କେତେବେଳେ ସେ ମୀରା ହୋଇ ଶ୍ରୀକୃଷ୍ଣଙ୍କୁ ଖୋଜନ୍ତି ତ ଆଉ କେତେବେଳେ କାଳୀ, ଅର୍ଦ୍ଧନାରୀଶ୍ୱର, ଶିବତାଣ୍ଡବ, ଶ୍ରୀକୃଷ୍ଣ ରାସରେ ଦର୍ଶକଙ୍କୁ ବିମୋହିତ କରନ୍ତି। ଆଉ ଏହି ସୁନ୍ଦର ନୃତ୍ୟାଭିନୟ ତାଙ୍କୁ ଜଣେ ଯୁବ ନୃତ୍ୟଶିଳ୍ପୀ ଭାବେ ଶ୍ରୀକ୍ଷେତ୍ର ମାଟିରେ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ସେ ହେଉଛନ୍ତି ପୁରୀ ଜିଲା ବ୍ରହ୍ମଗିରି ଗୌଡ଼ବନ୍ଧ ଗ୍ରାମର ଶାନ୍ତିଲତା ଓ ରାଜ କିଶୋର ପ୍ରଧାନଙ୍କ ପୁଅ ସନ୍ତୋଷ। ପିଲାବେଳୁ କଳା ପ୍ରତି ତାଙ୍କର ରୁଚି ରହିଥିଲା। ନୃତ୍ୟାଭିନୟ ଶିକ୍ଷା କରିବାକୁ ଆଗ୍ରହ ରହିଥିଲା। ତେବେ ରକ୍ଷଣଶୀଳ ପରିବାରରୁ ଆସିଥିବାରୁ ବାପା ରୋକଠୋକ୍ ମନା କରିଥିଲେ। ପିଲାବେଳୁ ଟିଭି ପରଦାରେ ଅନେକ ସ୍ବନାମଧନ୍ୟ ନୃତ୍ୟଶିଳ୍ପୀଙ୍କୁ ଦେଖି ଅଭ୍ୟାସ ଜାରି ରଖିଥିଲେ। କଲେଜ ଶିକ୍ଷା ପରେ ପୁରୀ କୋର୍ଟରେ ଓକିଲ ମନୋଜ ମହାପାତ୍ରଙ୍କ ନିକଟରେ ରହି କାମ କରୁଥିଲେ। ସେଠାରୁ ମୋହରିର କାମ ଆରମ୍ଭ କରିଥିଲେ। ତେବେ ପୁରୀରେ ରହିବା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ସୁଯୋଗ ପାଇଲେ। ପିଲାବେଳୁ ରହିଥିବା ଆଗ୍ରହ ଯୁବାବସ୍ଥାରେ ଉଜ୍ଜୀବିତ ହୋଇଥିଲା। ସେ ପ୍ରଥମେ ନୃତ୍ୟଶିଳ୍ପୀ ରୂପଲତା ମହାନ୍ତିଙ୍କଠାରୁ ନୃତ୍ୟଶିକ୍ଷା ଆରମ୍ଭ କଲେ। ଧୀରେ ଧୀରେ ବିଭିନ୍ନ ମଞ୍ଚରେ ନୃତ୍ୟାଭିନୟ କରିବା ଦ୍ୱାରା ତାଙ୍କ ପ୍ରତିଭା ବିକଶିତ ହେବାକୁ ଲାଗିଲା। ଏହା ତାଙ୍କ ନିଶାରେ ପରିଣତ ହୋଇଯାଇଥିଲା। ଓଡ଼ିଶୀ ପାଇଁ ସେ ମୋହରିର କାମ ଛାଡ଼ି ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତିଙ୍କ ନିକଟରେ ନିୟମିତ ନୃତ୍ୟାଭ୍ୟାସ ଜାରି ରଖିଲେ। ତାଙ୍କ ସଂସ୍ପର୍ଶରେ ଆସିବା ପରେ ସନ୍ତୋଷଙ୍କ ନୃତ୍ୟାଭିନୟରେ ପରିପକ୍ୱତା ଆସିଥିଲା। ବିଭିନ୍ନ ମଞ୍ଚରେ ତାଙ୍କ ନୂପୁରର ରୁଣୁଝୁଣୁ ଝଙ୍କୁରିତ ହେବାରେ ଲାଗିଲା। ୨୦୧୬ରେ ପୁରୀରେ ଅନନ୍ୟା କଳା ମନ୍ଦିର ଗଠନ କରି ଓଡ଼ିଶୀ ପ୍ରତି ଆଗ୍ରହ ରଖୁଥିବା ଶିଶୁ ଏବଂ ଯୁବବର୍ଗଙ୍କୁ ନୃତ୍ୟଶିକ୍ଷା ଦେଉଛନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ରଥଯାତ୍ରା, ଚନ୍ଦନଯାତ୍ରା ସମୟରେ ଏକକ, ଦଳଗତ ନୃତ୍ୟାଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ଏଥିସହିତ ଓଡ଼ିଶା ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ମଞ୍ଚ, ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା, ରବୀନ୍ଦ୍ର ମଣ୍ଡପ, ଓଡ଼ିଶୀ ଗବେଷଣା କେନ୍ଦ୍ର ସମେତ ପ୍ରତିଷ୍ଠିତ ମଞ୍ଚ, ମହୋତ୍ସବରେ ଓଡ଼ିଶୀ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ଆଗକୁ ଓଡ଼ିଶୀ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାର ବିକାଶ ଲାଗି ଆଉ ଏକ ଏକାଡେମୀ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି ସନ୍ତୋଷ।
– ପ୍ରଭାତ ପାଣିଗ୍ରାହୀ