ଭୁବନେଶ୍ୱର, ୧୦ା୧୨ (ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍ ଚଳିତମାସ ୧୪ରୁ ଖେଳାଯିବ। ଏଥିରେ ୩୭ଟି ସ୍ବୀକୃତିପ୍ରାପ୍ତ ୟୁନିଟ୍ ଭାଗ ନେବେ। ସମସ୍ତ ଦଳକୁ ୬ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମ୍ୟାଚଗୁଡ଼ିକ ଟି୨୦ ଫର୍ମାଟ୍ରେ ଖେଳାଯିବ। ଏହି ଇଭେଣ୍ଟରୁ ଆଗକୁ ଅନୁଷ୍ଠିତ ହେବାକୁଥିବା ଓସିଏଲ୍ ଟି୨୦ ଲିଗ୍ ଏବଂ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍ ପାଇଁ ଖେଳାଳି ମନୋନୟନ ହେବେ। ମ୍ୟାଚ ଲାଗି ଭୁବନେଶ୍ୱର ଓ କଟକରେ ମୋଟ ୯ଟି ଭେନ୍ୟୁ ବଛାଯାଇଛି। ଭୁବନେଶ୍ୱରରେ ମ୍ୟାଚଗୁଡ଼ିକ କିଟ୍, ବିକାଶ ଇନଷ୍ଟିଚ୍ୟୁଟ୍ କ୍ରିକେଟ ଗ୍ରାଉଣ୍ଡ, ସେଞ୍ଚୁରିୟାନ କ୍ରିକେଟ ଗ୍ରାଉଣ୍ଡ ଏବଂ ଟାଉନ୍ କ୍ଲବ ଖେଳପଡ଼ିଆରେ ଏବଂ କଟକରେ ବାରବାଟୀ ଷ୍ଟାଡିୟମ, ଡ୍ରିମ୍ସ ଓ ରେଭେନ୍ଶା ବିଶ୍ୱବିଦ୍ୟାଳୟ, ନିମପୁର କ୍ରିକେଟ ଗ୍ରାଉଣ୍ଡ ଏବଂ ବିଡ଼ାନାସୀ ଗ୍ରାଉଣ୍ଡରେ ହେବ। ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଦଳର ଖେଳାଳି ଓ ଅଫିସିଆଲଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦାଖଲ କରିବାକୁ ହେବ। ସମସ୍ତଙ୍କର ଦ୍ୱିତୀୟ ରାଉଣ୍ଡ କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ।