ପଟ୍ଟାମୁଣ୍ଡାଇ, ୩ା୯(କଳ୍ପତରୁ ନାୟକ)ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟମୁହଁା ହେବାରେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ୍ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ଡେରା ପକାଇଛନ୍ତି। ଚାଷ ପ୍ରତି ବିମୁଖ ବର୍ତ୍ତମାନର ଯୁବପିଢ଼ିଙ୍କୁ ଏଠାରେ ବର୍ଷସାରା କିଛି କାମଧନ୍ଦା ମିଳୁନି। ଏ ନେଇ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବତୀ ଯୁବକ ଏବେ ସୁଦୂର କେରଳ, ତାମିଲନାଡୁ, କର୍ନାଟକ ଭଳି ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।
ସାମାଜିକ କର୍ମୀ ଶଶିକାନ୍ତ ସ୍ବାଇଁ କହିଛନ୍ତି, ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳର ଶତାଧିକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କେରଳ ଓ ତାମିଲନାଡୁ କାରଖାନା ମାଲିକମାନେ ସେଠାରୁ ବସ୍ ପଠାଇ ଦଲାଲଙ୍କ ମାଧ୍ୟମରେ ଶ୍ରମିକଙ୍କୁ ନେଉଛନ୍ତି। ଓଡ଼ିଶାରେ ଉତ୍ପାଦିତ ଖଣିଜ ପଦାର୍ଥରୁ ୫୦ ହଜାର କୋଟି ଟଙ୍କାର ରୟାଲ୍ଟି ମିଳୁଛି ବୋଲି ସିଏଜି ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ଉନ୍ନତି ପଥରେ ବୋଲି ସରକାର କହୁଛନ୍ତି। ମାତ୍ର ଏଠାରେ ରାଜ୍ୟ ସରକାର ଅର୍ଥନୀତିର ସୁପରିଚାଳନାର ଅଭାବ, ସ୍ଥାନୀୟ ସମସ୍ୟା ପ୍ରତି ସରକାରଙ୍କ ଦୂରଦୃଷ୍ଟିର ଅଭାବ, ପ୍ରାକୃତିକ ସମ୍ପଦର ସୁବିନିଯୋଗରେ ତ୍ରୁଟି, ଆଞ୍ଚଳିକସ୍ତରରେ ଦାରିଦ୍ର୍ୟ ପରିଚାଳନାର ଅଭାବ, ସ୍ଥାନୀୟ ପ୍ରଶାସନର ଅମନଯୋଗିତା, ଯୋଜନା ବଣ୍ଟନରେ ଭାରସାମ୍ୟର ଅଭାବ, ଦୁର୍ନୀତି ଆଦି କାରଣ ଯୋଗୁ ଏହି ଅଞ୍ଚଳରେ ଦାଦନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପେଟ ଚାଖଣ୍ଡକ ପାଇଁ କୋମଳ ଶିଶୁର ମୁହଁକୁ ଦୂରେଇ ଦୂରଦୂରାନ୍ତକୁ ଖଟିବାକୁ ଯାଉଛନ୍ତି। ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ (ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇପାରିଲା ନାହିଁ ବରଂ ସରକାରୀ ସ୍ବୀକୃତ ଭାବେ ଏହା ଅବାଧରେ ଚାଲୁଛି। ୧୮୪୮ରେ କାର୍ଲ ମାର୍କ୍ସ ଓ ଫ୍ରେଡ୍ରିକ ଏଙ୍ଗେଲ୍ସଙ୍କ ଅମର ଗ୍ରନ୍ଥ ’କମ୍ୟୁନିଷ୍ଟ ଇସ୍ତାହାର’ ପ୍ରକାଶନ ପୂର୍ବରୁ ମାର୍କ୍ସ କହିଥିଲେ, ଯଦି ସମାଜରେ ସମସ୍ତେ ସମାନ ଭାବେ ରହିପାରିବେ ନାହିଁ, ସମସ୍ତଙ୍କୁ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇପାରିବ ନାହିଁ, ତେବେ ସେହି ସମାଜର ଅଗ୍ରଗତି ସମ୍ଭବ ନୁହେଁ। ଯଦି ସରକାର ଗରିବଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ତେବେ ସେହି ସରକାର ଏକ ପ୍ରଗତିଶୀଳ ସରକାର ହୋଇପାରିବ ନାହିଁ। