ଅବସର ନେଲେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର

କଟକ,୭ା୮(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଡ. ଏସ୍‌. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ଓଡ଼ିଶା ତଥା ଦେଶର ନ୍ୟାୟିକ ବ୍ୟବସ୍ଥାରେ ସେ ଏକ ଆନ୍ଦୋଳନ ସୃଷ୍ଟି କରିଥିବାବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶା ହାଇକୋର୍ଟ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିପାରିଛି। ପ୍ରଥମଥର ପାଇଁ ହାଇକୋର୍ଟ ସମେତ ଜିଲା କୋର୍ଟଗୁଡ଼ିକରେ ପେପରଲେସ୍‌ କୋର୍ଟ ପ୍ରଚଳନ କରିବା ତାଙ୍କ ଦୂରଦର୍ଶିତାର ଏକ ପ୍ରମୁଖ ଦିଗ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ପ୍ରଥମ ପେପରଲେସ୍‌ କୋର୍ଟ ହେବାପରେ ଅନ୍ୟ କେତେକ ଖଣ୍ଡପୀଠକୁ ମଧ୍ୟ ପେପରଲେସ୍‌ କରାଯାଇଛି। ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ତାଙ୍କର ଅନ୍ୟତମ ପ୍ରଚେଷ୍ଟା। ତାଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ଟି ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ହୋଇଛି। ଓଡ଼ିଶାର ନ୍ୟାୟିକ ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ କରିବାରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ପ୍ରତିଷ୍ଠା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇଛନ୍ତି। ହାଇକୋର୍ଟ ପକ୍ଷରୁ ରେକର୍ଡ ସଂରକ୍ଷଣ ପାଇଁ ରେକର୍ଡ ଡିଜିଟାଇଜେସନ ସେଣ୍ଟର ସ୍ଥାପନ କରାଯାଇଛି। ୨୦୨୧ ଏପ୍ରିଲ ୫ରେ ଇ-ଫାଇଲିଂ ୱେବ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏଥିସହ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ମାମଲା ଶୁଣାଣିର ସିଧା ପ୍ରସାରଣ ହାଇକୋର୍ଟଙ୍କ ଅଫିସିଆଲ ୟୁଟ୍ୟୁବ ଚାନେଲରେ ୨୦୨୧ ଅଗଷ୍ଟ ୨ରୁ ଆରମ୍ଭ ହୋଇଥିଲା। ଏପରିକି ନ୍ୟାୟିକ ବ୍ୟବସ୍ଥାକୁ ସହଜ କରିବା ଉଦ୍ଦେଶ୍ୟରେ ଡ. ମୁରଲୀଧର ଅବସର ନେବା ଦିନରେ ସୋମବାର ଓ୍ବାରେଣ୍ଟ ପରିଚାଳନା ବ୍ୟବସ୍ଥା ଏବଂ ପିଆଇଏଲ ପୋର୍ଟାଲ ନୂତନ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ୨୦୨୧ ଜାନୁଆରୀ ୪ରେ ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୧୯୮୪ରେ ସେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ପରେ ୧୯୮୭ରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ।

Share