ଆଲୋକରୁ ଅନ୍ଧାର ଆଡ଼କୁ

କେଉଁ କାଳରୁ ଆମ ମହନୀୟ ସଂସ୍କାରରେ ମହାମନ୍ତ୍ରଟିଏ ହୋଇ କୋଟି ପ୍ରାଣରେ ଝଙ୍କୃତ ହୋଇଆସୁଛି, ସଂଜୀବନୀ ଶକ୍ତି ହୋଇ ପ୍ରବାହିତ ହୋଇଆସୁଛି ଆମର ପ୍ରତିଟି ରକ୍ତବିନ୍ଦୁରେ; ପୁଣି ଆମ ସାମାଜିକ ଚେତନାର ପରମ୍ପରାରେ ପ୍ରାର୍ଥନାଟିଏ ହୋଇ ଉଚ୍ଚାରିତ ହେଉଛି ସେଇ ରହସ୍ୟମୟ ଶକ୍ତି ଉଦ୍ଦେଶ୍ୟରେ- ”ମୋତେ ଅନ୍ଧାରରୁ ଆଲୋକ ଆଡ଼କୁ, ଅସତ୍‌ରୁ ସତ୍‌ ଆଡ଼କୁ ଓ ମୃତରୁ ଅମୃତ ଆଡ଼କୁ ବାଟ କଢ଼ାଇ ନିଅ ପ୍ରଭୋ!“ ସଂସ୍କାର ଓ ସଂସ୍କୃତି ପ୍ରତି ଶ୍ରଦ୍ଧାଶୀଳ ଯେ କେହି ଭାରତୀୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ମନ୍ତ୍ରରେ ହିଁ ଅଭିମନ୍ତ୍ରିତ। ଦିନେ ଏଇ ମାଟିରେ ଏହି ମନ୍ତ୍ର ଦସ୍ୟୁ ରନତ୍ାକରକୁ ମହର୍ଷି ବାଲ୍ମୀକିରେ ରୂପାନ୍ତରିତ କରିଥିଲା। ପୁଣି ଶୈଶବରୁ ଏହି ମନ୍ତ୍ର ଘୋଷି ଘୋଷି ଶିବାଜୀ ହୋଇଥିଲେ ଛତ୍ରପତି, ଆଉ ନରେନ୍ଦ୍ର ପାଲଟି ଯାଇଥିଲେ ବିଶ୍ୱବିଜୟୀ ବିବେକାନନ୍ଦ। ଶୈଶବରୁ ବାର୍ଦ୍ଧକ୍ୟଯାଏଁ ଦିବ୍ୟ ଜୀବନର ଉତ୍ତରଣ ପଥରେ ସନାତନ ଶକ୍ତି ଯୋଗାଇଥାଏ ଏ ସାଂଗୀତିକ ମହାନ୍‌ ମନ୍ତ୍ର।
ଅଥଚ ବିଡ଼ମ୍ବନାର ବିଷୟ ଏହା ଯେ, ନିଜ ନିଜକୁ ଆଧୁନିକ ବୋଲାଉଥିବା ଆମ ଭିତରୁ ଥୋକେ ଏ ଶକ୍ତିକୁ ଅସ୍ବୀକାର କରନ୍ତି, ଅବଜ୍ଞା କରନ୍ତି, ଏଇ ମାନ୍ତ୍ରିକ ଧ୍ୱନିକୁ ଓ ବାଟ ଭାଙ୍ଗି ଚାଲିବାରେ ଲାଗନ୍ତି ବିପରୀତ ଦିଗରେ। ସେମାନେ ପାଦ ବଢ଼ାନ୍ତି ଆଲୋକରୁ ଅନ୍ଧାର ଆଡ଼କୁ। ସେମାନେ ଅନ୍ଧାରରେ ରହନ୍ତୁ, ଆଲୋକକୁ ଘୃଣା କରନ୍ତୁ ମନା ନାହିଁ। ମାତ୍ର ଯେତେବେଳେ ସେମାନେ ଅନ୍ୟ ଆଲୋକ ରାଜ୍ୟର ଅଧିବାସୀମାନଙ୍କ ହାତ ଭିଡ଼ି ଅନ୍ଧାର ଆଡ଼କୁ ଟାଣି ନିଅନ୍ତି, ସେତେବେଳେ ଆମ ସାମାଜିକ ଜୀବନର ଶୁଦ୍ଧତା ଓ ନିରାପତ୍ତାକୁ ନେଇ ମନରେ ପ୍ରଶ୍ନ ଉଠେ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ସାମ୍ପ୍ରତିକ କାଳରେ ଅନ୍ଧାରପ୍ରିୟ ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମ ସୁବର୍ଣ୍ଣ ପରମ୍ପରାର ଶୁଦ୍ଧ ସଂସ୍କାରଠୁ ମୁହଁ ଫେରାଇ ଏମାନେ ନିଜକୁ ସଭ୍ୟ, ସଂଭ୍ରାନ୍ତ ଓ ଆଧୁନିକ, ପ୍ରଗତିଶୀଳ ବୋଲି ଘୋଷଣା କରୁଛନ୍ତି। କହୁଛନ୍ତି, ‘ସଂସ୍କାର, ସଂସ୍କୃତି ଓ ପରମ୍ପରା’ ଏସବୁ ଆବେଗ ବିଜଡ଼ିତ ଅନ୍ଧାରି ରାଜ୍ୟର ଉପକଥା। ଆଧୁନିକତାରେ ନିଜକୁ ଆଲୋକିତ କରିବାର ଅଛି ତ ସଂସ୍କାରବାଦୀ ଅନ୍ଧାରଠୁଁ ଦୂରେଇ ଆସ। ନିଜକୁ ‘ବିଶ୍ୱ ଗ୍ରାମ ବା ଗ୍ଲୋବାଲ ଭିଲେଜ’ରେ ପ୍ରତିଷ୍ଠିତ କରିବାର ଅଛି ତ ପଶ୍ଚାତ୍‌ଗାମୀ ଗାଉଁଲି ପରମ୍ପରାକୁ ମାଟିରେ ମିଶାଇଦିଅ।
ବାଃ, କି ସାହସିକ ଉଦ୍‌ଘୋଷଣା! ଆଧୁନିକତାର ଅତିରିକ୍ତ ଔଜ୍ଜଲ୍ୟରେ ଅନ୍ଧ ହୋଇ ନ ଗଲେ ଏମିତି ଆସ୍ଫାଳନ କେହି କେବେ କରନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ସୀମା ଯାଏଁ ଆଲୋକକୁ ସହି ହୁଏ ସିନା, ମାତ୍ର ସେଇ ସୀମା ଅତିକ୍ରମି ଗଲେ ମଣିଷ ଅନ୍ଧ ହୋଇଯାଏ ଓ ଥରେ ଅନ୍ଧ ହୋଇଗଲେ ଚାରିଆଡ଼େ ଖାଲି ଅନ୍ଧାର ହିଁ ଅନ୍ଧାର। ପ୍ରକୃତରେ ଯେଉଁଠି ବ୍ୟକ୍ତି ଚେତନାରେ ରାଷ୍ଟ୍ରୀୟ ସଂସ୍କାର ଓ ସାମାଜିକ ଅସ୍ମିତାର ମହତ୍ତ୍ୱ ବିକଶିତ ହୋଇନାହିଁ, ସେଠି ଚିରକାଳ ଅନ୍ଧାର ହିଁ ରାଜୁତି କରୁଥାଏ। ଶିକ୍ଷା, ସଭ୍ୟତା ବା ଜ୍ଞାନ, ବିଜ୍ଞାନ ଓ ବୌଦ୍ଧିକତାର ଜୟଯାତ୍ରା ଯେତେ ତୀବ୍ର ମୁଖର ହେଲେ ବି ଆଧୁନିକତାର ଶଙ୍ଖଧ୍ୱନି ଯେତେ ଉଗ୍ରତାର ସହିତ ନିନାଦିତ ହେଲେ ମଧ୍ୟ ସେହି ଅନ୍ଧାର କେବେ ବି ଦୂରୀଭୂତ ହୁଏନା, ହୋଇପାରେନା।
ଆଧୁନିକତାର ଏ ମିଥ୍ୟା ଆଲୋକ ଚକ୍ଷୁଷ୍ମାନ୍‌ ମଣିଷକୁ ନେଇ କେଉଁ ଅନ୍ଧାରି ଇଲାକାରେ ପହଞ୍ଚାଇ ଦେଇଛି। ଯେଉଁ ମାଟିରେ ସେ ଜନ୍ମ ନେଇଥାଏ, ଯାହାର ପାଣି ପବନ ତା’ ଦେହରେ ସଂଜୀବନୀ ଶକ୍ତି ହୋଇ ବାଲ୍ୟରୁ ବାର୍ଦ୍ଧକ୍ୟଯାଏଁ ବଞ୍ଚାଇ ରଖିଥାଏ, ସେଇ ମାଟିର ନିଜସ୍ବ ସଂସ୍କାର ଓ ସଂସ୍କୃତିକୁ ଅବଜ୍ଞା କରି ସେ ନିଜକୁ ସଭ୍ୟ ଓ ଆଧୁନିକ ବୋଲି ଚିହ୍ନାଇପାରେ କେମିତି? ଜୀବନ ସଡ଼କରେ ‘ଫରଓ୍ବାର୍ଡ ମାଚ୍ଚର୍’ରେ ଯେତେ ଆଗକୁ ମାଡ଼ି ଚାଲିଲେ ବି ନିଜ ମାଆ, ମାତୃଭୂମି ଓ ମାତୃଭାଷାକୁ ‘ବେକ୍‌ଓ୍ବାର୍ଡ’ କହି ଅସମ୍ମାନିତ କରିପାରେ କେମିତି? ନିଜ ମାଆକୁ ସମୁଚିତ ସମ୍ମାନ ଦେଇ ଜାଣି ନଥିବା ସଂସ୍କାରଚ୍ୟୁତ ସନ୍ତାନକୁ କେଉଁ ରାଜ୍ୟର ଅଧିବାସୀ ବୋଲି ଧରି ନିଆଯିବ? ଆଲୋକ ରାଜ୍ୟର ନା ଅନ୍ଧାର ରାଜ୍ୟର?
କିଏ ଜଣେ ମନୀଷୀ କହିଥିଲେ ପରା, ”ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ଭଲ କରି ବୁଝିହୁଏ।“ ସୁତରାଂ ନିଜ ସଂସ୍କାର ଓ ସଂସ୍କୃତିକୁ ଭୁଲିଯିବାର ନାମ ନୁହେଁ ସଭ୍ୟତା। ଆପଣାର ଅସ୍ମିତାକୁ ବିସ୍ମରିଯିବାର ନାମ ନୁହେଁ ଆଧୁନିକତା। ବାହାରକୁ ଚିକ୍‌ ଚିକ୍‌ କରୁଥିବା ଏକ ସୁଦୃଶ୍ୟ ସୌଧକୁ ଅଦୃଶ୍ୟ ଭାବେ ତଳୁ ଟେକି ଧରିଥିବା ଇଟାଖଣ୍ଡମାନଙ୍କ ପ୍ରତି ଅକୃତଜ୍ଞ ରହିବାର ନାମ ନୁହେଁ ସାର୍ଥକତା। ଏ ଦେଶର ସଂସ୍କାରରେ ମହାବଳ ବାଘକୁ ମାମୁ କୁହାଯାଏ। ପୁଷି ବିଲେଇକୁ ମାଉସୀ ଡକାଯାଏ। ପଶୁପକ୍ଷୀଙ୍କୁ ନିଜ ସମ୍ପର୍କୀୟ ବିଚାରୁଥିବା ଭାରତୀୟମାନେ ଏବେ ଉଗ୍ର ଆଧୁନିକତାରେ ଆକ୍ରାନ୍ତ ହୋଇ ବାପା ମାଆ, କକାଖୁଡ଼ୀ ଓ ମାମୁ ମାଈଁଙ୍କ ଭଳି ଅନ୍ତରଙ୍ଗ ସମ୍ପର୍କୀୟଙ୍କୁ ମଧ୍ୟ ନିଜ ଭାଷାରେ ସମ୍ବୋଧନ କରିବାକୁ ମର୍ଯ୍ୟାଦାର ପରିପନ୍ଥୀ ବୋଲି ବିଚାରୁଛନ୍ତି। ସତେ ଯେମିତି, ନିଜ ସନ୍ତାନ ସନ୍ତତିଙ୍କ ମୁହଁରୁ ଡାଡି, ମମି ବା ଅଙ୍କଲ, ଆଣ୍ଟି ନ ଶୁଣିଲେ ନିଜ ଗର୍ବିତ ପିତୃତ୍ୱ ବା ମାତୃତ୍ୱ ଉପରେ କାଳିଛିଟା ପଡ଼ିଯିବ। ଭାଇକୁ ‘ବ୍ରୋ’ କି ଭଉଣୀକୁ ‘ସିସ୍‌’ ବୋଲି ସମ୍ବୋଧନ ନ କଲେ ବା ଜନ୍ମଦିନକୁ ‘ବର୍ଥ ଡେ’ ବୋଲି ଉଚ୍ଚାରଣ ନ କଲେ ମଇଳା ହୋଇଯିବ ଆପଣାର ସଂଭ୍ରାନ୍ତ ପରିଚୟ। ନିର୍ଲଜ୍ଜତା ଆଉ କାହାକୁ କହନ୍ତି କି !