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ପଟ୍ଟାମୁଣ୍ଡାଇରେ କୃଷିକ୍ଷେତ୍ର ପଡ଼ିଆ ପଡୁଛି। ଜିଲାରେ ଖଣି ଓ ଶିଳ୍ପ ନାହିଁ। ପ୍ରାୟ ୨୨ ହଜାରରୁ ଅଧିକ ଗ୍ରାଜୁଏଟ୍ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନିଜର ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଗରିବ ଲୋକମାନଙ୍କୁ ବ୍ୟାଙ୍କରୁ ମଧ୍ୟ ସହାୟତା ମିଳୁନାହିଁ। ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ତାହା କେବଳ କାଗଜକଲମରେ ରହିଛି। ଫଳରେ ଯୋଜନା ତିଆରି ହୁଏ, ଅର୍ଥ ଆସେ, ଏହାର ବିନିଯୋଗ ପତ୍ର ଦାଖଲ ହୁଏ, ମାତ୍ର ଲୋକମାନେ ଏ ସମ୍ପର୍କରେ ଜାଣିପାରନ୍ତି ନାହିଁ। ଫଳ ଏହା ହୁଏ ଯେ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବାଟବଣା ହୁଏ। ଜୀବନଧାରଣ ଓ ପରିବାର ପୋଷଣ ପାଇଁ ଯୁବବର୍ଗଙ୍କୁ ବାହାରକୁ ଯିବାକୁ ପଡୁଛି। ଶୁକ୍ରବାର କେରଳ ବସ୍ରେ ଚଢ଼ୁଥିବା ବେଳେ ପଟ୍ଟାମୁଣ୍ଡାଇର ସିଦ୍ଧାନ୍ତ ମଲିକ, ଲିଟନ ମଲିକ, ପ୍ରହଲ୍ଲାଦ ସେଠୀ, ଉମାକାନ୍ତ ଦାସଙ୍କ ସମେତ ବହୁ ଯୁବତୀଯୁବକ ମନର କଥା କହିଛନ୍ତି, ରାଜ୍ୟରେ ରହିଥିବା ବିପୁଳ ଖଣିଜ ସମ୍ପଦ, ବିଶାଳ ଜଙ୍ଗଲ ଓ ସମୁଦ୍ରକୂଳ ସହ ବୃହତ୍ ଲୋକଶକ୍ତି ଅଛି। ବସ୍ତ୍ର, କୃଷି, ପାରମ୍ପରିକ ଶିଳ୍ପର ବିକାଶକୁ ଦୃଷ୍ଟି ଦିଆଯାଉନି। ଓଡ଼ିଶାର ଲୁହାପଥର, କୋଇଲା, ମାଙ୍ଗାନିଜ୍, ବକ୍ସାଇଟ୍ ଖୋଳି ବିକ୍ରି କରାଯାଉଛି। ମାତ୍ର ଏହାକୁ ବ୍ୟବହାର କରି ଜିନିଷ ପ୍ରସ୍ତୁତି ନିମନ୍ତେ ଶିଳ୍ପ କରାଯାଉନାହିଁ। କେବଳ ନିର୍ବାଚନ ଆସିଲେ ଶିଳ୍ପପତିମାନଙ୍କ ପାଖକୁ ଦୌଡ଼ି ଯାଉଛନ୍ତି। ଓଡ଼ିଶାର ବେକାର ଯୁବତୀଯୁବକ ନିଯୁକ୍ତି ପାଇଲେ ଗରିବ ସମସ୍ୟା ସମାଧାନ ହୋଇପାରନ୍ତା। ହେଲେ ଓଲଟା ଟଙ୍କିକିଆ ଚାଉଳ ହିତାଧିକାରୀଙ୍କ ସଂଖ୍ୟା ବଢ଼ୁଛି। ସରକାର ଏ ବାବଦରେ ନଁା ନେବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶା ଧନୀ ହେଉଛି ବୋଲି କୁହାଯାଉଛି। ହେଲେ ଓଡ଼ିଆ ଗରିବ ହୋଇଚାଲିଛି ଓ ଦାଦନ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଆ ଶିକ୍ଷିତ, ବେକାର ଓ ଦାଦନ ଶ୍ରମିକଙ୍କ ଉପରେ ମାନସିକ ଚାପ ବଢ଼ି ବଢ଼ି ଚାଲିଛି। ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆମେ ଦାଦନ ଖଟିବାକୁ ଯାଉଛୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଡିଭିଜନାଲ ଲେବର କମିଶନର ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ ବାହାର ରାଜ୍ୟରୁ ବସ୍ ଆସି ଶ୍ରମିକ ନେବା ଅପରାଧ। ସ୍ଥାନୀୟ ପୋଲିସ ଚାହିଁଲେ ଦଲାଲ ଓ ବସ୍ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପାରିବ ବୋଲି ସେ କହିଛନ୍ତି।