ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ୍ବାଗ୍ରେ ଧାରଣାରେ ବସିଥିଲେ। ଶାହିନ୍ବାଗ୍ର ଧାରଣା ଯେ ଦିନେ ତାଙ୍କୁ ଟାଇମ୍ ପତ୍ରିକାରେ ସ୍ଥାନ ଦେବ ତାହା ସେ କେବେ ବି କଳ୍ପନା କରି ନ ଥିଲେ। ଏବେ ସୋସିଆଲ୍ ମିଡ଼ିଆରେ ବିଲ୍କିସ୍ ଦାଦୀଙ୍କ ନେଇ ଚର୍ଚ୍ଚା ଜାରି ରହିଛି। ପରିଣତ ବୟସରେ ମଧ୍ୟ ଦାଦୀଙ୍କ ଉତ୍ସାହକୁ ଦେଖି ଲୋକେ ଚକିତ ହୋଇଥିଲେ। ଏକାଧିକ ଦିନ ଧରି ସେ ଶାହିନ୍ବାଗ୍ରେ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ। ସେତେବେଳେ ଜାତୀୟ ଗଣମାଧ୍ୟମରେ ତାଙ୍କୁ ଶାହିନ୍ବାଗ୍ ଦାଦୀ ଭାବେ ସମ୍ବୋଧନ କରାଯାଇଥିଲା। ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିବା ନେଇ ସେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଦାଦୀଙ୍କ ଲୋକପ୍ରିୟତା ଟାଇମ୍ ପତ୍ରିକା କର୍ତ୍ତୃପକ୍ଷଙ୍କୁ ବେଶ୍ ଆକୃଷ୍ଟ କରିଥିଲା।