ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ ହମ୍‌ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତେବେ ୧୯୮୫ରେ ରାଜ କପୁରଙ୍କ ଫିଲ୍ମ ରାମ ତେରୀ ଗଙ୍ଗା ମୈଲୀରେ ତାଙ୍କୁ ସଫଳତା ମିଳିଥିଲା। ତେବେ ଏହି ଫିଲ୍ମ ପରେ ପିତା ରାଜ କପୁରଙ୍କ ସହିତ ରାଜୀବ କପୁରଙ୍କ ସମ୍ପର୍କ ଧୀରେଧୀରେ ଖରାପ ହୋଇଥିଲା। ଏ ସମ୍ପର୍କରେ ମଧୁ ଜୈନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଦ କପୁର୍ସ’ରେ ଉଲ୍ଲେଖ କରାଯାଇଛି। ରାମ ତେରୀ ଗଙ୍ଗା ମୈଲୀ ପରେ ମନ୍ଦାକିନି ରାତାରାତି ଷ୍ଟାର ପାଲଟି ଯାଇଥିଲେ। ମାତ୍ର ରାଜୀବଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ପିତା ରାଜ କପୁର ପୁଣି ଏକ ଫିଲ୍ମରେ ତାଙ୍କୁ ବ୍ରେକ୍‌ ଦିଅନ୍ତୁ ବୋଲି ରାଜୀବ ଚାହୁଁଥିଲେ। ମାତ୍ର ଏହା ହୋଇ ନ ଥିଲା। ରାଜ କପୁର ରାଜୀବଙ୍କୁ ନିଜ ଆସିଷ୍ଟାଣ୍ଟ୍‌ ଭାବେ ରଖିଥିଲେ। ରାଜୀବଙ୍କୁ ସ୍ପଟବୟ ଠାରୁ ଆରମ୍ଭ କରି ଅନ୍ୟ ସବୁ କାମ କରିବାକୁ ପଡୁଥିଲା। ରାଜୀବଙ୍କ ମନରେ ପିତାଙ୍କୁ ନେଇ ଆକ୍ରୋଶ ବଢ଼ିଥିଲା। ରାଜ କପୁରଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ରାଜୀବ ଯୋଗ ଦେଇ ନ ଥିଲେ। ରାଜୀବଙ୍କ ଫିଲ୍ମ କ୍ୟାରିୟର ସେତେେ ସଫଳ ନ ଥିଲା। ତାଙ୍କ ଦ୍ୱାରା ଅଭିନୀତ ଆସମାନ୍‌, ଲଭର ବୟ, ଜବରଦସ୍ତ, ହମ୍‌ ତୋ ଚଲେ ପରଦେଶ୍‌, ଜିମେଦାର ଆଦି ଫିଲ୍ମ ବିଶେଷ ସଫଳତା ହାସଲ କରି ପାରି ନ ଥିଲା। ୧୯୯୦ରେ ସେ ଶେଷ ଥର ପାଇଁ ଜବରଦସ୍ତରେ ଅଭିନୟ କରିଥିଲେ। ଏହାପରେ ନିର୍ଦ୍ଦେଶକ ଭାବେ ସେ କାମ ଆରମ୍ଭ କରିଥିଲେ। ପ୍ରେମଗନ୍ଥ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା। ହେନା ଏବଂ ୧୯୯୯ରେ ଆ ଅବ୍‌ ଲୌଟ୍‌ ଚଲେ ଫିଲ୍ମ ସେ ନିର୍ମାଣ କରିଥିଲେ। ଆ ଅବ୍‌ ଲୌଟ୍‌ ଚଲେର ନିର୍ଦ୍ଦେଶନା ଋଷି କପୁର ଦେଇଥିଲେ। ଫିଲ୍ମ ଳାଇଫ୍‌ ପରି ରାଜୀବଙ୍କ ପାରିବାରିକ ଜୀବନ ମଧ୍ୟ ଅସଫଳ ରହିଥିଲା। ୨୦୦୧ରେ ରାଜୀବ ଆରତି ଶଭ୍ରାଓ୍ବାଲଙ୍କୁ ବିବାହ କରିଥିଲେ। ତେବେ ମାତ୍ର ଦୁଇବର୍ଷ ପରେ ୨୦୦୩ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରାଜୀବ ୧୯୬୨ ଅଗଷ୍ଟ ୨୫ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମ ଗ୍ରହଣ କରିଥିଲେ।

Share