ଏ ଦେଶର ପ୍ରାଚୀନ ସଂସ୍କାରର ମଣ୍ଡ ହେଉଛି ‘ତମସୋ ମା ଜ୍ୟୋତିର୍ଗମୟ’। କେବଳ ରାଷ୍ଟ୍ରୀୟ ବିଚାରରେ ନୁହେଁ, ବ୍ୟକ୍ତି ଚେତନାରେ ମଧ୍ୟ ଅନ୍ଧାରରୁ ଆଲୋକ ଆଡ଼କୁ ଯିବାର ପ୍ରବଣତା ଅଦୃଶ୍ୟ ଭାବେ ବସା ବାନ୍ଧି ରହିଛି। ଅଥଚ ଆଧୁନିକତାର ତାଳେ ତାଳେ ଆଧୁନିକ ବାପା ମା’ମାନେ ସେମାନଙ୍କ ପିଲାମାନଙ୍କର ଜନ୍ମଦିନ ପାଳନ କରୁଛନ୍ତି ଜଳୁଥିବା ମହମବତିକୁ ଲିଭାଇ ଦେଇ, ଆଲୋକରୁ ଅନ୍ଧାର ମଧ୍ୟକୁ ପ୍ରବେଶ କରି। ପାରମ୍ପରିକ ସତ୍ୟନାରାୟଣ ପୂଜାପାଠ, ନଡ଼ିଆ କଦଳୀ ଓ ଶିରଣି ଭୋଗର ସୁସ୍ବାଦୁ ବ୍ୟଞ୍ଜନ ପରିବର୍ତ୍ତେ ରଙ୍ଗବେରଙ୍ଗର ଝୁଲନ୍ତା ବେଲୁନ ଶୋଭିତ କକ୍ଷ ଭିତରେ କେକ୍‌ କଟା ଓ ଗ୍ରୁପ ଡ୍ୟାନ୍ସ ମଧ୍ୟରେ ପାଳିତ ହେଉଚି ପ୍ରାଚ୍ୟ ସନ୍ତାନର ଜନ୍ମଦିନ। ଯେଉଁ ମାଆ ସନ୍ତାନର କପାଳରେ ସିନ୍ଦୂର ଚନ୍ଦନ ଲଗାଇ ଥାଳିରେ ଦୀପ ଥୋଇ ତାକୁ ବନ୍ଦାପନା କରି ତା’ର ଦୀର୍ଘ ନିରାମୟ ଜୀବନ କାମନା କରି ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ, ସେ ଆଜି ‘ହ୍ୟାପି ବର୍ଥ ଡେ ଟୁ ଇଉ’ କୋରସ୍‌ ସଙ୍ଗୀତର ତାଳେ ତାଳେ ନୃତ୍ୟରତ, ଆନନ୍ଦ ବିଭୋର!
