥକୁ ଲୋକଙ୍କୁ ନେଇ ମହାକାଶ ପରିଭ୍ରମଣ କରାଇପାରିବ।
ଯୋଗୁ ବିଳମ୍ବ ହୋଇଥିବା ଆଦିତ୍ୟ ଏଲ୍‌-୧ ମିଶନକୁ ନୂଆ ବର୍ଷରେ ପୂରଣ କରାଯିବ। ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗ୍‌ ପଏଣ୍ଟକୁ ଆଦିତ୍ୟ ଏଲ୍‌-୧କୁ ପଠାଯିବ। ୨୦୧୩ ମଙ୍ଗଳ ମିଶନ ପରେ ଏହା ଇସ୍ରୋର ସବୁଠୁ ହାଇପ୍ରୋଫାଇଲ ଅଭିଯାନ। ନୂଆ ବର୍ଷରେ ଇସ୍ରୋ ଏହାର ଅନ୍ୟତମ ଉଚ୍ଚାଭିଳାଷୀ ମିଶନ ଚନ୍ଦ୍ରୟାନ-୩ ପୂରଣ କରିବାକୁ ଯୋଜନା ରଖିଛି। ପ୍ରଥମ ଚନ୍ଦ୍ରୟାନ ମିଶନ ୨୦୦୮ରେ ଲଞ୍ଚ୍‌ ହୋଇଥିବାବେଳେ ଚନ୍ଦ୍ରପୃଷ୍ଠରୁ ତାହା ଅନେକ ତଥ୍ୟ ସଂଗ୍ରହ କରିଥିଲା। ୨୦୧୯ରେ ଚନ୍ଦ୍ରୟାନ ମିଶନ-୨ର ଲ୍ୟାଣ୍ଡିଂ ବିଫଳ ହୋଇଥିଲା। ପୃଥିବୀ ନିମ୍ନ କକ୍ଷରେ ସାଟେଲାଇଟ୍‌ ସ୍ଥାପନ ପାଇଁ ଇସ୍ରୋ ସ୍ମଲ ସାଟେଲାଇଟ୍‌ ଲଞ୍ଚ ଭେହିକିଲ (ଏସ୍‌ଏସ୍‌ଏଲ୍‌ଭି) ବିକାଶ କରୁଛି। ୨୦୨୨ ପ୍ରଥମ ତ୍ରୈୟମାସିକ ସୁଦ୍ଧା ଏସ୍‌ଏସ୍‌ଏଲ୍‌ଭି ଦ୍ୱାରା ପ୍ରଥମ ସାଟେଲାଇଟ ଉତ୍‌କ୍ଷେପଣ କରାଯିବ। ଏହା ବ୍ୟତୀତ ଇସ୍ରୋ ୨୦୨୧ରୁ ୨୦୨୩ ମଧ୍ୟରେ ଉପଗ୍ରହ ପ୍ରେରଣ ପାଇଁ ୪ ଦେଶ ସହ ଚୁକ୍ତି କରିଛି।

Share