ଜୁଲାଇ ୧୩ରୁ ଅନ୍‌ଲାଇନରେ ପାଠ ପଢିବେ କଲେଜ ପିଲା

ଭୁବନେଶ୍ୱର,୨।୭(ବ୍ୟୁରୋ)- କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନଷ୍ଠାନରେ ପାଠ ପଢ଼ା ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳିସ୍ଥଳେ ପଛାଇ ଯାଉଥିବା ପାଠପଢା ଏବଂ ଉଚିତ୍‌ ସମୟରେ ପାଠ୍ୟକ୍ରମ ଶେଷ କରିବାକୁ ଅନ୍‌ଲାଇନରେ କ୍ଲାସ୍‌ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ଗୁରୁବାର ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଛି। ଆସନ୍ତା ୧୩ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ୟୁଜି(ଯୁକ୍ତ ୩) ଏବଂ ପିଜି ପିଲାଙ୍କ ପାଇଁ ଅନ୍‌ଲଇନ୍‌ କ୍ଲାସ୍‌ ଆରମ୍ଭ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଏନେଇ ଅବଗତ କରାଯାଇଛି।
ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ଆଗାମୀ ସେମିଷ୍ଟର ପାଇଁ ଏବେଠାରୁ ଅନ୍‌ଲାଇନରେ ପାଠପଢା ଆରମ୍ଭ ହେବ। ଅଧ୍ୟାପକ ମାନେ ୩୨ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ହ୍ବାଟ୍‌ସଆପ୍‌ କିମ୍ବା ଇ-ମେଲ୍‌ ଗ୍ରୁପ୍‌ କରି ପାଠ ପଢ଼ାଇବେ। ଏହାଠାରୁ ଅଧିକ ପିଲାଙ୍କୁ ଗ୍ରୁପ୍‌ରେ ସାମିଲ କରାଯିବ ନାହିଁ। ଘରେ ପଢିବା ପାଇଁ ଶିକ୍ଷକମାନେ ପିଲାଙ୍କୁ ନୋଟ୍‌ସର ସଫ୍ଟକପି, ଟେକ୍ସଟ୍‌ ବୁକ୍‌, ରେଫ୍‌ରେନ୍ସ ବୁକ୍‌, ପିପିଟି ଭଳି ଇ-ମ୍ୟାଟେରିଆଲ ଏବଂ ଇ-କଣ୍ଟେଣ୍ଟ୍‌ ହ୍ବାଟ୍‌ସଆପ୍‌ କିମ୍ବା ଇ-ମେଲ୍‌ ଯୋଗେ ପଠାଇବେ। ସେହିପରି ଗୁଗଲ ମିଟ୍‌, ଜୁମ୍‌, ସ୍କାଏପି ଭଳି ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ଦିନକୁ ଅତିକମ୍‌ରେ ୨ରୁ ୩ ଘଣ୍ଟାଏ ଲେଖା ସପ୍ତାହକୁ ୩ଦିନ ପାଠ ପଢାଇବେ। ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗଦେଉଥିବା ପିଲାମାନଙ୍କର ଆଟେଣ୍ଡାନ୍ସ ରେଜିଷ୍ଟାର ବା ଉପସ୍ଥାନ ରଖାଯିବ ବୋଲି ନିଷ୍ପତି ନିଆଯାଇଛି।

Share