ନିଜ ପୁଅର ଏମିତି ଜନ୍ମଦିନ ପାଳନ କରୁଥିବା ଓ ତା’ ମୁହଁରୁ ‘ଡାଡି’ ଡାକ ଶୁଣି ଆହ୍ଲାଦିତ ହେଉଥିବା ଖାଣ୍ଟି ଭାରତୀୟ ବନ୍ଧୁ ଜଣେ ସେଦିନ ନିଜ କର୍ମ ସପକ୍ଷରେ ସଫେଇ ଦେଇ କହୁଥିଲେ, କ’ଣ ଆଉ କରିବା! ଏସବୁ ପରିବେଶର ପ୍ରଭାବ, ସମୟର ଆହ୍ବାନ। ଏମିତି ଜନ୍ମଦିନ ପାଳନ କରିବାକୁ ମୋ ପୁଅ ଓ ତା’ ମାଆ ଏମିତି ଜିଦ୍‌ ଧରି ବସିଲେ ଯେ, ସେମାନଙ୍କ ବିରୋଧରେ ଯାଇ ଘରେ ଅଶାନ୍ତି ସୃଷ୍ଟି କରିବାକୁ ମୁଁ ଉଚିତ୍‌ ମନେକଲି ନାହିଁ। ତୁମ ଆଖି ପାଖରେ ସମାଜ ସଭ୍ୟତାର ନୂଆ ଶିଡ଼ି ଚଢ଼ି ଦ୍ରୁତଗତିରେ ଆଧୁନିକତା ଆଡ଼େ ମୁହଁାଉ ଥିଲା ବେଳେ ତୁମେ ଏକା ଏକା ଆପଣା ସଂସ୍କାରର ଆଶାବାଡ଼ି କାଖରେ ଜାକି ଭାରତୀୟ ବୋଲାଇବାରେ କି ଲାଭ?
ବନ୍ଧୁଙ୍କ ପ୍ରଶ୍ନର ଉତ୍ତରରେ ଆଉ କେଇଟି ପ୍ରଶ୍ନ- ‘ପରିବେଶ କାହାକୁ କହନ୍ତି’? ‘ସମାଜ କେମିତି ଗଢ଼ା ହୋଇଥାଏ?’ ‘ବ୍ୟକ୍ତିଙ୍କ ବିନା ସମ୍ମତି ଓ ସଂପୃକ୍ତିରେ ସମାଜଟିଏ କ’ଣ ଗଢ଼ା ହୋଇଯାଏ ଓ ପରିବେଶଟିଏ ସୃଷ୍ଟି ହୋଇଥାଏ?’ ବ୍ୟକ୍ତି ଚରିତ୍ରକୁ ଶୀତଳ ଭଣ୍ଡାରରେ ଥୋଇ ସମାଜ ଉଜୁଡ଼ିଗଲା ଓ ପରିବେଶ ବିଗିଡ଼ିଗଲା ବୋଲି ଯେତେ ଚିତ୍କାର ଛାଡ଼ିଲେ ବି ସମାଜ ତଳକୁ ତଳ ରସାତଳକୁ ଯାଉଥିବ ସିନା, କେବେ ବି ସୁଧୁରି ଯିବନି।
ଗୋଟିଏ ଜାତିର ଉତ୍‌ଥାନ ଓ ବିକାଶ ମୂଳରେ ଥାଏ ବ୍ୟକ୍ତି ଚରିତ୍ରର ଉତ୍ତରଣ ଓ ଏହି ଉତ୍ତରଣର ପ୍ରବାହ ମଧ୍ୟରେ କ୍ରମୋତ୍ତର ସୋପାନରେ ସୃଷ୍ଟି ହୋଇଥିବା ସାଂସ୍କୃତିକ ଐତିହ୍ୟ। ଏ ପ୍ରସଙ୍ଗରେ ଭାରତୀୟ ସଂସ୍କାର ଓ ସଂସ୍କୃତିର କାନ୍ତ କମନୀୟତା ପ୍ରତି ଅବଶିଷ୍ଟ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିକୋଣ ବେଶ ପ୍ରଣିଧାନଯୋଗ୍ୟ। ସେ କହିଥିଲେ, ‘ନିଜ ଐତିହ୍ୟ ଓ ପରମ୍ପରାକୁ ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ସଂପଦ ବୋଲି ମନେକର ଓ ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ମନେପକାଅ, ଯେଉଁମାନେ ନିଜର ସମର୍ପିତ ସାଧନା, ତ୍ୟାଗ ଓ ତପସ୍ୟା ବଳରେ ତୁମ ପାଇଁ ଏମିତି ବର୍ତ୍ତମାନଟିଏ ଛାଡ଼ିଯାଇଛନ୍ତି। ଆଖି ଆଗରେ ଥିବା ବର୍ତ୍ତମାନକୁ ଆହୁରି ସମୃଦ୍ଧ ଭବିଷ୍ୟତରେ ରୂପାନ୍ତରିତ କରିବା ପାଇଁ କଠୋର ପରିଶ୍ରମ କର। ତୁମେ ଯେତେବେଳେ ପରିଣତ ବୟସରେ ପହଞ୍ଚତ୍ବ ପରିଶ୍ରମ କରିବାକୁ ଦେହରେ ଆଉ ବଳ ନ ଥିବ, ସେତେବେଳେ ନିଜକୁ ସ୍ଥବିର ଭାବି ନୀରବରେ ବସିଯାଅ ନାହିଁ। ଉତ୍ତର ପିଢ଼ିର ନବଦାୟାଦଙ୍କୁ ପାଖରେ ବସାଅ ଓ ସେମାନଙ୍କୁ ତୁମ ପୂର୍ବ ପୁରୁଷଙ୍କ ନିଷ୍ଠା, ତ୍ୟାଗ ଓ ତପସ୍ୟାର କାହାଣୀ ଶୁଣାଅ। ସେମାନଙ୍କୁ ଏ କଥା ବି କୁହ ଯେ, ସେମାନେ ଯେଉଁ ଆଲୋକ ଉପଭୋଗ କରୁଛନ୍ତି, ଯେଉଁ ବୃକ୍ଷର ଫଳ ଖାଇବା ସହ ତା’ର ଶୀତଳ ଛାୟା ସେବନ କରୁଛନ୍ତି, ସେହି ଆଲୋକ ସୃଷ୍ଟି କରିବାକୁ ଓ ସେଇ ବୃକ୍ଷଟିକୁ ବଢ଼ାଇବା ପାଇଁ ପୂର୍ବଜମାନେ କେତେ କଠୋର ପରିଶ୍ରମ କରିନାହାନ୍ତି।
ପ୍ରକୃତରେ କେଡ଼େ କଥାଟିଏ କହିନାହାନ୍ତି ବିଶ୍ୱବିଜୟୀ ସନ୍ନ୍ୟାସୀ। ଭୁଲିଗଲେ ଚଳିବନାହିଁ ଯେ ଜଣେ ଜୀଜାବାଈଙ୍କ ନୀରବ ନିଷ୍ଠା ଓ ଐକାନ୍ତିକ ସାଧନା ହିଁ ଶିବାଜୀଙ୍କୁ ଛତ୍ରପତିରେ ରୂପାନ୍ତରିତ କରିପାରିଥିଲା। ସମୟର ଦୁର୍ଭାଗ୍ୟ, ଏବେ ମାଆମାନେ ନିଜ ନବ ଦାୟାଦମାନଙ୍କୁ ପୂର୍ବଜମାନଙ୍କ ସଂସ୍କାର ଓ ସାଧନାର ଗୌରବମୟ ଗୀତିକଥା ଶୁଣାଇବା ପରିବର୍ତ୍ତେ ଆଧୁନିକ ଜୀବନର ଉଜ୍ଜ୍ୱଳ ଉପାଦାନ ସମ୍ପର୍କରେ ଶିକ୍ଷା ଦେଇ ଚାଲିଛନ୍ତି। ସାମ୍ପ୍ରତିକ ସମୟରେ ଅରବିନ୍ଦ, ବିବେକାନନ୍ଦ ବା ଶିବାଜୀଙ୍କ ନାମ ଜାଣିଥିବା ଶିଶୁଟିଏ ମିଳିବା ସହଜ ହୋଇ ନ ପାରେ। ମାତ୍ର ମୋଟେ ଅସହଜ ନୁହେଁ ୟୁଟ୍ୟୁବ୍‌ ସହ ପରିଚିତ ଥିବା ଶିଶୁ ଜଣଙ୍କୁ ଖୋଜି ପାଇବା। ବିଜ୍ଞାନ ଓ ବୌଦ୍ଧିକତାର ଜୟଯାତ୍ରା ମଣିଷକୁ ଦେଇଛି ଏକ ସରସ, ସୁନ୍ଦର ଓ ସୁଖମୟ ଜୀବନର ବରଦାନ। ମାତ୍ର ବିଜ୍ଞାନ ଯେଉଁଠି ସଂସ୍କାର ବିବର୍ଜିତ, ଆଧୁନିକତା ଯେଉଁଠି ଅପସଂସ୍କୃତି ସମ୍ବଳିତ, ସେଠି ସଭ୍ୟତାର ଯାବତୀୟ ବିକାଶ ସତ୍ତ୍ୱେ ବି ସମୟ ଓ ସମାଜର ଗତି ଆଲୋକରୁ ଅନ୍ଧାର ଆଡ଼କୁ ହେବା ପାଇଁ ବସ୍ତୁତଃ ବାଧ୍ୟ।

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri